ଝାରସୁଗୁଡ଼ା: ସମ୍ପ୍ରତି ସମଗ୍ର ରାଜ୍ୟରେ ଆଳୁ ସଙ୍କଟ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ଚାହିଦା ଅନୁସାରେ ଆଳୁ ଚାଷ ହେଉନଥିବାରୁ ଏହାର ଅଭାବୀ ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। କିନ୍ତୁ ପ୍ରକୃତପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ଚାଷ ହେଉଥିଲେ ହେଁ ଏହାର ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅମଳ ଋତୁରେ ତାହା ବାହାର ରାଜ୍ୟକୁ ରପ୍ତାନି ହୋଇ ଚାଲିଯାଉଥିବା ଜଣାପଡ଼ିଛି। ଶିଳ୍ପବହୁଳ ଝାରସୁଗୁଡ଼ା ସହରର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ୧୯୮୭ ମସିହାରେ ନିର୍ମିତ ସ୍ବତନ୍ତ୍ର ଆଳୁ ସଂରକ୍ଷଣ ଶୀତଳଭଣ୍ଡାର ଏବେ ଭୂତକୋଠି ପାଲଟିଛି। ଏହାର ପୁନରୁଦ୍ଧାର ନେଇ ଉଦ୍ୟମ ହେଉନଥିବା ଅଭିଯୋଗ ହୋଇଛି। ଏନେଇ ସହକାରୀ ଉଦ୍ୟାନକୃଷି ଅଧିକାରୀ ମନୋଜ ନନ୍ଦଙ୍କୁ ପଚାରିବାରେ, ଉକ୍ତ ଶୀତଳଭଣ୍ଡାର ସମ୍ପର୍କରେ କୌଣସି ତଥ୍ୟ ନଥିବା କହିଛନ୍ତି।

Advertisment

୮୦ ଦଶକ ବେଳକୁ ଝାରସୁଗୁଡ଼ା ଜିଲ୍ଲା ଏତେଟା ଶିଳ୍ପ କବଳିତ ହୋଇନଥିବା ବେଳେ ଜିଲ୍ଲାର ଲଖନପୁର, କୋଲାବିରା ଓ ଲଇକେରା ବ୍ଲକ୍‌ରେ ପ୍ରଚୁର ପରିମାଣର ଆଳୁ ଉତ୍ପାଦନ ହେଉଥିଲା। ଯାହାକୁ ଆଖି ଆଗରେ ରଖି ୧୯୮୫ ମସିହାରେ ସହରର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ଠାରେ ଝାରସୁଗୁଡ଼ା ଆଳୁ ଉତ୍ପାଦନକାରୀଙ୍କ ସଂରକ୍ଷଣ ଓ ବାଣିଜ୍ୟ ସମବାୟ ସମିତି ପାଇଁ ସ୍ବତନ୍ତ୍ର ଆଳୁ ସଂରକ୍ଷଣ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା। ସେହି ବର୍ଷ ଏପ୍ରିଲ ୧୧ ତାରିଖରେ ତତ୍କାଳୀନ ସମବାୟ ସମିତି ସମୂହ ନିବନ୍ଧକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୮୭ ମସିହା ଶେଷ ବେଳକୁ ଏହି ଶୀତଳଭଣ୍ଡାର କାର୍ଯ୍ୟ କରିବା ଆରମ୍ଭ କରିଥିଲା। ‌ଏଠାରେ କେବଳ ଝାରସୁଗୁଡ଼ା ନୁହେଁ ବରଂ ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼ର ଆଳୁ ଚାଷୀ ମଧ୍ୟ ସେମାନଙ୍କର ଆଳୁ ସଂରକ୍ଷଣ କରୁଥିଲେ। କିନ୍ତୁ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ହୋଇ ନ ପାରିବାରୁ ୨୦୦୦ ମସିହାଠାରୁ ଏହି ଶୀତଳଭଣ୍ଡାରରେ ତାଲା ଝୁଲିଥିଲା। ଯାହା ଆଜିଯାଏ ଆଉ ଖୋଲିପାରିନି। ବହୁବର୍ଷ ଧରି ବନ୍ଦ ହୋଇପଡ଼ିବା ଯୋଗୁଁ ଏହି ଶୀତଳଭଣ୍ଡାର ମଧ୍ୟରେ ଲାଗିଥିବା ଯନ୍ତ୍ରାଂଶ ଚୋରି ହୋଇଯାଇଥିବା ବେଳେ କିଛି ସ୍ଥାନରେ ଛାତ ମଧ୍ୟ ଭୁଶୁଡ଼ି ପଡ଼ିଲାଣି। ଏଭଳି ସ୍ଥିତିରେ ଏହି ଶୀତଳଭଣ୍ଡାର ମଧ୍ୟକୁ ପ୍ରବେଶ କରିବାକୁ ଲୋକେ ଭୟ କରୁଛନ୍ତି।

