ବନ୍ତଳା : ଅନୁଗୁଳ ବ୍ଲକ୍ ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ନିକଟରେ ଶୁକ୍ରବାର ସକାଳୁ ମହୁଲପୋଚ ଖାଇ ଏକ ଦନ୍ତାହାତୀ ନିଶାସକ୍ତ ଅବସ୍ଥାରେ ଗଡ଼ିଥିଲା। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଓ ଶଙ୍ଖପୁର ଗ୍ରାମ ସୀମାରେ ଥିବା ଜଙ୍ଗଲ ଭିତରେ ଚୋରାରେ ମହୁଲି ମଦ ତିଆରି କରାଯାଉଛି। ଏହି ମଦ ପାଇଁ ମହୁଲ ପୋଚ ଏକ ମୁଖ୍ୟ ସାମଗ୍ରୀ। ବେଆଇନ ମଦ ପ୍ରସ୍ତୁତି ଉପରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଜଙ୍ଗଲରେ ବୁଲୁଥିବା ହାତୀ ମହୁଲ ପୋଚ ଖାଉଛନ୍ତି।
ଗତକାଲି ରାତିରେ ଏକ ଦନ୍ତାହାତୀ ମହୁଲ ପୋଚଖାଇ ନିଶାରେ ପୋକତୁଙ୍ଗା ଗାଁ ନିକଟରେ ଦିନ ୧୧ଟା ପର୍ଯ୍ୟନ୍ତ ଗଡ଼ିଥିଲା। ତାକୁ ଦେଖିବା ପାଇଁ ବହୁ ଲୋକ ଭିଡ଼ ଜମାଇଥିଲେ। ଦିନ ୨ଟାବେଳେ ବନ୍ତଳା ବନାଞ୍ଚଳ ଅଧିକାରୀ ସେଠାରେ ପହଞ୍ଚି ହାତୀର ଅବସ୍ଥା ପରଖିଥିଲେ। ସେତେବେଳକୁ ହାତୀଟି ପୋକତୁଙ୍ଗା ଗାଁ କଦଳୀ ବଗିଚାରେ ପଶି ଗଛ ନଷ୍ଟ କରୁଥିବା ଦେଖାଯାଇଥିଲା।