କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ନଗଡ଼ା ପାହାଡ଼ ତଳ ଅଶୋକଝର ଜୁଆଙ୍ଗ ବସ୍ତିରେ ଆଜି ସାନ ଭାଇର ତୀରମାଡ଼ରେ ବଡ଼ର ମୃତ୍ୟୁ ହୋଇଛି। ସ୍ବର୍ଗତ ଗୟା ପ୍ରଧାନଙ୍କ ୪ ପୁଅଙ୍କ ମଧ୍ୟରୁ ସାନପୁଅ ଦୁର୍ଲଭ(୨୫)ର ତୀରମାଡ଼ରେ ଦ୍ବିତୀୟ ପୁଅ ଗୁଲୁ (୩୦)ଙ୍କ ମୃତ୍ୟୁ ହୋଇଛି। ନିଜ ଘର ପିଣ୍ଡାରେ ୨ଘଣ୍ଟା ଧରି ଗୁଲୁଙ୍କ ତୀରବିଦ୍ଧ ଶବ ପଡ଼ି ରହିଥିଲା। ରକ୍ତଧାରରେ ମାଟି ପିଣ୍ଡା ଭିଜି ଯାଇଥିଲା। ଏଠାରେ ମୋବାଇଲ୍ ନେଟୱାର୍କ ନଥିବାରୁ ପୁଲିସ ସୂଚନା ପାଇ ବିଳମ୍ବରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ସାନ ଭାଇ ଚମ୍ପଟ୍ ମାରି ସାରିଥିଲା। ଏ ସଂକ୍ରାନ୍ତରେ ମୃତକଙ୍କ ଶାଳକ ଗୁହିଆଶାଳ ଗାଁର ଗଣେଶ ପ୍ରଧାନଙ୍କ ଏତଲା ଆଧାରରେ କାଳିଆପାଣି ଥାନାରେ ଏକ କେସ୍ ନଂ ୬୨/୨୩ ରୁଜୁ ହୋଇଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇ ଅଧିକ ତଦନ୍ତ କରୁଥିବା କହିଛି।

Advertisment

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ଗାଁର ସମସ୍ତେ ଚାଷ କାମ କରୁଥିବା ବେଳେ ସକାଳେ ୨ ଭାଇ ଗୁଲୁ ଓ ଦୁର୍ଲଭ ଗାଁ ପାଖ ଏକ ଭାଟିରେ ବସି ମଦ ପିଉଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଦୁର୍ଲ୍ଲଭ ସେଠାରୁ ରାଗ‌‌ରେ ଘରକୁ ଫେରିଥିଲା। ପିଲାଛୁଆଙ୍କୁ ନେଇ ପତ୍ନୀ ନିଜ ଜମିକୁ ଯାଇଥିବାରୁ ଗୁଲୁ ଏକାକୀ ତାଙ୍କ ବାରଣ୍ଡାରେ ବସିଥିଲେ। ଏତିକିବେଳେ ଦୁର୍ଲଭ ଘରୁ ଧନୁତୀର ଆଣି ଗୁଲୁଙ୍କ ଛାତିକୁ ତୀର ବିନ୍ଧି ଦେଇଥିଲା। ୨ ପୁଅଙ୍କ ଝଗଡ଼ାର ପ୍ରତ୍ୟକ୍ଷଦର୍ଶୀ ବିଧବା ମାଆ ହତବାକ୍ ହୋଇଯାଇଛନ୍ତି। ଅଭିଯୁକ୍ତର ଘରୁ ପୁଲିସ ହତ୍ୟାରେ ବ୍ୟବହୃତ ଉକ୍ତ ଧନୁ ଜବତ କରିଛି।