ହାତୀ ଭାଙ୍ଗିଲେ ଘର, ବୃଦ୍ଧା ଆହତ

ତେଲକୋଇ: ତେଲକୋଇ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଲାଗିରହିଛି। କେତେବେଳେ ହାତୀପଲ ଘରଦ୍ବାର ଭାଙ୍ଗି ଧାନଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ବାଡ଼ିବଗିଚା ଉଜାଡ଼ି ଦେଉଛନ୍ତି। ଗତକାଲି ରାତିରେ ତେଲକୋଇ ରେଞ୍ଜ ଖୁଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ କନ୍ତଲେଇ ମହାନ୍ତସାହି ଓ ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡ଼ିଆ ମୁଣ୍ଡାସାହିରେ ହାତୀପଲ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ୪ ଟିକିଆ ହାତୀପଲ କନ୍ତଲେଇ ମହାନ୍ତସାହିରେ ପଶି ସୁକୁମାରୀ ମୁଣ୍ଡା (୭୫) ଓ ଲେମ୍ବୁ ମୁଣ୍ଡାଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ହାତୀ ଘର ଭାଙ୍ଗିବା ସମୟରେ କାନ୍ଥ ପଡ଼ିଯିବାରୁ ସୁକୁମାରୀ ଆହତ ହୋଇଛନ୍ତି।

ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଗୋଳାଗାଡ଼ିଆ ଗ୍ରାମ ମୁଣ୍ଡାସାହିର ପାଣ୍ଡବ ମୁଣ୍ଡାଙ୍କ ୩ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇଛନ୍ତି ହାତୀପଲ। ହାତୀ ଘର ଭାଙ୍ଗୁଥିବା ଜାଣି ପାଣ୍ଡବ ଜୀବନ ବଞ୍ଚାଇବାକୁ ପଡ଼ୋଶୀ ଘରକୁ ଦୌଡ଼ିଥିଲେ। ଏହି ସମୟରେ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ସେ ତଳେ ପଡ଼ି ଆହତ ହୋଇଛନ୍ତି। ଗ୍ରାମବାସୀ ମିଶି ହାତୀପଲକୁ ଘଉଡ଼ାଇଛନ୍ତି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର