ବର୍ଷାର ପ୍ରଭାବ: କେଉଁଠି କେମିତି?

ହୀରାକୁଦରେ ବଢ଼ିଲା ଜଳବିଦ୍ୟୁତ୍‌ ଉତ୍ପାଦନ, ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ

ସମ୍ବଲପୁର : ଗତ ସପ୍ତାହେ ମଧ୍ୟରେ ହୀରାକୁଦ ଉପରେ ମୁଣ୍ଡରେ ପ୍ରାକ୍‌ ମୌସୁମୀ ବର୍ଷା ହେବା ଫଳରେ ଇନ୍‌ଫ୍ଲୋ ବଢ଼ିବା ସହ ହୀରାକୁଦ ଜଳଭଣ୍ଡାର ପରିଚାଳିତ ଉଭୟ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇଛି।

ଗତ ୧୯ ତାରିଖ ଦିନ ବୁର୍ଲା ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ ଶୂନ ହୋଇ ଯାଇଥିଲା। ଚିପିଲିମାରୁ ହାରାହାରି ୧.୨୦୮୩ ମେଗାୱାଟ୍ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥିଲା। ରାଜ୍ୟର ଦୁଇ ପୁରାତନ ଜଳ ବିଦ୍ୟୁତ୍‌ କେନ୍ଦ୍ର ବୁର୍ଲା ଓ ଚିପିଲିମାରୁ ବିଦ୍ୟୁତ୍‌ ଉତ୍ପାଦନ ଠପ୍‌ ହେବା ନେଇ ‘ସମ୍ବାଦ’ ଏକାଧିକ ଖବର ପ୍ରକାଶିତ ହୋଇଥିଲା। ଫଳରେ ଗଲା ଦୁଇଦିନରେ ବନ୍ଧ କର୍ତ୍ତୃପକ୍ଷ ଜଳଭଣ୍ଡାରକୁ ଆସିଥିବା ଅତିରିକ୍ତ ଜଳକୁ ପାୱାର ଚାନେଲ୍‌ରେ ଛାଡ଼ିଛନ୍ତି। ତେଣୁ ବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ପାଇଛି। ୨୨ ତାରିଖ ବୁଧବାର ଦିନ ବୁର୍ଲା କେନ୍ଦ୍ରରୁ ହାରାହାରି ୪୯.୫୪୨ ମେଗାୱାଟ୍ ଓ ଚିପିଲିମା କେନ୍ଦ୍ରରୁ ହାରାହାରି ୩୮.୮୭୫ ମୋଗୱାଟ୍ ବିଦ୍ୟୁତ୍‌ ଉତ୍ପାଦିତ ହୋଇଛି। ଫଳରେ ୧୯ ତାରିଖର ୧.୨୦୮୩ ମେଗାୱାଟ୍‌ରୁ ବୃଦ୍ଧି ପାଇ ଏହା ୨୨ ତାରିଖକୁ ୮୮.୭୧୪ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ସମ୍ଭବ ହୋଇଛି। ୨୧ ତାରିଖରେ ଉଭୟ କେନ୍ଦ୍ରରୁ ଯଥାକ୍ରମେ ୪୬.୧୨୫ ମେଗାୱାଟ୍ ଓ ୧୫.୫୮୩ ମେଗାୱାଟ୍ ବିଦ୍ୟୁତ୍‌ ଉତ୍ପାଦନ ହୋଇଥିଲା। ସେହିପରି ୨୦ ତାରିଖରେ ଏହି ପରିମାଣ ଥିଲା ୧୮.୮୩୩ ଓ ୨.୨୫୦ ମେଗାୱାଟ୍। ଗତ ୩ ଦିନ ଧରି ବିଦ୍ୟୁତ୍‌ ଉତ୍ପାଦନ ଲଗାତାର ବୃଦ୍ଧି ପାଇଛି।

ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦ ତାରିଖରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଥିଲା।

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ
ନବରଙ୍ଗପୁର : ବର୍ଷା କମିବାରୁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଜଳଭଣ୍ଡାର ଜଳସ୍ତର ହ୍ରାସ ପାଇଛି। ଉପରମୁଣ୍ଡରେ ପର୍ଯ୍ୟାପ୍ତ ବର୍ଷା ହୋଇ ନଥିବାରୁ ପୋତି ହେଉଥିବା ଜଳଭଣ୍ଡାରରେ ଜଳ ସଂକଟ ସୃଷ୍ଟି ହୋଇଛି। ବିଦ୍ୟୁତ ସଂକଟର ବି ଆଭାସ ଦେଉଛି। ଜଳଭଣ୍ଡାର ଜଳସ୍ତର ୬୪୨ ମିଟର ପର୍ଯ୍ୟନ୍ତ ରହିପାରିବ ଏବଂ ଜଳଧାରଣ କ୍ଷମତା ୧ଲକ୍ଷ ୪୮ହଜାର ୫୫୦ ଘନମିଟର। ତେବେ ଆଜି ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୯.୩୬ ମିଟର ରହିଛି। ସେହିପରି ୨୮୭୩୮ ଘନମିଟର ଜଳ ଗଚ୍ଛିତ ହୋଇ ରହିଛି। ବର୍ତ୍ତମାନ ଜଳଭଣ୍ଡାର କ୍ଷମତାର ମାତ୍ର ୧୯.୩୪ ପ୍ରତିଶତ ଜଳ ଗଚ୍ଛିତ ରହିଥିବା ଜଣାପଡ଼ିଛି।

ଗତବର୍ଷ ଆଜିର ତାରିଖରେ ଜଳଭଣ୍ଡାର ଜଳସ୍ତର ୬୩୦ .୨୮ ମିଟର ଏବଂ ୩୫୫୫୨ ଘନମିଟର ଜଳ ଗଚ୍ଛିତ ରହିଥିଲା। ଜଳଭଣ୍ଡାରର କ୍ଷମତାର ପ୍ରାୟ ୨୪ ପ୍ରତିଶତ ଜଳ ରହିଥିଲା। ଚଳିତ ବର୍ଷ ସ୍ଥିତି ବିଗିଡ଼ି ଆହୁରି ପ୍ରାୟ ୫ ପ୍ରତିଶତ କମ ପାଣି ଗଚ୍ଛିତ ରହିଛି। ଇନ୍ଦ୍ରାବତୀ ପ୍ରକଳ୍ପ ଉପରମୁଣ୍ଡକୁ ଲାଗି ରହିଥିବା କଳାହାଣ୍ଡି, କୋରାପୁଟ, କାଶୀପୁର, ନବରଙ୍ଗପୁର, ଥୁଆମୂଳ ରାମପୁର ଅଞ୍ଚଳର ୨୬୩୦ ବର୍ଗ କିଲୋମିଟର ଅଞ୍ଚଳରେ ବର୍ଷା ହେଲେ ନିଷ୍କାସିତ ପାଣି ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଳଭଣ୍ଡାର ମଧ୍ୟରେ ଗଚ୍ଛିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜାନୁଆରିରୁ ଜୁନ୍‌ ମାସରେ ଆଜି ସୁଦ୍ଧା ମାତ୍ର ୪୪୦ମିମି ବର୍ଷା ହୋଇଛି। ଯାହାଫଳରେ ଜଳଭଣ୍ଡାର ଧୀରେ ଧୀରେ କିମିବା ପରେ ଏବେ ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି। ଏପରିକି ଜଳସ୍ତର କମିବା ପରେ ବିଦ୍ୟୁତ ଉତ୍ପାଦନ ବି ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର