ଝାରସୁଗୁଡ଼ା: ପ୍ରତିବର୍ଷ ଖରାଦିନରେ ଜଳ ସଂକଟ ଏଡ଼ାଇବା ପାଇଁ ଇବ୍ନଦୀରେ ନିର୍ମାଣ କରାଯାଉଥିବା ବାଲିବନ୍ଧ ଏବର୍ଷ ମୌସୁମି ଆସି ନଥିବା ବେଳେ ହଠାତ ଭାଙ୍ଗି ଯିବା ନେଇ ସହ ସୃଷ୍ଟି ହୋଇଛି। ମୌସୁମି କେବେ ଆସିବ ସେ ନେଇ କୌଣସି ଉପଯୁକ୍ତ ତଥ୍ୟ ଏ ପର୍ଯ୍ୟନ୍ତ ମିଳି ନଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ଜଳାଭାବ ଏବେ ଗାଁରୁ ସହର ସବୁଆଡ଼େ ଲାଗି ରହିଛି। କୂଅ, ପୋଖରୀ, ନାଳ କେଉଁଠି ମଧ୍ୟ ଆଉ ଟୋପାଏ ପାଣି ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ଜଳକଷ୍ଟ କିଛି ମାତ୍ରାରେ ଦୂର କରୁଥିବା ଇବ୍ ନଦୀର ବାଲିବନ୍ଧ ଭୁଶୁଡ଼ି ପଡ଼ିବା ପଛରେ ମାଫିଆରାଜ କଥା ଏବେ ଚର୍ଚ୍ଚାକୁ ଆସିଛି। ବ୍ରଜରାଜନଗର ନିର୍ବାଚନ ପୂର୍ବ ଦିନ ଗଣ୍ଡଘୋରାଠାରେ ଥିବା ଏହି ବାଲିବନ୍ଧ ହଠାତ୍ ଭୁଶୁଡ଼ି ପଡ଼ି ସବୁ ପାଣି ନଦୀରେ ବୋହି ଯାଇଥିବା ଜଣାଯାଇଛି।
ଦୀର୍ଘ ଦିନ ଧରି ପାଣି ଭରି ରହିଥିବା ବେଳେ ଗତକାଲି ନଦୀରେ ଆଉ ମୁନ୍ଦିଏ ମଧ୍ୟ ପାଣି ନଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ପ୍ରଶାସନର ସହଯୋଗରେ ଏମ୍ସିଏଲ୍ ଦ୍ବାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଇବ୍ ନଦୀର ଗଣ୍ଡଘୋରା ଓ ରାଜପୁରଠାରେ ଏହି ବାଲିବନ୍ଧ ନିର୍ମାଣ କରାଯାଇଥାଏ। ବନ୍ଧ ଯୋଗୁଁ ସ୍ଥାନୀୟ ଗ୍ରାମାଞ୍ଚଳ ସମେତ ବ୍ରଜରାଜନଗର ସହରକୁ ମଧ୍ୟ ଜଳଯୋଗାଣ ହୋଇଥାଏ। ମହାନଦୀ ଜଳ ବିବାଦକୁ ନେଇ ଗତ କିଛି ବର୍ଷ ଧରି ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ମହାନଦୀରେ ଜଳ ପ୍ରବାହରେ ଛତିଶଗଡ଼ ବାଧକ ସାଜିଥିବା ନେଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗତ ୨୦୧୮ ମେ ୧୬ ରେ ସୁଖାସୋଡ଼ାଠାରେ ମହାନଦୀ ବଞ୍ଚାଓ ଦ୍ବିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ନିର୍ବାଚନ ପରେ ଏହି ଆନ୍ଦୋଳନ ଧିମା ପଡ଼ି ଯାଇଥିଲା।
