କ୍ଷୀରଚୋରା ଗୋପୀନାଥ ମନ୍ଦିର ମହୋତ୍ସବର ଅଷ୍ଟମ ସଂଧ୍ୟା

ରେମୁଣା: ପ୍ରସିଦ୍ଧ କ୍ଷୀର‌ଚୋରା ଗୋପୀନାଥଜୀଉଙ୍କ ମନ୍ଦିର ମହୋତ୍ସବ ଆଜି ଅଷ୍ଟମଦିନରେ ପହଞ୍ଚିଛି। ପ୍ରଭୁ ଗୋପୀନାଥଙ୍କ ପରମଭକ୍ତ ଶ୍ରୀଶ୍ରୀ ରସିକାନନ୍ଦ‌ ଦେବଗୋସ୍ବାମୀଙ୍କ ୩୬୯ତମ ତିରୋଧାନ ଉପ‌ଲକ୍ଷେ ସାମ୍ବତ୍ସରିକ ମହୋତ୍ସବ ଗତ ୨ ତାରିଖରୁ ଆରମ୍ଭ ହୋଇ ଆଜି ଅଷ୍ଟମ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାରମ୍ପରିକ ରୀତିନୀତିରେ ପ୍ରଭୁଙ୍କର ପୂଜାର୍ଚ୍ଚନା ଚାଲିଥିବାବେଳେ ଅଧିବାସ ଦିନଠାରୁ ୨୪ ଘଣ୍ଟିଆ ନାମ ସଂକୀର୍ତ୍ତନ ଚାଲିଛି। ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଛି।

ଶଙ୍ଖ, ହୁଳହୁଳି ଓ ବାଦ୍ୟ ଧ୍ବନି ସାଙ୍ଗକୁ ହରିନାମ ନାମ ସଂକୀର୍ତ୍ତନ ଆଖପାଖ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି କରିଛି। ଆସନ୍ତା ୧୫ ତାରିଖରେ ଏହି ମହୋତ୍ସବ ଉଦ୍‌ଯାପିତ ହେବ। ମନ୍ଦିରର ନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ମ‌ହୋତ୍ସବ ଶାନ୍ତିଶୃଙ୍ଖଳାର ସହିତ ଚାଲିଥିବା ଲକ୍ଷ୍ୟ କରାଯାଇଛି। ପ୍ରଭୁଙ୍କ କ୍ଷୀରଭୋଗ ଓ ପ୍ରସିଦ୍ଧ ଚଉଷଟା ମହାପ୍ରସାଦ ପାଇବା ପାଇଁ ଦୂରାଦୂରାନ୍ତରୁ ଭକ୍ତଶ୍ରଦ୍ଧଧାଳୁଙ୍କ ସୁଅ ଛୁଟିଛି। ମହୋତ୍ସବର ପଞ୍ଚମ ଦିବସାରେ ଚଉଷଟା ମହାପ୍ରସାଦ ଲାଗିଥିବା ବେଳେ ଚତୁର୍ଥ ଦିବସରେ ମାଣିକଖଳା ହୋଇଥିଲା। ନବମ ମହୋତ୍ସବରେ ପ୍ରଜାଭକ୍ତମଣ୍ଡଳୀଙ୍କ ପ୍ରସାଦସେବନ, ୧୫ ତାରିଖରେ ନାମ ସଂକୀର୍ତ୍ତନର ଦଧିହାଣ୍ଡି ପରିକ୍ରମା‌ ସହିତ ୧୭ ତାରିଖରେ ରାଜାଗ୍ନି ମେଣ୍ଢା ଗୁହାଳ ପୋଡ଼ା ଆଦି କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର