କଟକ: କଟକ ବଡ଼ ଡାକ୍ତରଖାନାର ନୂଆ କୋଠା ନିର୍ମାଣ ଅବଧିକୁ ଦୁଇ ଠିକାସଂସ୍ଥା ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି। ଚୁକ୍ତି ଖିଲାପ ହେଉଥିବାରୁ ସଂସ୍ଥା ବିରୋଧରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ୨୪୬ କୋଟି ଟଙ୍କା ଜରିମାନା ଲଗାଯାଇଛି। ସେମାନଙ୍କ ବିଲ୍ରୁ ଏହି ଅର୍ଥ କାଟି ଦିଆଯିବ। ଅନ୍ୟପଟେ ୨୦୨୬ ବର୍ଷରେ କାମ ଶେଷ ପାଇଁ ସାନି ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ କରାଯାଇଛି। ବାରମ୍ବାର ଏଭଳି ତାରିଖ ବଦଳୁଥିବାରୁ ଏସ୍ସିବି କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡ ବିନ୍ଧା ବଢ଼ିଯାଇଛି।
କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବାକୁ ରାଜ୍ୟ ସରକାର ମୋଟ ୪ ହଜାର ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ। ଏଥିରେ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଭିତ୍ତିଭୂମି ସ୍ଥାନାନ୍ତର ଇତ୍ୟାଦି ରହିଥିଲା। ତେବେ କୋଠାର ନିର୍ମାଣ ଦାୟିତ୍ବ ନେଇଥିବା ଓବିସିସିକୁ ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଆବାସିକ କୋଠା ନିର୍ମାଣ ପାଇଁ ୮୬୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଡାକ୍ତରଖାନା ନିର୍ମାଣ ପାଇଁ ୨୬୩୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୨୨ ଜାନୁଆରିରେ ଆରମ୍ଭ ହୋଇଥିବା ନିର୍ମାଣ କାମରେ ଏନ୍ସିସିକୁ ଆବାସିକ କୋଠା ନିର୍ମାଣ ଓ ଏଲ୍ଆଣ୍ଡଟିକୁ ଡାକ୍ତରଖାନା କୋଠା ନିର୍ମାଣ ଦାୟିତ୍ବ ଦିଆଯାଇଛି। ହସ୍ପିଟାଲର ୪ଟି କୋଠା ସହିତ ଅତିରିକ୍ତ କୋଠା ୩ଟି ରହିଛି।
ଆବାସିକ କୋଠାକୁ ୨୦୨୬ ଏପ୍ରିଲ୍, ଡାକ୍ତରଖାନାକୁ ୨୦୨୬ ସେପ୍ଟେମ୍ବର କଣ୍ଟ
ଏହାବାଦ୍ ଟାଉନ୍ ସେଣ୍ଟର, ଫାୟାର୍ ସେଣ୍ଟର ଇତ୍ୟାଦି ମଧ୍ୟ ରହିଛି। ସେହିଭଳି ଆବାସିକ କୋଠାରେ ୧୩ଟି ଟାଵାର ରହିଛି। ବିଭିନ୍ନ ପାହ୍ୟାର ଡାକ୍ତରଙ୍କ କ୍ବାର୍ଟର୍ସ, ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍ କ୍ବାର୍ଟର୍ସ, କର୍ମଚାରୀଙ୍କ କ୍ବାର୍ଟର୍ସ ଇତ୍ୟାଦି ରହିଛି। ତେବେ ଆବାସିକ କୋଠା ୨୦୨୪ ଜାନୁଆରି ଓ ଡାକ୍ତରଖାନା ୨୦୨୪ ଜୁଲାଇରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ତାରିଖ ସୁଦ୍ଧା କୋଠା ନିର୍ମାଣ କାମ ଶେଷ ହୋଇପାରିଲା ନାହିଁ। ପ୍ରାୟ ୪ ଥର ତାରିଖ ଘୁଞ୍ଚିସାରିଲାଣି। ନିକଟରେ ଦୁଇଟି ସଂସ୍ଥାକୁ ରାଜ୍ୟ ସରକାର କଡ଼ା ତାଗିଦ କରିଛନ୍ତି। ସାନି ତାରିଖ ଧାର୍ଯ୍ୟ କରାଯାଇଛି। ଏନ୍ସିସିକୁ ୨୦୨୬ ଏପ୍ରିଲ୍ ଓ ଏଲ୍ଆଣ୍ଡଟିକୁ ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏଥିସହିତ ଜରିମାନା ମଧ୍ୟ ଲଗାଯାଇଛି। ଏଲ୍ଆଣ୍ଡଟି ଉପରେ ୧୬୦ କୋଟି ଟଙ୍କା ଏବଂ ଏନ୍ସିସି ଉପରେ ୮୬ କୋଟି ଟଙ୍କାର ଜରିମାନା ଲଗାଯାଇଛି।
ନିୟମ ଅନୁଯାୟୀ, ଯଦି କୌଣସି ଠିକା ସଂସ୍ଥା ସର୍ତ୍ତ ଅନୁଯାୟୀ ଠିକ୍ ସମୟରେ କାମ ଶେଷ ନକଲା ସମ୍ପୃକ୍ତ କମ୍ପାନି ଉପରେ ଚୁକ୍ତି ମୂଲ୍ୟର ୧୦ ପ୍ରତିଶତ ଯାଏଁ ଜରିମାନା ରାଶି ବୃଦ୍ଧି କରାଯାଇପାରିବ। ସେହି ଆଧାରରେ ଓବିସିସି ଏହି ଜରିମାନା ଆଦାୟ କରୁଛି। ଉଭୟ ସଂସ୍ଥାର ନିୟମିତ ବ୍ୟବଧାନରେ ହେଉଥିବା ବିଲ୍ରୁ ଏହି ଜରିମାନା ଆଦାୟ କରାଯାଉଛି। ବାରମ୍ବାର ନିର୍ମାଣ ଅବଧି ଘୁଞ୍ଚାଇବା ଦ୍ବାରା ଦିନକୁ ଦିନ ବଢ଼ୁଥିବା ରୋଗୀସଂଖାକୁ ମୁକାବିଲା କରିବାରେ ବଡ଼ ଆହ୍ବାନ ସୃଷ୍ଟି ହେଉଛି।