ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ କିଛି ମାସ ହେଲା ହାତୀ-ମଣିଷ ଲଢ଼େଇ ଉଗ୍ର ହୋଇଛି। ଏଥିନେଇ ବାରମ୍ବାର ବୈଠକ ହେଉଛି, ସ୍ଥିତି ସମୀକ୍ଷା କରାଯାଉଛି। ହାତୀ ସମସ୍ୟାର ସମାଧାନ ପାଇଁ ସରକାର ବି ପାଣ୍ଠି ଯୋଗାଇ ଦେଇଛନ୍ତି। କିନ୍ତୁ ଫଳ କିଛି ହେଉନି। ଓଲଟା ବନ୍ତଳା ଅଞ୍ଚଳରେ ହାତୀ ଏବେ ଦିନରେ ବି ଗାଁ ଗଣ୍ଡାରେ ବୁଲିଲେଣି। ସ୍ଥିତି ଏମିତି ଯେ, ବନ ବିଭାଗ ଏକପ୍ରକାର ଅସହାୟ ହୋଇପଡ଼ିଛି। ଜନବସତିରୁ ହାତୀ ଘଉଡ଼ାଇବା ଦିଗରେ ବିଭାଗ ହାତ ଟେକି ଦେଇଛି, ଆଉ ଲୋକେ ଭଗବାନଙ୍କ ଭରସାରେ ଅଛନ୍ତି।
ବର୍ଷେରୁ ଅଧିକ ସମୟ ହେଲା ହାତୀ-ମଣିଷ ଲଢ଼େଇରେ ଥରହର ହେଉଛି ବନ୍ତଳା ବନାଞ୍ଚଳ। ଏହି ଲଢ଼େଇରେ ପାଖାପାଖି ୩୦ ଜଣଙ୍କ ମୃତ୍ୟୁ ହେଲାଣି। ହାତୀ ବି ମରୁଛନ୍ତି। ଏହାକୁ ନେଇ ବନ୍ତଳା ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବା ପରେ ସରକାରଙ୍କ ନିଦ ଭାଙ୍ଗିଥିଲା। ହାତୀ-ମଣିଷ ସଂଘର୍ଷ ରୋକିବାକୁ ରାଜ୍ୟ ସରକାର ବନ୍ତଳା ଅଞ୍ଚଳ ପାଇଁ ୪.୬୫ କୋଟି ଟଙ୍କା ମଂଜୁର କରିଥିଲେ। ବନ୍ତଳା ବନାଞ୍ଚଳର ବିଭିନ୍ନ ଗାଁରେ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ହାତୀ ଉପଦ୍ରବରୁ ଲୋକଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ଏହି ପାଣ୍ଠି ସହାୟକ ହେବ ବୋଲି ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ। ତେଣୁ ସାଧାରଣ ଲୋକଙ୍କ ମନରେ ଭରସା ଜାଗିଥିଲା ଯେ ଏଥର ହାତୀ ଦୁଃଖ ଯିବ। ହାତୀ ଭୟରେ ବର୍ଷେ ହେଲା ସନ୍ଧ୍ୟାରୁ ତାଟି କବାଟ ପଡ଼ୁଥିବା ଗାଁରେ ଖୁସି ଫେରିବ। ବେଳ, ଅବେଳରେ ଲୋକେ ଏ ଗାଁରୁ ସେ ଗାଁକୁ ଯାଇପାରିବେ। କାହାର ମୃତ୍ୟୁ ହେଲେ ରାତିରେ ମଶାଣିକୁ ନେଉ ନଥିବା ଲୋକମାନେ ଆଶ୍ବସ୍ତ ହେବେ। ଭୟରେ କଲବଲ ହେଉଥିବା ବନ୍ତଳା ଅଞ୍ଚଳରେ ସାଧାରଣ ଜୀବନ ସ୍ବାଭାବିକ ହେବ।
