ଦଶପଲ୍ଲା: ବର୍ଷବର୍ଷ ଧରି ସରକାରୀ ଯୋଜନା ପହଞ୍ଚିଲାନି। ଏଥି ସହ ହାତୀଙ୍କ ମାତ୍ରାଧିକ ଉପଦ୍ରବ ହେତୁ ଦଶପଲ୍ଲା ବ୍ଲକ୍‌ର ପୁରାତନ ରାଜସ୍ବ ଗ୍ରାମ ବିରିଗଡ଼ର ଚିହ୍ନବର୍ଣ୍ଣ ଏବେ ହଜିଯାଇଛି। ଦଶପଲ୍ଲା ତହସିଲ ଅଧୀନ ବିରିଗଡ଼ ରାଜସ୍ବ ଗ୍ରାମ ଏବେ ଜନଶୂନ୍ୟ ହୋଇପଡ଼ିଛି। ଶହଶହ ଏକର ଚାଷଜମି ଜଙ୍ଗଲ ପାଲଟିଛି। ଘରଦ୍ବାର ଭାଙ୍ଗିରୁଜି ଛିନ୍‌ଚ୍ଛତ୍ର ହୋଇଯାଇଥିବା ବେଳେ ବାସଚ୍ୟୁତ ପରିବାରଗୁଡ଼ିକ ଏବେବି ମୁଣ୍ତଗୁଞ୍ଜିବା ପାଇଁ ରାହା ଖୋଜୁଛନ୍ତି।

Advertisment

ଯେଉଁ ଗ୍ରାମ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଜନଶୂନ୍ୟ ହୋଇଛି ସେହି ଗ୍ରାମର ଯୁବକ ଏବେ ସରପଞ୍ଚ ହୋଇ ପଞ୍ଚାୟତର ଭାର ସମ୍ଭାଳୁଛନ୍ତି। ହେଲେ ନିଜ ଗାଁ ପାଇଁ କିଛି କରି ପାରୁନଥିବା ହେତୁ ଦୁଃଖ ପ୍ରକାଶ କରିଛନ୍ତି ସରପଞ୍ଚ ମଦନ କୁମାର ଜାନୀ। ଦଶପଲ୍ଲା ତହସିଲ ଅଧୀନରେ ଥିବା ୪ ଶହ ୧୬ ରାଜସ୍ବ ଗ୍ରାମ ମଧ୍ୟରେ ଏବେ ବି ୩୦୧ ନମ୍ବର ତାଲିକାରେ ବିରିଗଡ଼ ଗ୍ରାମ ରହିଛି। କୁହାଯାଏ ଦଶପଲ୍ଲା ରାଜାଙ୍କ ଯୋଦ୍ଧାଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଉଥିଲା। ଏହାକୁ ବୀରଗଡ଼ ବୋଲି କୁହାଯାଉଥିବା ବେଳେ କାଳକ୍ରମେ ଏହାର ନାମ ବିରିଗଡ଼ ହୋଇଥିଲା। ଭୂପୃଷ୍ଠ ତଥା ବୁଗୁଡ଼ାଠାରୁ ପ୍ରାୟ ୧୨ କିମି ଦୂର ୪ଟି ପାହାଡ଼ ଉପରେ ଏହି ଗ୍ରାମ ରହିଥିଲା। ଗ୍ରାମରେ ୧୫ଟି ଆଦିବାସୀ ପରିବାରରେ ୭୦ରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରୁଥିଲେ।

ପାହାଡ଼ ଉପରେ ଥିବା ୩ ଶହ ଏକର ଜମି ମଧ୍ୟରୁ କେତେକ ପରିବାର ଜମିଦାର ମଧ୍ୟ ଥିଲେ। ଚାଷବାସ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗହ କରି ଏସବୁ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଯାହା ବି ଫସଲ ହୁଏ ହାତୀଙ୍କ ଉପଦ୍ରବ ହେତୁ ସବୁ ଉଜୁଡ଼ି ଯାଏ। ଏପରିକି ହାତୀଙ୍କ ଉପଦ୍ରବରୁ ବାସସ୍ଥାନ ମଧ୍ୟ ବର୍ତ୍ତିଲା ନାହିଁ। ଶେଷରେ ବାଧ୍ୟହୋଇ ପରିବାରଗୁଡ଼ିକ ଧୀରେଧୀରେ ଗାଁ ଛାଡ଼ିବା ଆରମ୍ଭ କରିଥିଲେ। ଏବେ ଏସବୁ ପରିବାର ଚଡ଼େୟାପଲ୍ଲୀ, ବୁଗୁଡ଼ା, ତିଳାବାଡ଼ି, ବାଇଝରି, ବୁରୁସାହି, ମିଟୁକୁଳି ଆଦି ଗ୍ରାମରେ କିଏ ସମ୍ପର୍କିୟ ତ ପୁଣି କିଏ ସରକାରୀ ଜାଗାରେ ବସବାସ କରୁଛନ୍ତି। ଏକରଏକର ଜମି ଛାଡ଼ିଥିବା ପରିବାରଗୁଡ଼ିକୁ କେବଳ ରାସନ ଚାଉଳ ଗଣ୍ତାକ ଉପରେ ଆଶ୍ରୟ କରିଛନ୍ତି। ୨୦୧୩ ମସିହାରୁ ଏହି ପୁରାତନ ଗ୍ରାମ ଓ ଗ୍ରାମବାସୀଙ୍କୁ ନେଇ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ମୌଳିକ ସୁବିଧାସୁଯୋଗ ମିଳିପାରିଲେ ପୁଣି ପରିବାରଗୁଡ଼ିକ ବିରିଗଡ଼ ଗାଁକୁ ଫେରିପାରିବେ ବେଲି ସରପଞ୍ଚ ପ୍ରକାଶ କରିଛନ୍ତି।