ଅନୁଗୁଳ : ହାତୀ-ମଣିଷ ଲଢ଼େଇ ବନ୍ଦ କରିବାକୁ ତିଆରି ହୋଇଛି ଅନେକ ଯୋଜନା। ହାତୀ ଜଙ୍ଗଲରୁ ଜନବସତିକୁ ପ୍ରବେଶ ନ କରିବା ଓ ହାତୀ ଆକ୍ରମଣରୁ ଧନଜୀବନ ସୁରକ୍ଷା ପାଇଁ ଗଜବନ୍ଧୁ ଓ ହାତୀ ସ୍କ୍ବାଡ୍ ଭଳି ଯୋଜନାକୁ ହାତକୁ ନିଆଯାଇଛି। କିନ୍ତୁ, ଏହାର ଉପଯୁକ୍ତ ପରିଚାଳନା ଅଭାବରୁ ହାତୀ ଜଙ୍ଗଲରେ ନ ରହି ଜନବସତିକୁ ଚାଲି ଆସୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ ହାତୀ ଆଉ ଜଙ୍ଗଲକୁ ଫେରୁ ନାହାନ୍ତି। ଏପଟେ ସେମାନଙ୍କୁ ଠିକ୍ ଭାବେ ଟ୍ରାକ୍ କରି ଲୋକଙ୍କୁ ସୂଚନା ଦିଆଯାଉ ନ ଥିବାରୁ ଅକାଳରେ ଅନେକ ଜୀବନ ଯାଉଛି। ଏହାକୁ ନେଇ ଅନୁଗୁଳରେ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ୁଛି। ଆଗକୁ ଏହା ଉଗ୍ର ରୂପ ଧାରଣ କରିବାର ଆଶଙ୍କା ଜଳଜଳ ଦିଶିଲାଣି।
ଅନୁଗୁଳର ଜିଲ୍ଲାର ସମସ୍ତ ୮ଟି ବ୍ଲକ୍ରେ ଏବେ ହାତୀଙ୍କ ଉପଦ୍ରବ ଦେଖାଦେଇଛି। ହାତୀ ଫସଲ ନଷ୍ଟ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଅନୁଗୁଳରୁ ପାଳଲହଡ଼ା, ବଅଁରପାଳରୁ ବଇଣ୍ଡା, ମହୀଧରପୁରରୁ ମାଧପୁର ପର୍ଯ୍ୟନ୍ତ ସବୁଠି ହାତୀ ଜବସତିକୁ ପଶି ବ୍ୟାପକ କ୍ଷତି ଘଟାଉଛନ୍ତି। ଆଉ ଏଥିପାଇଁ ହାତୀ-ମଣିଷ ଲଢ଼େଇ ବଢ଼ିବଢ଼ି ଚାଲିଛି। ଏପଟେ ଏହାକୁ ନିୟନ୍ତ୍ରଣ କରିବାକୁ ବନବିଭାଗ ଭଳିକି ଭଳି ଯୋଜନା କରିଛି। ଏହାମଧ୍ୟରେ ‘ଗଜବନ୍ଧୁ ଯୋଜନା’ ଅନ୍ୟତମ। ହାତୀଙ୍କୁ ଶିକାରୀଙ୍କ କବଳରୁ ରକ୍ଷା କରିବା ସହିତ ହାତୀ ଉପଦ୍ରବ କମାଇବା ପାଇଁ ଏମାନେ କାମ କରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। ସେହିପରି ହାତୀର ଗତିବିଧି ଉପରେ ନଜର ରଖିବା ଓ ହାତୀ ଯେମିତି ଜନବସତିକୁ ଯାଇ ଧନଜୀବନ ନଷ୍ଟ ନକରିବେ ସେଥିପାଇଁ ହାତୀ ସ୍କ୍ବାଡ୍ ଗଠନ କରାଯାଇଛି। ଏହି ସ୍କ୍ବାଡ୍ରେ ସାମିଲ ଲୋକମାନେ ହାତୀ ପଲ ଉପରେ ୨୪ ଘଣ୍ଟିଆ ନଜର ରଖିବେ। ସେମାନେ କେଉଁ ଅଞ୍ଚଳରୁ କୁଆଡ଼େ ଯାଉଛନ୍ତି ତାହା ଦେଖିବେ। ଏପଟେ ହାତୀଙ୍କୁ ଟ୍ରାକ୍ କରିବା ପାଇଁ ହ୍ବାଟ୍ସଆପ୍ ଗ୍ରୁପ୍ ଗଠନ କରାଯିବା ସହିତ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଥିବା ବନବିଭାଗ ପକ୍ଷରୁ କୁହାଯାଇଛି।
ଏସବୁ ସତ୍ତ୍ବେ ହାତୀ-ମଣିଷ ଲଢ଼େଇ କମୁନି। ଚଳିତବର୍ଷର ପ୍ରଥମ ସପ୍ତାହରେ ହାତୀ ଆକ୍ରମଣରେ ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ୫ ଜଣଙ୍କ ମୃତ୍ୟୁ ହେବା ଏହି ଲଢ଼େଇର ଭୟାବହତାକୁ ଦର୍ଶାଉଛି। ୨୦୨୩ର ପ୍ରଥମ ଦିନରେ ହିଁ ହାତୀ ଆକ୍ରମଣରେ ଅନୁଗୁଳ ବ୍ଲକ୍ ହମାମିରା ଗ୍ରାମର ନିତ୍ୟା ଗୋଛାୟତଙ୍କ ମୃତ୍ୟ ହୋଇଥିଲା। ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଗାଁ ଖେଳପଡ଼ିଆ ନିକଟରେ ହାତୀପଲ ତାଙ୍କୁ କଚାଡ଼ି ମାରିଥିଲେ। ମୃତଦେହ ୨ ତାରିଖ ସକାଳେ ମିଳିଥିଲା। ସେହିପରି ୭ ତାରିଖ ସକାଳେ ଗୋଟିଏ ମାଖନା ହାତୀ ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସିଂହା ଓ ଗଡ଼ସନ୍ତ୍ରୀ ଗ୍ରାମର ଜଣେ ଉତ୍ପାତ କରିଥିଲା। ନରହନ୍ତା ହାତୀର ପାଦରେ ୪ ଜଣଙ୍କ ଜୀବନ ଯାଇଥିଲା। ନୂଆବର୍ଷର ସପ୍ତାହକ ଭିତରେ ହାତୀ ପାଦତଳେ ୫ ଜଣଙ୍କ ଜୀବନ ଯିବା ପରେ ଉଭୟ ଅନୁଗୁଳ ଓ ବଅଁରପାଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପଟେ ହାତୀ ଉପଦ୍ରବ ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।
ଗତ ୫ ବର୍ଷ ହେଲାଣି ଅନୁଗୁଳ ଜିଲ୍ଲାରେ ଏହି ହାତୀ-ମଣିଷ ଲଢ଼େଇ ବଢ଼ି ଚାଲିଛି। ୨୦୧୮-୧୯ରେ ୧୦ଟି ହାତୀଙ୍କ ମୃତ୍ୟୁ ହୋଇଥିଲାବେଳେ ୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୨୦୧୯-୨୦ରେ ୧୨ଟି ହାତୀଙ୍କର ମୃତ୍ୟୁ ହୋଇଥିଲାବେଳେ ହାତୀ ଆକ୍ରମଣରେ ୨୪ ଜଣ ଲୋକଙ୍କ ଜୀବନ ଯାଇଥିଲା। ୨୦୨୦-୨୧ରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ସେହିବର୍ଷ ହାତୀ ପାଦ ତଳେ ୧୪ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୨୧-୨୨ରେ ଅନୁଗୁଳ ଜିଲ୍ଲାରେ୧୧ଟି ହାତୀ ପ୍ରାଣ ହରାଇଥିଲେ। ସେହି ସମୟ ଭିତରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। କେବଳ ୨୦୨୨ ମସିହାରେ ଅନୁଗୁଳ ଜିଲ୍ଲାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବାଦ୍ ୨ଟି ହାତୀ କଙ୍କାଳ ଉଦ୍ଧାର କରାଯାଇଛି। ଏପଟେ ହାତୀ ପାଦ ତଳେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ପରିସଂଖ୍ୟାନ ବନବିଭାଗ ଅପାରଗତାକୁ ଦର୍ଶାଉଥିଲା ବେଳେ ଗଜବନ୍ଧୁ ଓ ହାତୀସ୍କ୍ବାଡ୍ର ସଦସ୍ୟମାନେ କଣ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି।
ସୂଚନା ଅନୁସାରେ, ହାତୀ ସ୍କ୍ବାଡ୍ରେ ସ୍ଥାନ ପାଇଥିବା ବହୁ କର୍ମଚାରୀ ବନବିଭାଗର ବରିଷ୍ଠ ଅଧିକାରୀଙ୍କ ଘରେ କାମ କରୁଥିବା ଅଭିଯୋଗ ହେଉଛି। ଫଳରେ, ହାତୀ ଜଗିବାକୁ ସମୟ ଦେଉ ନାହାନ୍ତି। ଏପଟେ ବନବିଭାଗର ଅଧିକାରୀମାନେ ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେଉ ନାହାନ୍ତି। ଏହାର କୁଫଳ ସାଧାରଣ ଲୋକ ଭୋଗୁଛନ୍ତି। ବନବିଭାଗ ଏଥିପ୍ରତି ଗୁରୁତ୍ବ ନ ଦେଲେ ଆଗକୁ ପରିଣତି ଭୟାବହ ହେବା ନିଶ୍ଚିତ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି।