କେନ୍ଦୁଝର: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି ‘ଅଣ୍ଡା। ପ୍ରତି ମାସରେ ଅଣ୍ଡା ପାଇଁ ସରକାର ଯେତିକି ଟଙ୍କା ଦେଉଛନ୍ତି, ତାହାଠାରୁ ଅଧିକ ମୂଲ୍ୟରେ କିଣୁଛନ୍ତି ଅଙ୍ଗନବାଡ଼ି କର୍ମୀ। ଦିନେ କି ଦୁଇଦିନ ନୁହେଁ ମାସମାସ ଧରି ଅଙ୍ଗନବାଡ଼ି କର୍ମୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
କେନ୍ଦୁଝର ଜିଲ୍ଲାର ୨୯୭ଟି ପଞ୍ଚାୟତରେ ରହିଛି ୨୧୩୭ଟି ଗାଁରେ ରହିଛି ୩୨୫୭ଟି ଅଙ୍ଗନବାଡ଼ି କେନ୍ଦ୍ର। ଅଙ୍ଗନବାଡ଼ି କେନ୍ଦ୍ରରେ ସବୁଦିନେ ସକାଳ ଜଳିଖିଆ ଓ ମଧ୍ୟାହ୍ନରେ ଅଣ୍ଡା ତରକାରି ସହ ମଧ୍ୟାହ୍ନଭୋଜନ ଦେବାର ବ୍ୟବସ୍ଥା ରହିଛି। ଏସବୁ ପାଇଁ ସରକାର ଦେଉଛନ୍ତି ୭ ଟଙ୍କା ୭୦ ପଇସା। ଏଥିରୁ ୩୦ ପଇସା ଜାଳେଣି ଗ୍ୟାସ୍‌ ବାବଦକୁ ଯାଉଥିବା ବେଳେ ବଳୁଛି ୭ ଟଙ୍କା ୪୦ ପଇସା। ସକାଳେ ପିଲାଙ୍କୁ ମୁଗଗଜା କିମ୍ବା ଚୁଡାଲଡ଼ୁ ଦିଆଯାଉଛି। ମଧ୍ୟାହ୍ନରେ ଅଣ୍ଡା ତରକାରି ଓ ଭାତ ଖାଇବାକୁ ଦିଆଯାଉଛି। ସପ୍ତାହରେ ୫ଦିନ ପିଲାଙ୍କୁ ଅଣ୍ଡା ଖାଇବାକୁ ଦିଆ‌ଯାଉଛି।

Advertisment

ଅଣ୍ଡା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ପକେଟରୁ ଦରମାର ଅଧା ଟଙ୍କା ଚାଲିଯାଉଛି। କାରଣ ସରକାର ଅଣ୍ଡା ଗୋଟାକୁ ୫ ଟଙ୍କା ଦେଉଥିବାବେଳେ ବଜାର ମୂଲ୍ୟ ହେଉଛି ୭ ଟଙ୍କା। ବାକି ଦୁଇଟଙ୍କା ଅଙ୍ଗନବାଡ଼ି କର୍ମୀମାନେ ନିଜ ହାତରୁ ଭରଣା କରୁଛନ୍ତି। ଗ୍ୟାସ ବାବଦକୁ ୩୦ ପଇସା କଟିବା ପରେ ବଳକା ୭ ଟଙ୍କା ୪୦ ପଇସାରୁ କେବଳ ଅଣ୍ଡା ପାଇଁ ୭ ଟଙ୍କା ଖର୍ଚ୍ଚ ହୋଇଯାଉଛି। ଆଉ ୪୦ ପଇସାରେ ପିଲାଙ୍କୁ କେମିତି ରୋଷେଇ କରି ଖାଇବାକୁ ଦେବୁ ବୋଲି ଅଙ୍ଗନବାଡ଼ି କର୍ମୀମାନେ ପ୍ରଶ୍ନ କରିଛନ୍ତି।

