ଉଦ୍‌ଘାଟିତ ହେଲା ଇ-ଫାଇଲିଂ ଷ୍ଟେସନ୍‌, କୋର୍ଟ ନ ଆସି ଘରେ ବସି ମାମଲା ଦାଖଲ କରିହେବ

ଉଚ୍ଚନ୍ୟାୟାଳୟ ପକ୍ଷରୁ ମହାରାଷ୍ଟ୍ର, କେରଳ ଓ ଓଡ଼ିଶାରେ ଆରମ୍ଭ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନ୍ୟାୟାଳୟରେ ଇ-ଫାଇଲିଂ ଷ୍ଟେସନ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଷ୍ଟେସନ୍‌କୁ ଉଚ୍ଚନ୍ୟାୟାଳୟର ବିଚାରପତି ଏନ୍‌ଭି ରାମନା, ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧରନ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିଥିଲେ। ଏହି ଷ୍ଟେସନ୍‌ ଦ୍ବାରା ଲୋକେ ନ୍ୟାୟାଳୟକୁ ନ ଆସି ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ମାମଲା କରିପାରିବେ। ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହୋଇପାରିବ। ସେହିପରି ଏହାଦ୍ବାରା ଇ-ଫାଇଲିଂ ମାମଲାରେ ଅପଲୋଡ୍‌ ହୋଇଥିବା ଆଦେଶ/ବିଚାର ଗୁଡ଼ିକ ସ୍ବୟଂଚାଳିତ ଭାବେ ଆଇନଜୀବୀଙ୍କୁ ସୂଚିତ କରାଯାଉଛି। ଟାଡା ଏଣ୍ଟ୍ରି ତ୍ରୁଟିକୁ କମ୍‌ କରିବା ଏବଂ ଏଥିରେ ସ୍ବଚ୍ଛ ଏବଂ ଦ୍ରୁତ ପ୍ରକ୍ରିୟା ହୋଇପାରିବ।

ଯଦି କୌଣସି ଅସୁବିଧା ହେ‌ଲେ ଷ୍ଟେସନ୍‌ରେ ନିୟୋଜିତ କର୍ମଚାରୀଙ୍କ ସହାୟତାରେ ଅନ୍‌ଲାଇନରେ କେସ୍‌ ଫାଇଲ୍‌ କରିପାରିବ। ବାଲେଶ୍ବରରେ ପ୍ରଥମକରି ଏହି ଷ୍ଟେସନ୍‌ ଖୋଲାଯାଇଛି। ଉଚ୍ଚନ୍ୟାୟାଳୟ ପାଇଲଟ୍‌ ପ୍ରୋଜେକ୍ଟ ହିସାବରେ ଏହି ଷ୍ଟେସନ୍‌ କେରଳ, ଓଡ଼ିଶା ଓ ମହାରାଷ୍ଟ୍ରରେ ଆରମ୍ଭ କରିଛନ୍ତି। ସେହିପରି କୋର୍ଟ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ସାଧାରଣତଃ ଅପରାଧୀକୁ ବହୁ ଲୋକ ଡରି କୋର୍ଟକୁ ସାକ୍ଷୀ ଦେବାକୁ ଆସନ୍ତି ନାହିଁ। ଏହାକୁ ଦୃଷ୍ଟି ରଖି କୋର୍ଟ ପକ୍ଷରୁ ଭର୍ଚୁଆଲ ମୋର୍ଡରେ ସାକ୍ଷୀ ଦେବାର ବ୍ୟବସ୍ଥା କରାଯାଇଛି। ଏହା କେବଳ କୋର୍ଟର ବିଚାରପତି ଚାହିଁଲେ ହିଁ ହୋଇପାରିବ। ‌ଏଥିପାଇଁ କୋର୍ଟ ପରିସରରେ ଏକ ସେଣ୍ଟର ତିଆରି ହୋଇଛି। ସାକ୍ଷୀ ଦେବା ଲୋକ ଏଠାକୁ ଆସି ଭର୍ଚୁଆଲ ମୋଡରେ ସାକ୍ଷୀ ଦେଇପାରିବ।

ସମ୍ବନ୍ଧିତ ଖବର