ରାଜନଗର: ବଙ୍ଗୋପସାଗର କୂଳ ଲଙ୍ଘୁଛି। ବିଶ୍ୱ ତାପନ ଓ ସୁନାମି ଆସିବା ପରଠାରୁ ସମୁଦ୍ର ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଜନବସତିକୁ ମାଡ଼ି ଆସିବାରୁ ସାରା ବିଶ୍ୱରେ ପ୍ରଥମଥର ପାଇଁ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ସେହି ସାତଭାୟାରୁ ଏକକୂଳା ଯାଏଁ ୧୨ କିମି ଅଞ୍ଚଳରେ ସମୁଦ୍ର ତା’ର ତାଣ୍ଡବ ରଚିବାରେ ଲାଗିଛି। ପ୍ରାୟ ପ୍ରତିଦିନ ବାଲିମେଦ ଓ ମାଟିକୁ ଭସାଇ ନେବା ସହ ଲୁଣା ଜଙ୍ଗଲକୁ ଗ୍ରାସ କରି ଚାଲିଛି। ୨୦୦୦ ମସିହାରେ ସୁନାମି ଆସିବା ପରଠାରୁ ପେଣ୍ଠ ନିକଟରେ ବଙ୍ଗୋପସାଗର କୂଳ ଖାଇ ଗାଁ ମୁହାଁ ହୋଇଛି। ୨୦୧୬ ଭିତରେ ୩ କିମି ବାଲିପଠାକୁ ଗର୍ଭସ୍ଥ କରିବା ସହ ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର ୮୦୦ ମିଟର ବନ୍ଧକୁ ଧୋଇ ନେଇଥିଲା।
ପେଣ୍ଠ ଓ ସାତଭାୟାରେ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ
ଏହାପରେ ପେଣ୍ଠ ନିକଟରେ ସମୁଦ୍ର ଜୁଆରକୁ ଅଟକାଇବା ପାଇଁ ଓଡ଼ିଶାର ପ୍ରଥମ ଜିଓ ସିନ୍ଥେଟିକ୍ ସି’ୱାଲ୍ ନିର୍ମାଣ କରାଯାଇଛି। ଜିଓ ସିନ୍ଥେଟିକ୍ ସି’ୱାଲ୍ ନିର୍ମାଣ ପରେ ପେଣ୍ଠ ନିକଟରେ ସମୁଦ୍ରରେ ଥିବା ଅଗରନାସୀ ଦ୍ବୀପ ସମୁଦ୍ରରେ ଲୀନ ହୋଇଯାଇଛି। ସି’ୱାଲ୍ ବା ପଥର ପ୍ୟାକିଂ ସେହି ସ୍ଥାନକୁ ସୁରକ୍ଷା ଦେଉଥିଲା ବେଳେ ଅନ୍ୟପଟେ ସମୁଦ୍ର ତଟକୂଳ କ୍ଷୟ ହୋଇଚାଲିଛି। ଆଜି ଦୁଇଜଣିଆ ବିଶେଷଜ୍ଞ ଦଳ ଏହି ସ୍ଥିତି ଅନୁଧ୍ୟାନ କରିବା ସହ ପେଣ୍ଠ ସମୁଦ୍ରକୂଳ ଓ ଜିଓ ସିନ୍ଥେଟିକ୍ ସି’ୱାଲ୍ ଦେଖିଛନ୍ତି। ପ୍ରତିନିଧି ଦଳରେ ଥିବା କୋଷ୍ଟାଲ୍ ଇଞ୍ଜିନିୟର ଡକ୍ଟର ଯୋସେଫ୍ ମାଥ୍ୟୁ, ସମନ୍ୱିତ ପରିବେଶ ଓ ଜୀବିକା ବିଶେଷଜ୍ଞ ଡକ୍ଟର ଅଜିତ ପଟ୍ଟନାୟକ ସାତଭାୟା ବଙ୍ଗୋପସାଗର କୂଳରେ ପହଞ୍ଚି ସାତଭାୟାର ତଟବର୍ତ୍ତୀ ଜଳବାୟୁ ଓ ବିପର୍ଯ୍ୟୟ ପ୍ରତିରୋଧୀ ପ୍ରକଳ୍ପ ବୁଲି ଦେଖିଛନ୍ତି। ସାତଭାୟା ଓ ପେଣ୍ଠରେ ସ୍ଥିତି ଅନୁଧ୍ୟାନ ପରେ ପ୍ରତିନିଧି ଦଳ ବାଲେଶ୍ବର ଚାନ୍ଦିପୁର ବେଳାଭୂମିର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଛନ୍ତି ବୋଲି ଆଳି ତଟବନ୍ଧ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜନଗର ତଟବନ୍ଧର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ ସ୍ବାଇଁ, ସହକାରୀ ଯନ୍ତ୍ରୀ ଭଞ୍ଜକିଶୋର ରାଉତ, ରବୀନ୍ଦ୍ରନାଥ ସାମଲ ପ୍ରମୁଖ ପ୍ରତିନିଧି ଦଳକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହି ଟିମ୍ ଉପକୂଳରେ ଉଗ୍ରମୁଖା ସମୁଦ୍ର ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସମୁଦ୍ର ଉପକୂଳରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/26/HXbmzd0qfN0v7rih5DZB.jpg)