ପ୍ରଥମ ଡୋଜ୍ ଟିକାକରଣ ଅବଧି ବଢ଼ିବ, ୩ ଦିନରେ ୩୬% ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାଦାନ

୭୯% ସ୍ବାସ୍ଥ୍ୟକର୍ମୀ ନେଇ ସାରିଲେଣି ଟିକା

ଭୁବନେଶ୍ବର: ରାଜ୍ୟରେ ଯେତିକି ସ୍ବାସ୍ଥ୍ୟକର୍ମୀ ଟିକାନେବା ପାଇଁ ପଞ୍ଜୀକୃତ ହୋଇଛନ୍ତି ତହିଁରୁ ୭୯.୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ତଥାପି ଆହୁରି ୬୯,୩୧୪ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପାଇଁ ରହିଛନ୍ତି। ଆସନ୍ତାକାଲି ମଧ୍ୟ ଟିକାକରଣ ହେଉଥିବା ବେଳେ ଗୋଟିଏ ଦିନରେ ଏତେ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଏକପ୍ରକାର ଅସମ୍ଭବ। ତେଣୁ ଟିକାକରଣ ଅବଧିକୁ ଆହୁରି କିଛିଦିନ ପାଇଁ ବଢ଼ାଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ଆସନ୍ତାକାଲି ସୁଦ୍ଧା ସମସ୍ତ ପଞ୍ଜୀକୃତ ସ୍ବାସ୍ଥ୍ୟକମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହା ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ କରିବା ଲାଗି ଏହାକୁ ବୃଦ୍ଧି କରିବା ଲାଗି ଯୋଜନା ହୋଇଛି। ଟିକାକରଣ ଅବଧିକୁ କେତେଦିନ ବଢ଼ାଯିବ ତାହା ସ୍ଥିର ହୋଇ ନ ଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ଆଜି ରାଜ୍ୟରେ ୯୧ ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି। ୨୫୬ ଅଧିବେଶନରେ ୨୯,୨୬୯ ସ୍ବାସ୍ଥ୍ୟକର୍ମୀ/ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୬,୫୨୯ ବ୍ୟକ୍ତି ଟିକା ନେଇଛନ୍ତି।

୧୦ଟି ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ କରାଯାଇଛି। ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ଶହ ପ୍ରତିଶତରୁ ଅଧିକ ଲୋକ ଟିକା ନେଇଛନ୍ତି। କୌଣସି ବ୍ୟକ୍ତିଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଏ ଯାଏଁ ରାଜ୍ୟରେ ୨ଲକ୍ଷ ୬୯ହଜାର ୩୮୬ଜଣ ସ୍ବାସ୍ଥ୍ୟକର୍ମୀ ଓ ୭୨,୮୬୮ ଆଗଧାଡ଼ିର ଯୋଦ୍ଧା ଟିକା ନେଇ ସାରିଲେଣି। ପଞ୍ଜୀକୃତ ୨ଲକ୍ଷ ୪ହଜାର ୪୬୯ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୩୬ ପ୍ରତିଶତ ‌ଯୋଦ୍ଧା ଟିକା ନେଇଛନ୍ତି। ଗଞ୍ଜାମରେ ସର୍ବାଧିକ ୭୯୮୮ଜଣ, ମୟୂରଭଞ୍ଜ ୫୮୮୭, କୋରାପୁଟ ୪୬୭୮ ଓ ନୂଆପଡ଼ାରେ ୫୬୧ଜଣ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର