ପଶ୍ଚିମବଙ୍ଗରୁ ବାଟବଣା ହୋଇ ଓଡ଼ିଶାରେ ହାତୀଶାବକ

ବେତନଟୀ/ଦାନ୍ତିଆମୁହାଁ,୧୧/୭(ଇମିସ): ଆଜି ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ତାରାଶୋଳ ନିକଟରେ ଏକ ଅଢେ଼ଇରୁ ୩ ବର୍ଷର ମାଈ ହାତୀଶାବକ ଭୀତତ୍ରସ୍ତ ହୋଇ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଶାବକଟି ପଶ୍ଚିମବଙ୍ଗର କେସିଆରି (ଭସ୍ରାଘାଟ) ନିକଟରେ ଥିବା ଝାଡ଼ଖଣ୍ତୀ ହାତୀପଲରୁ ବାଟ ହୁଡ଼ି ମୟୂରଭଞ୍ଜର ଦେଉଳି ରେଞ୍ଜ ହୋଇ ଏଠାରେ ପହ‌ଞ୍ଚିଥିବା ଜଣାପଡ଼ିଛି। ଶାବକଟି ଦାନ୍ତିଆମୁହାଁ ଛକରୁ ଜାତୀୟ ରାଜପଥ ଓ ରେଳଧାରଣା ଟପି ଖଡ଼ିଶୋଳ ଜଙ୍ଗଲକୁ ଯାଇଥିଲା। ହେଲେ ସେଠାରେ କିଛି ସମୟ ଚଲାବୁଲା କରି ସୁବର୍ଣ୍ଣରେଖା କେନାଲ ପାର୍ଶ୍ବ ଦେଇ ତାରାଶୋଳ ନିକଟସ୍ଥ ଜନବସତି ନିକଟରେ ପହଞ୍ଚିଥିଲା। ଛୁଆ ହାତୀଟିକୁ ଦେଖି ଶହଶହ ଲୋକ ରୁଣ୍ତ ହୋଇଥିବା ବେଳେ ହାତୀଟି କେଉଁଆଡ଼େ ଯିବ ବାଟ ପାଇନଥିଲା। ଖବର ପାଇ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବନପାଳ ପିକେ ସିଂସାମନ୍ତ, ବନରକ୍ଷୀ ଲମ୍ବୋଦର ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ।

ହେଲେ ଏହି ଗୋଠଛଡ଼ା ହାତୀ ଶାବକକୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ ସେ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ପ୍ରଥମତଃ ମଣିଷ ଏହି ହାତୀଶାବକକୁ ଛୁଇଁଦେଲେ ଏହାକୁ ନିଜ ଦଳ ଆଉ ଫେରାଇ ନେବନାହିଁ। ଏମିତି ଅନେକ ଉଦାହରଣ ପୂର୍ବରୁ ମଧ୍ୟ ରହିଛି। ଦ୍ବିତୀୟତଃ ପଶ୍ଚିମବଙ୍ଗରେ ଥିବା ଝଡ଼ଖଣ୍ଡୀ ହାତୀପଲ ୫-୬ଟି ଦଳରେ ବିଭକ୍ତ ହୋଇଥିବାରୁ ଏହା କେଉଁ ଦଳର ଚିହ୍ନଟ କରିବା ମଧ୍ୟ ସମ୍ଭବ ନୁହେଁ। ସଠିକ୍‌ ଦଳ ନଜାଣି ବନ ବିଭାଗ ହାତୀଶାବକକୁ ଅନ୍ୟ ଦଳ ପାଖରେ ଛାଡ଼ିଲେ ଦନ୍ତାମାନେ ଶାବକଟିକୁ ମାରିଦେବାର ଆଶଙ୍କା ରହିଛି। ତୃତୀୟତଃ ଶାବକଟି ଏବେ ମାଆକ୍ଷୀର ଉପରେ ନିର୍ଭରଶୀଳ। ତେଣୁ ତାକୁ ତୁରନ୍ତ ଖାଦ୍ୟ ଯୋଗାଇ ଦେବାର ଆବଶ୍ୟକତା ରହିଛି। ତେଣୁ ହାତୀ ଶାବକଟିକୁ ଖାଦ୍ୟ କେମିତି ଖୁଆଯିବ ତାହା ଏବେ ଚିନ୍ତାର ବିଷୟ ହୋଇଛି।

ଭିଡ଼ ‌ଦେଖି ଡରୁଛି, ଭୋକରେ ଏଣେତେଣେ ବୁଲୁଛି

ମଣିଷ ଛୁଇଁଲେ ନେବନି ଦଳ, ଚିନ୍ତାରେ ବନ ବିଭାଗ

ଉଦ୍ଧାର ପାଇଁ ଲୋଡ଼ାଗଲା ପିସିସିଏଫଙ୍କ ଅନୁମତି

ଶାବକଟି ଏବେ ଖଡ଼ିଶୋଳ ନିକଟରେ ରହିଥିବା ବେଳେ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଡିଏଫଓ ସନ୍ତୋଷ ଯୋଶୀଙ୍କ ନିର୍ଦ୍ଦେଶରେ ଏସିଏଫ ସୁମିତ କୁମାର କର, ଏସିଏଫ ରବିନାରାୟଣ ମହାନ୍ତିଙ୍କ ନେତୃତ୍ବରେ ଗଠିତ ଦଳ ଏହା ଉପରେ ନଜର ରଖିଛି। ଶାବକଟିକୁ ତା’ ମା’ ସହ ମିଶାଇବାକୁ ଚେଷ୍ଟା କରାଯିବ ନା ବନ ବିଭାଗ ଏହାର ଲାଳନପାଳନ ଦାୟିତ୍ବ ନେବ ସେ ନେଇ ପିସିସିଏଫଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର