ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ବିଭାଗ ଦାୟିତ୍ବରୁ ମୁକ୍ତ କରିବା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଥିବାରୁ କେବଳ ଏ ସଂକ୍ରାନ୍ତ କାମ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କୁ ଅଧିକ ଧ୍ୟାନ ଦେବାକୁ ହେବ। ଏଥିପାଇଁ ଯଦି ସିଇଓ ଅନ୍ୟ କୌଣସି ଦାୟିତ୍ବରେ ରହିଥାନ୍ତି ତାହାଲେ ତାଙ୍କୁ ତୁରନ୍ତ ଦାୟିତ୍ବ ମୁକ୍ତ କରିବାକୁ ନିର୍ବାଚନ କମିସନ ନିର୍ଦେଶ ଦେଇଛନ୍ତି।
କେବଳ ସିଇଓ ନୁହନ୍ତି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ଅତିରିକ୍ତ ସିଇଓ, ଯୁଗ୍ମ ସିଇଓ, ଡେପୁଟି ସିଇଓ ଓ ଆସିଷ୍ଟାଣ୍ଟ ସିଇଓଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ବ ଅବ୍ୟାହାତି ଦେବା ଲାଗି କହିଛନ୍ତି ନିର୍ବାଚନ କମିସନ। ସିଇଓଙ୍କୁ ବଦଳି ବା ଅନ୍ୟ କିଛି କଲେ ପୂର୍ବରୁ ଏଥିପାଇଁ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରାକ୍ ଅନୁମତି ଜରୁରି ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି। ରାଜ୍ୟର ସିଇଓ ରହିଛନ୍ତି ନିକୁଞ୍ଜ ବିହାରୀ ଧଳ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ ଶକ୍ତି ବିଭାଗର ସଚିବ ଦାୟିତ୍ବରେ ରହିଛନ୍ତି। ତେବେ ନିର୍ବାଚନ କମିସନଙ୍କ ନିକଟରୁ ଏହି ନିର୍ଦେଶନାମା ଜାରି ହେବା ପରେ ତାଙ୍କୁ ଶକ୍ତି ବିଭାଗରୁ ଅବ୍ୟାହତି ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।