ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଦୁର୍ଗାପୁର ପଞ୍ଚାୟତ ଅସନବଣି ଗାଁଦେଇ ଯାଇଥିବା ସୁବର୍ଣ୍ଣରେଖା ଶାଖା କେନାଲରେ ଆଜି ଭୋର୍‌ ସମୟରେ ଏକ ହାତୀ ଶାବକ ଗଳି ପଡ଼ିଥିଲା। ୩ ଘଣ୍ଟାର କସରତ ପରେ ହାତୀଛୁଆକୁ କେନାଲରୁ କାଢ଼ିବାରେ ସକ୍ଷମ ହୋଇଥିଲା ବନ ବିଭାଗ। ପରେ ହାତୀଟି ନିଜ ଦଳ ସହ ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, କେନାଲର ଗଭୀରତା କମ୍‌ ଥିଲେ ବି ଏହା ଅଣଓସ‌ାରିଆ ହୋଇଥିବାରୁ ହାତୀଟି ସେଥିରୁ ବାହାରି ପାରିନଥିଲା। ସେପଟେ ହାତୀଛୁଆକୁ ଦୁଇଟି ଦନ୍ତା ହାତୀ ଉପରେ ଜଗି ରହିଥିଲେ। ସେମାନଙ୍କ ଗର୍ଜନରେ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଜେସିବି ସାହାଯ୍ୟରେ କେନାଲରେ ମାଟି ପୋତି ହାତୀ ଶାବକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ, ନିକଟରେ ଥିବା ଦନ୍ତାହାତୀ ଦୁଇଟି ଜେସିବି ଉପରେ ଆକ୍ରମଣ କରିବାରୁ ହରଡ଼ଘଣାରେ ପଡ଼ିଥିଲା ବନ ବିଭାଗ। ଦନ୍ତା ଦୁଇଟିକୁ ସେଠାରୁ ଘଉଡ଼ାଇବା ସହ ୩ ଘଣ୍ଟାର କସରତ ପରେ ହାତୀଛୁଆକୁ ଉଦ୍ଧାର କରାଯାଇଛି।