ଭୁବନେଶ୍ବର : ଆସନ୍ତା ୧୮ତାରିଖରେ ହେବାକୁ ଥିବା ୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ୍ ବାକ୍ସ ଏବଂ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ମଙ୍ଗଳବାର ଦିନ ଓଡ଼ିଶାରେ ପହଞ୍ଚିଛି। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପଠାଯାଇଥିବା ସମସ୍ତ ସାମଗ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ଏହାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍‌କୁ ନିଆଯାଇଛି। ସେଠାରେ ୨୪ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ଏହାକୁ ରଖାଯାଇଛି।

Advertisment

ଏହାସହ ମଙ୍ଗଳବାର ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାର ପ୍ରଥମ ମହଲାର ୫୪ ନଂ ପ୍ରକୋଷ୍ଠରେ ଜୁଲାଇ ୧୮ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିର୍ବାଚନ ହେବ ବୋଲି କୁହାଯାଇଛି। ବିଧାନସଭାର ସମସ୍ତ ନିର୍ବାଚିତ ପ୍ରତିନିଧି ଏଠାରେ ଭୋଟ୍‌ ଦେବେ। ଯଦି କୌଣସି ସାଂସଦ ଏଠାରେ ଭୋଟ୍‌ ଦେବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ଆଣିଥିବେ ତେବେ ସେମାନେ ପ୍ରିଜାଇଡିଂ ଅଫିସରଙ୍କୁ ଅନୁମତି ପତ୍ର ଦେଖାଇ ଧାର୍ଯ୍ୟ ସମୟ‌ ମଧ୍ୟରେ ଭୋଟ୍‌ ଦେଇପାରିବେ ବୋଲି କୁହାଯାଇଛି।