ଏବେ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ପୁଣି ଏହି ପ୍ରସଙ୍ଗକୁ କିଛି ସଂଗଠନ ଓ ରାଜନୈତିକ ଦଳ ଉଠାଇଥିଲେ। ମହାନଦୀକୁ ହତ୍ୟା କରାଯାଉଥିବା ନେଇ ଜଳ ପୁରୁଷ ରାଜେନ୍ଦ୍ର ସିଂ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ। ମହାନଦୀ ପରେ ଇବ୍ନଦୀକୁ ଶୁଖାଇବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ମଧ୍ୟ ବିଜେଡି ପକ୍ଷରୁ ଅତୀତରେ ଅଭିଯୋଗ କରାଯାଇଥିଲା। ସେହିପରି ଶୁଖିଲା ଇବ୍ନଦୀର ଗଭୀର ପ୍ରଭାବ ବ୍ରଜରାଜନଗର ଅଞ୍ଚଳରେ ସିଧାସଳଖ ପଡ଼ିବ ବୋଲି ଶାସକ ବିଜେଡି ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା। ଏହା ମଧ୍ୟରେ ସାଧାରଣ ଓ ଉପନିର୍ବାଚନ ସରିଯାଇଛି। ଆନ୍ଦୋଳନ ମଧ୍ୟ ଥମି ଯାଇଛି ହେଲେ ଖରାଦିନେ ବ୍ରଜରାଜନଗର ଅଞ୍ଚଳବାସୀଙ୍କ ପାଇଁ ଜଳସଂକଟ ଯେଉଁଠି କି ସେଇଠି ରହିଛି। ଏଥର ପୂର୍ବବର୍ଷ ଅପେକ୍ଷା ଅଞ୍ଚଳବାସୀ ସାଂଘାତିକ ଜଳକଷ୍ଟ ମଧ୍ୟରେ ଗତି କରୁଥିବା ଅଭିଯୋଗ ହୋଇଛି। ରାଜପୁର ଦେଓଗାଁ ଓ ଗଣ୍ଡଘୋରା ବୁଢୀପଦରରେ ନିର୍ମାଣ କରାଯାଇଥିବା ବାଲିବନ୍ଧ ପ୍ରତିବର୍ଷ ଏହି ସମୟରେ ବିନା ବର୍ଷାରେ ଭାଙ୍ଗି ଯାଉଥିବା ପଛରେ ମାଫିଆରାଜ ଥିବା କୁହାଯାଉଛି।
ଗତ ମାସ ରାଜପୁର ବାଲିବନ୍ଧ ଭାଙ୍ଗିଥିବା ବେଳେ ଏବେ ଗଣ୍ଡଘୋରା ବାଲିବନ୍ଧ ଭାଙ୍ଗି ଯାଇଛି। ଓପିଏମ ଆରମ୍ଭରୁ ଇବ୍ନଦୀରେ ପ୍ରତିବର୍ଷ ବାଲିବନ୍ଧ ନିର୍ମାଣ କରାଯାଇ ଖରାଦିନରେ ଜଳ ସଂଚୟ କରାଯାଇ ଆସୁଛି। ତେବେ ଚଳିତବର୍ଷ ଏହି ଧାରା ବାଧାପ୍ରାପ୍ତ ହୋଇଥିଲା। ନଭେମ୍ବର-ଡିସେମ୍ବର ମାସରେ ବାଲିବନ୍ଧ ନିର୍ମାଣ କରାଯାଇ ପାଣି ସଞ୍ଚୟ କରାଯାଉଥିବା ବେଳେ ଏବର୍ଷ ଏହା ଏପ୍ରିଲ ମାସରେ ନିର୍ମାଣ କରାଯାଇଥିଲା। ମଇ ମାସ ସରି ନଥିବା ବେଳେ ଏହା ପୁଣି ଭୁଶୁଡ଼ି ପଡ଼ିଛି। ଇବ୍ନଦୀ ଉପର ମୁଣ୍ଡରେ ଏକାଧିକ ସ୍ଥାନରୁ ମେସିନ୍ ଯୋଗେ ବାଲି ଖନନ କରାଯାଇ ଅହରହ ବାଲି ପରିବହନ କରାଯାଇଥାଏ। ବାଲିବନ୍ଧର ସଞ୍ଚିତ ଜଳ ବାଲି ସଇରାତ ଉପରେ ମାଡ଼ିଯିବା ଓ ବାଲି ଉତ୍ତୋଳନ ପରିବହନରେ ବାଧା ସୃଷ୍ଟି ଆଶଙ୍କାରେ ଯୋଜନାବଦ୍ଧ ଭାବରେ ବାଲିବନ୍ଧକୁ ଭାଙ୍ଗି ଦିଆଯାଉଥିବା ଅଭିଯୋଗ ହେଉଛି। ଅପରପକ୍ଷେ ଇବ୍ନଦୀର ଜଳସ୍ରୋତ ସାଂଘାତିକ ଭାବେ କମିବାରେ ଲାଗିଛି। ଏବେ ଉପରମୁଣ୍ଡରେ ବର୍ଷା ମଧ୍ୟ ହେଉ ନଥିବାରୁ ବାଲିବନ୍ଧ ମରାମତି କଲେ ମଧ୍ୟ ପୁଣି ଥରେ ପାଣି ଭର୍ତ୍ତି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
Follow Us