କିନ୍ତୁ ହାତୀ-ମଣିଷ ଲଢ଼େଇ କମିନି, ବରଂ ଅଧିକ ତୀବ୍ର ହୋଇଛି। ଏ ଭିତରେ ବନ୍ତଳା ଅଞ୍ଚଳର ହାତୀ ପାଦତଳେ ୪ ଜଣଙ୍କ ଜୀବନ ଯାଇଛି। ଗତ ଅଗଷ୍ଟ ୨୪ରେ ବନ୍ତଳା ନିକଟସ୍ଥ ପାତେଳି ଗାଁର ଝିଲ୍ଲୀ ମାଝୀ ଓ ଶଙ୍କର ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ସେହି ମାସ ୨୯ରେ ତଳଗଡ଼ ଗାଁର ସୁଲୋଚନା ବିଶ୍ବାଳଙ୍କ ଜୀବନ ହାତୀ ପାଦ ତଳେ ଯାଇଥିଲା। ଆଉ ଗତ ସପ୍ତାହରେ ବସଲାର ଭାବଗ୍ରାହୀ ଜେନାଙ୍କୁ ହାତୀ ଦଳି ମାଟିରେ ପୋତି ପକାଇଛି। କେବଳ ଏତିକି ନୁହେଁ, ଏ ଭିତରେ ହାତୀ ହାବୁଡ଼ରେ ପଡ଼ି ଅଧା ଡଜନ ଲୋକ ଆହତ ହୋଇଛନ୍ତି। ହାତୀ ପାଦ ତଳେ ଶହ ଶହ ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଛି। ଗାଁ ଗାଁରେ ହାତୀ ବୁଲୁଛନ୍ତି। ଘରେ ପଶି ଖାଦ୍ୟଶସ୍ୟ ଖାଉଛନ୍ତି। ଏହାକୁ ନେଇ ବନ୍ତଳା ଅଞ୍ଚଳରେ ଆତଙ୍କର ବାତାବରଣ ଲାଗି ରହିଛି। ସଂଜ ହେଲେ ଘରୁ ବାହାରିବାକୁ ଲୋକେ ଡରୁଛନ୍ତି। ସହର ତଳି ଅଞ୍ଚଳରେ ମଧ୍ୟ ହାତୀ ପଶିଲେଣି। ତେଣୁ ଲୋକମାନେ ବନ ବିଭାଗ କର୍ମଚାରୀଙ୍କ ଉପରେ ରାଗ ସୁଝାଉଛନ୍ତି। ସେମାନଙ୍କୁ ଅଟକ ରଖିବା ସହ ଗାଳିମନ୍ଦ କରୁଛନ୍ତି। କିନ୍ତୁ ସେମାନେ ହାତ ଟେକି ଦେଉଛନ୍ତି। ହାତୀ ସମସ୍ୟାର ସମାଧାନ ଦିଗରେ କୌଣସି ଥଳକୂଳ ପାଉନାହାନ୍ତି। ଚେଷ୍ଟା ଚାଲିଛି କହି ସମୟ ଗଡ଼ାଉଛନ୍ତି ସିନା, ଲୋକଙ୍କୁ ବିପଦ ମୁହଁରୁ ବାହାର କରି ପାରୁନାହାନ୍ତି। ଏଥିନେଇ ବନ୍ତଳା ସାମାଜିକ ସୁରକ୍ଷା ମଞ୍ଚର ସଭାପତି ମହେଶ ସାହୁ କହିଛନ୍ତି ଯେ, ହାତୀ ଭୟରେ ବନ୍ତଳା ଅଞ୍ଚଳ ଥରୁଛି। ଦିନ ଦ୍ବିପହରରେ ହାତୀ ଗାଁ ଗାଁରେ ବୁଲୁଛନ୍ତି। ଲୋକଙ୍କୁ ମାରୁଛନ୍ତି। ହାତୀ-ମଣିଷ ବିବାଦ ରୋକିବାକୁ ସରକାର ଦେଇଥିବା ୪.୬୫ କୋଟି ଟଙ୍କା ଖର୍ଚ୍ଚ ହେଉଛି କି ନାହିଁ ତାହା ଜଣାପଡ଼ୁନି। ବନ ବିଭାଗ କର୍ମଚାରୀମାନେ ଅସହାୟତା ପ୍ରକାଶ କରୁଥିଲାବେଳେ ବନ୍ତଳାବାସୀ ଏବେ ବିପଦ ମୁଣ୍ଡାଇ ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/elephant.jpg)