ନିରାକାରପୁର : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସୋମବାର ଦିନ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗୋଳବାଇଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଘରର ବାଡ଼ିପଟେ ବସିଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏହି ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ୨ଟି ଦନ୍ତାହାତୀ ଗୋଳବାଇ ପଞ୍ଚାୟତରେ ପଶିଥିଲେ। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଟାଙ୍ଗୀ ବନବିଭାଗ କର୍ମଚାରୀମାନେ ଆସି ହାତୀ ଦୁଇଟିକୁ ଘଉଡ଼ାଇ ଦେଇଥିଲେ। ଫଳରେ ହାତୀ ଦୁଇଟି ଟ୍ରାନ୍ସଫର୍ମର ଥିବା ଅଞ୍ଚଳ ଆଡ଼କୁ ଚାଲିଯାଇଥିଲେ। ବନ ବିଭାଗ କର୍ମଚାରୀମାନେ ଶକ୍ତି ବିଭାଗକୁ ଖବର ଦେଇଥିଲେ ସୁଦ୍ଧା କେହି ଏଥିପ୍ରତି ଗୁରୁତ୍ବ ଦେଇନଥିଲେ। ବିଳମ୍ବିତ ରାତ୍ରିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୋଟିଏ ହାତୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଅନ୍ୟ ଦନ୍ତାହାତୀଟିର ମୃତ୍ୟୁ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2022/07/ele-2.jpg)
ସ୍ଥାନୀୟ ଅଞ୍ଚଳରେ ବହୁ ଦିନ ଧରି ୨ଟି ଦନ୍ତାହାତୀ ଘୂରି ବୁଲୁଥିଲା ବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି। ଅନ୍ୟପକ୍ଷରେ, ଟ୍ରାନ୍ସଫର୍ମର ବସିବାପରେ ଏହାର ଚତୁଃପାର୍ଶ୍ବରେ ପାଚେରି ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପରିବେଶବିତ୍ମାନେ ମତଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ବିଭାଗର ଦାୟିତ୍ବହୀନତା ଯୋଗୁ ଏହି ୨୫ବର୍ଷୀୟ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଶବ ବ୍ୟବଚ୍ଛେଦ ପରେ ମୃତଦନ୍ତା ହାତୀକୁ ନିକଟସ୍ଥ ନାଲସିଂହ କାଜୁ ବଗିଚାରେ ପୋତି ଦିଆଯାଇଛି। ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ଦୁର୍ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ୨୦୧୭ ମସିହାରେ ବରୁଣେଇ ପାହାଡ଼ ଅଞ୍ଚଳରେ ଗୋଟିଏ, ଖଜୁରୀପଡ଼ା ପାହାଡ଼ ଅଞ୍ଚଳରେ ୨ଟି, ୨୦୧୯ରେ ମଲାଗୁଣୀ ନଦୀପଠାରେ ୨ଟି, ୨୦୨୧ରେ ଖଜୁରୀପଡ଼ା ଗହୀର ଜମିରେ ଗୋଟିଏ ଏବଂ ୨୦୨୧ରେ ଟ୍ରେନ୍ ଦୁର୍ଘଟଣାରେ ଭୁଷଣ୍ତପୁର ଷ୍ଟେସନ ନିକଟରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/elephant.jpg)