ଉଦ୍ୟାନ କୃଷି ବିଭାଗର ତଥ୍ୟ ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାରେ ବାର୍ଷିକ ପ୍ରାୟ ୫୦୦ ଏକର ଜମିରେ ଆଳୁ ଚାଷ ହେଉଛି। ଚଳିତ ବର୍ଷ କେବଳ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୩୦୦ ଏକର ଜମିରେ ଆଳୁ ଚାଷ ପାଇଁ ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଛି। ୨୦୦ ଏକର ସ୍ଥାନରେ ଚାଷୀ ବାହାରୁ ବିହନ ଆଣି ଚାଷ କରିଥିବା ଜଣାପଡ଼ିଛି। ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାରେ ଉଭୟ ଜିଲ୍ଲା ଖଣିଜ ପାଣ୍ଠି ଏବଂ ଓମ୍ବାଡିସି ପାଣ୍ଠିରୁ ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଫଳରେ ପ୍ରାୟ ସବୁ ପଞ୍ଚାୟତରେ ଚାଷୀ ଏହାର ସୁବିଧା ପାଇପାରୁଛନ୍ତି। କିନ୍ତୁ ଝାରସୁଗୁଡ଼ା ସହରର ଥିବା ପୁରାତନ ଶୀତଳଭଣ୍ଡାରଟିକୁ ପୁନରୁଉଦ୍ଧାର କରିବା ଦୂରର କଥା ଜିଲ୍ଲାରେ ଆଉ କିଛି ଶୀତଳଭଣ୍ଡାର ପ୍ରତିଷ୍ଠା ଦିଗରେ ପ୍ରଶାସନର କୌଣସି ଆଗ୍ରହ ନାହିଁ। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୫ ବ୍ଲକ୍‌ରେ ଜିଲ୍ଲା ଖଣିଜ ପାଣ୍ଠିରୁ ୧୦ ମେଟ୍ରିକ୍‌ ଟନ୍‌ ସଂରକ୍ଷଣ ବ୍ୟବସ୍ଥା ଥିବା ୨୦ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ନେଇ ୨୦୨୨ ମସିହାରେ ଉଦ୍ୟାନ କୃଷି ବିଭାଗ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବ ଅନୁସାରେ, ଜିଲ୍ଲା ଖଣିଜ ପାଣ୍ଠି ବୈଠକରେ ବି ଆଲୋଚନା ହୋଇଥିଲା। କିନ୍ତୁ ତା’ ପରଠାରୁ ଫାଇଲ୍‌ ଆଉ ଆଗକୁ ବଢ଼ିପାରିନି। ତେବେ ଜିଲ୍ଲା ଖଣିଜ ପାଣ୍ଠିରୁ ଶୀତଳଭଣ୍ଡାର ବାବଦକୁ ଅର୍ଥ ଖର୍ଚ୍ଚ କରିବାକୁ କମିଟି ଅରାଜି ହେବାରୁ ଏହି ପ୍ରକଳ୍ପ ନାଲିଫିତା ତଳେ ରହିଯାଇଥିବା ସୂଚନା ମିଳିଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରହିଥିବା ବେଳେ କୃଷକଙ୍କ ଉନ୍ନତି ଦିଗରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ପ୍ରଶାସନ କାହିଁକି କୁନ୍ଥକୁନ୍ଥ ହେଉଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।