କେନ୍ଦୁଝର ସଦର ବ୍ଲକ୍‌ର ଗୋପୀନାଥପୁର ଗ୍ରାମରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଗୋଟିଏ କେନ୍ଦ୍ରରେ ମମତାରାଣୀ ବେହେରା ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଏଠାକୁ ମୋଟ ୨୯ଜଣ ଶିଶୁ ଆସୁଛନ୍ତି। ଅର୍ଥାତ ପ୍ରତ୍ୟେକ ଦିନ ୨୯ଟି ଅଣ୍ଡା ଆବଶ୍ୟକ। ଏଥିପାଇଁ ତାଙ୍କୁ ୨୦୩ ଟଙ୍କା ଦୈନିକ ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ସରକାର ଅଣ୍ଡା ବାବଦକୁ ଦେଉଛନ୍ତି ମାତ୍ର ୧୪୫ଟଙ୍କା। ଅର୍ଥାତ ପ୍ରତିଦିନ ଅଣ୍ଡା କିଣା ବାବଦକୁ ସେ ୫୮ ଟଙ୍କା କ୍ଷତି ସହୁଛନ୍ତି। ଏଥିପାଇଁ ମାସକୁ ୧୧୬୦ ଟଙ୍କା ହାତରୁ ଦେବାକୁ ପଡ଼ୁଛି ବୋଲି ଅଙ୍ଗନବାଡ଼ି କର୍ମୀ ମମତାରାଣୀ କହିଛନ୍ତି। ସେହିପରି ଡାଲି କେଜି ପିଛା ସରକାର ଦେଉଛନ୍ତି ୭୦ ଟଙ୍କା। ପ୍ରତି ମାସରେ ପ୍ରାୟ ୩ କେଜି ଡାଲି କିଣା ହେଉଛି। ଏବେ ବଜାରରେ ହରଡ଼ ଡାଲିର ମୂଲ୍ୟ ହେଉଛି ୧୬୦ ଟଙ୍କା। ଅର୍ଥାତ ଡାଲି ବାବଦକୁ ମଧ୍ୟ ସେ ମାସ ୨୭୦ ଟଙ୍କା କ୍ଷତି ସହୁଛନ୍ତି। ସେହିପରି ଖାଇବା ତେଲ‌ ଲିଟର ପିଛା ସରକାର ଦେଉଛନ୍ତି ୧୦୦ ଟଙ୍କା। ତେଲର ବଜାର ମୂଲ୍ୟ ହେଉଛି ୧୫୦ ଟଙ୍କା। କେନ୍ଦ୍ରରେ ପ୍ରତିମାସରେ ସର୍ବନିମ୍ନ ୩ ଲିଟର ତେଲ ଆବଶ୍ୟକ ହେଉଛି। ତେଲ କିଣାରେ ମଧ୍ୟରେ ୧୫୦ ଟଙ୍କା ହାତରୁ ଦେବାକୁ ପଡ଼ୁଛି।

ମୋଟାମୋଟି ଭାବେ ଏ ସମସ୍ତ ଖର୍ଚ୍ଚ ବାବଦକୁ ଅଙ୍ଗନବାଡ଼ି କର୍ମୀ ଜଣକ ହାତରୁ ୧୫୮୦ ଟଙ୍କା ଖର୍ଚ୍ଚ କରୁଥିବା କହିଛନ୍ତି। ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ୭୫୦୦ ଟଙ୍କା ଦରମା ଦେଉଥିବା ବେଳେ ସେମାନଙ୍କ ପକେଟରୁ ପ୍ରତିମାସରେ ଏସବୁ ବାବଦକୁ ପ୍ରାୟ ୧୬୦୦ ଟଙ୍କା ଖର୍ଚ୍ଚ ହେଉଥିବାରୁ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ସଂଘର ସମ୍ପାଦିକା ମମତାରାଣୀ ବେହେରା କହିଛନ୍ତି, ବିଭିନ୍ନ ସମୟରେ ସଂଘ ପକ୍ଷରୁ ଏନେଇ ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର କେହି ଶୁଣୁ ନାହାନ୍ତି। ତେଣୁ ଅଙ୍ଗନବାଡ଼ି କର୍ମୀମାନେ ମାନସିକ ଚାପରେ ଥିବା ସେ କହିଛନ୍ତି।