ଜଟଣୀ: ଜଟଣୀ ପୌରପାଳିକା ନିର୍ମାଣ କରିଥିବା ମା’ ଦକ୍ଷିଣକାଳୀ ଭେଣ୍ଡିଂ ଜୋନ୍‌ରେ ଭଡ଼ା ନେଇଥିବା ବ୍ୟବସାୟୀମାନଙ୍କ ବିଚିତ୍ର ମାନସିକତା ପାଇଁ ବର୍ଷେ ହେଲା ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ୪୮ଜଣ ବ୍ୟବସାୟୀ ଏହି ଭେଣ୍ଡିଂ ଜୋନ୍‌ରେ ଦୋକାନ ଭଡ଼ାକୁ ନେଇଥିଲେ ମଧ୍ୟ ରାସ୍ତାକଡ଼ ଛାଡ଼ୁନାହାନ୍ତି। ସିକ୍ୟୁରିଟି ବାବଦରେ ୫୦ ହଜାର ଟଙ୍କା ଦେବା ସହ ଭଡ଼ା ବାବଦରେ ମାସିକ ୫ ଶହ ଟଙ୍କା ଗଣୁଥିଲେ ବି ରାସ୍ତା କଡ଼ରେ ପସରା ମେଲାଇ ବସୁଛନ୍ତି। ଫଳରେ ସହରର ସବୁଠୁ ଜନଗହଳିପୂର୍ଣ୍ଣ ହରି ଭାଇନା ଛକରେ ରାସ୍ତା ଜାମ୍‌ରୁ ମୁକୁଳି ପାରୁନାହାନ୍ତି ଜଟଣୀ ସହରବାସୀ। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ‌ପୌରପାଳିକା କର୍ତ୍ତୃପକ୍ଷ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Advertisment

ସୂଚନାଯୋଗ୍ୟ ଯେ ୯ ନମ୍ବର ୱାର୍ଡ ଅଧୀନରେ ଏହି ଭେଣ୍ଡିଂଜୋନ୍‌ ରହିଛି। ରାସ୍ତାକଡ଼ର ଉଠା ଦୋକାନୀଙ୍କୁ ଥଇଥାନ କରିବା ସହ ରାସ୍ତାରୁ ଭିଡ଼ ହଟାଇବାକୁ ପୌରପାଳିକା ପକ୍ଷରୁ ୫୮ଲକ୍ଷ ଟଙ୍କା ବ୍ୟୟରେ ଏହି ଭେଣ୍ଡିଂ ଜୋନ୍‌ରେ ୪୮ଟି ଦୋକାନ ଘର ନିର୍ମାଣ କରାଯାଇଛି। ୨୦୨୨ ମାର୍ଚ୍ଚ ମାସରେ ଦୋକାନ ଘରସବୁକୁ ଭଡ଼ାରେ ଦେବା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ସମସ୍ତ ସର୍ତ୍ତ ପୂରଣ କରୁଥିବା ୪୮ଜଣ ଦୋକାନୀ ଏହି ଭେଣ୍ଡିଂ ଜୋନ୍‌ରେ ଦୋକାନ ଘର ଭଡ଼ାରେ ନେଲେ। ଗୋଟିଏ ଦୋକାନ ପିଛା ସିକ୍ୟୁରିଟି ବାବଦକୁ ୫୦ ହଜାର ଓ ମାସିକ ଭଡ଼ା ୫ଶହ ଟଙ୍କା ପାଇଁ ଧାର୍ଯ୍ୟ କରାଯାଇଥିଲା। ୪୮ଜଣଯାକ ବେପାରୀ ଅଗ୍ରିମ ସିକ୍ୟୁରିଟି ଟଙ୍କା ଦେଇ ଦୋକାନ ଘର ବୁକ୍‌ କରିଥିଲେ। ସେମା‌ନେ ପ୍ରତିମାସରେ ଭଡ଼ା ମଧ୍ୟ ଗଣୁଛନ୍ତି। ହେଲେ ବର୍ଷେ ହେଲା ସେମାନେ ରାସ୍ତାକଡ଼ ଛାଡ଼ି ଭେଣ୍ଡିଂଜୋନ୍‌କୁ ଯାଉନାହାନ୍ତି। ଦୋକାନ ଘରଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଭେଣ୍ଡିଂଜୋନ୍‌ ବୁଲାଗୋରୁଙ୍କ ଆଶ୍ରୟସ୍ଥଳ ପାଲଟିଛି। ସେଠାରେ ନିଶାଡ଼ିଙ୍କ ଆସର ଜମୁଛି। ଏହା ଭିତରେ ଏକଦା ପୌରପାଳିକା ପକ୍ଷରୁ ଉଠା ଦୋକାନୀମାନଙ୍କୁ ରାସ୍ତା କଡ଼ରୁ ଉଠାଇ ଦିଆଯାଇଥିଲା। ଭିଡ଼ ହେଉଥିବା ଅଭିଯୋଗ ପରେ ପୌରପାଳିକା ଏହି ପଦକ୍ଷେପ ନେଇଥିଲା। ତଥାପି ଦୋକାନୀମାନେ ଭେଣ୍ଡିଂ ଜୋନ୍‌କୁ ଗଲେ ନାହିଁ। ମାତ୍ର ଦିନ କେଇଟା ପରେ ସେମାନେ ପୁଣି ରାସ୍ତାକଡ଼ରେ ପସରା ମେଲାଇ ବସିଗଲେ।

ଭେଣ୍ଡିଂ ଜୋନ୍‌ରେ ଭଡ଼ା ନେଇଥିବା ଦୋକାନୀମାନଙ୍କ କହିବା କଥା, ବସ୍‌ଷ୍ଟାଣ୍ଡ ବନ୍ଦ ଥିବାରୁ ସେଠାକୁ ଲୋକମାନଙ୍କ ଚଳପ୍ରଚଳ ନାହିଁ। ତେଣୁ ସେଠାକୁ ଗଲେ ବେପାର ନ ହେବାର ଆଶଙ୍କା ରହିଛି। ଭବିଷ୍ୟତକୁ ଆଖିରେ ରଖି ଦୋକାନ ଘର ଭଡ଼ା ନେଇଛୁ। ଏବେ ସେଠାକୁ ଯିବୁ ନାହିଁ। ଏ ନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି ଯେ ଦୋକାନୀମାନଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସେମାନେ ରାସ୍ତାକଡ଼ ଛାଡ଼ୁନାହାନ୍ତି। ଆଗାମୀ ୭ଦିନ ମଧ୍ୟରେ ସେମାନେ ଭେଣ୍ଡିଂ ଜୋନ୍‌ରେ ଦୋକାନ ନ ଖୋଲିଲେ, ନୂଆ ବିଜ୍ଞାପନ ଦିଆଯିବ ଏବଂ ନୂଆ ବେପାରୀଙ୍କୁ ଦୋକାନ ଆଲଟ୍‌ କରାଯିବ। କେବଳ ସେତିକି ନୁହେଁ, ପୂର୍ବରୁ ଦୋକାନ ନେଇଥିବା ବ୍ୟବସାୟୀମାନଙ୍କ ସିକ୍ୟୁରିଟି ଟଙ୍କା ବାଜ୍ୟାପ୍ତି କରାଯିବ।