ମୃତ୍ୟୁର ଉପତ୍ୟକା ଆଠଗଡ଼ ବନଖଣ୍ଡ: ପୁଣି ମିଳିଲା ହାତୀ କଙ୍କାଳ

ଏସ୍‌ଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠିଲା
ଯାହାଙ୍କ ବିରୋଧରେ ଅଭିଯୋଗ, ସେ ରହିବେ କେମିତି?
୨ ଫେରାର ଫରେଷ୍ଟରଙ୍କ ପତ୍ତାପାଉନି ବିଭାଗ

କଟକ : ‘ସମ୍ବାଦ’ ଆଶଙ୍କା ସତ ହୋଇଛି। ସୋମବାର ଦିନ ପୁଣି ଆଠଗଡ଼ ବନଖଣ୍ଡରେ ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ଗୋପପୁର ସେକ୍ସନ ମଣ୍ଡପ ସଂରକ୍ଷିତ ଜଙ୍ଗଲର କୁଶପାଳ ବିଟ୍‌ ଅଂଚଳରୁ ଏକ ହାତୀର କଙ୍କାଳ ଉଦ୍ଧାର କରାଯାଇଛି। ଏହି କଙ୍କାଳ ପ୍ରାୟ ଦୁଇବର୍ଷ ତଳର ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥାତ୍‌ ପାଖାପାଖି ୨ବର୍ଷ ବା ତା’ଠାରୁ ଅଧିକଦିନ ହେଲା ହାତୀକୁ ମାରି ଏଭଳି ପୋତି ଦିଆଯାଇଛି। ଏହାର ବୟସ ୪୦ବର୍ଷରୁ ଅଧିକ ବୋଲି ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।

ସୋମବାର ଅପରାହ୍ନରେ ଜେସିବି ସହାୟତାରେ ଚିହ୍ନଟ ଅଞ୍ଚଳକୁ ଖୋଳାଯାଇଥିଲା। ଏହିସମୟରେ ହାତୀର କଙ୍କାଳ ବାହାରିଥିଲା। ଘଟଣାସ୍ଥଳରୁ ହାତୀର ହାଡ଼ସବୁ ଜବତ କରି ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି। ଏହି ଘଟଣାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କେବଳ ବଡ଼ମ୍ବାରୁ ୪ଟି ହାତୀ କଙ୍କାଳ ମାଟି ତଳୁ ଉଦ୍ଧାର ହେଲାଣି। ଅନ୍ୟପଟେ, ସରକାରଙ୍କ ପକ୍ଷରୁ ଗଠିତ ଏସ୍‌ଆଇଟିର ୬ଜଣିଆ ଟିମ୍‌ ଆଜି ବଡ଼ମ୍ବାରେ ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟ‌ାନ କରିଥିଲେ। ଡିଏଫ୍‌ଓ ଓ ଅନ୍ୟ ବନ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି ଯେ ଟିମ୍‌ ତଦନ୍ତ କରୁଥିବା ସମୟରେ ହିଁ ଆଜି ଆଉ ଏକ ହାତୀ କଙ୍କାଳ ଜବତ କରାଯାଇଛି। ଫଳରେ ବଡ଼ମ୍ବାରେ ଆଜି ସୁଦ୍ଧା ୪ଟି ହାତୀ କଙ୍କାଳ ଉଦ୍ଧାର କରାଯାଇଛି। ଏ ସମ୍ପର୍କିତ ଅଭିଯୋଗକୁ ଏହା ଆହୁରି ଦୃଢ଼ୀଭୂତ କରିଥିବା ବେଳେ ଗୋପପୁର ସେକ୍ସନରେ ଆହୁରି ହାତୀ କଙ୍କାଳ ମାଟିତଳେ ପୋତା ହୋଇଥିବା ଅନୁମାନ କରାଯାଉଛି।

ଅନୁଗୁଳ ସର୍କଲର ଚିଫ୍‌ କନ୍‌ଜରଭେଟର ଅଫ୍‌ ଫରେଷ୍ଟ(ସିସିଏଫ୍‌)ଙ୍କ ଅଧ୍ୟକ୍ଷତାରେଏକ ୬ଜଣିଆ ଟିମ୍ ଗଠନ କରାଯାଇଛି। ଏଥିରେ କଞ୍ଜରଭେଟର ଅଫ୍‌ ଫରେଷ୍ଟ(ଇଟି) ଓ କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ ଡିଏସ୍‌ପି ପାହ୍ୟାର ସଦସ୍ୟ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ; ସିସିଏଫ ବନଜନ୍ତୁ ସଂରକ୍ଷଣ ମନୋଜ ଭି.ନାୟାର, ସିଏଫ ବନ୍ୟଜନ୍ତୁ ସଂରକ୍ଷଣ କେଦାର ସ୍ୱାଇଁ, ଆରସିସିଏଫ ଅନୁଗୁଳ ଯୋଗ ଦୟାନନ୍ଦ, ଡିଏସପି ଏସଟିଏଫ ଦିଲ୍ଲୀପ କୁମାର ସାହୁ, ଡାକ୍ତର ଇନ୍ଦ୍ରମଣି ନାଥ, ପ୍ରଫେସର ଭେଟନାରୀ ସର୍ଜରୀ, ଓୟୁଏଟିର କଙ୍କାଳ ବିଶେଷଜ୍ଞ ଡକ୍ଟର ଶିବ ପ୍ରସାଦ ପରିଡା ପ୍ରମୁଖ ରହିଛନ୍ତି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥନ ଯାଦବ, ଏସିଏଫ୍‌ ଘନଶ୍ୟାମ ମଲ୍ଲିକଙ୍କ ସମେତ ବନବିଭାଗ କର୍ମଚାରୀ ଓ ଅଧିକାରୀମାନେ ବି ତଦନ୍ତ ସମୟରେ ଉପସ୍ଥିତ ଥିଲେ। ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏବଂ ଆନିମାଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରର ପୁରବୀ ପାତ୍ର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାସେ ଭିତରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଟିମ୍‌।

ତେବେ ଏହି ଘଟଣାରେ ଏସ୍‌ଆଇଟି ଟିମ୍‌ର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଯେଉଁ ବନବିଭାଗ ବିରୋଧରେ ରହିଥିବା ଅଭିଯୋଗର ତଦନ୍ତ ସେମାନେ କରୁଛନ୍ତି, ତଦନ୍ତ ସମୟରେ ବନବିଭାଗର ଅଧିକାରୀ ଅର୍ଥାତ୍‌ ଡିଏଫ୍‌ଓ ଉପସ୍ଥିତ ରହିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି ବଡମ୍ବା ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର ଓ ଗୋପପୁର ସେକ୍ସନ ଫରେଷ୍ଟରଙ୍କୁ ନିଲମ୍ବନ କରାଯିବା ସହିତ ସେମାନଙ୍କ ନାମରେ ବନବିଭାଗ ମାମଲା ରୁଜୁ କରିଥିଲେ ବି ଘଟଣାର ୧୫ଦିନ ପରେ ମଧ୍ୟ ସେମାନଙ୍କୁ ଧରାଯାଇ ପାରୁନି। ଅନ୍ୟପଟେ, ଆଠଗଡ଼ ବନଖଣ୍ଡ ଯେମିତି ହାତୀମୃତ୍ୟୁର ଉପତ୍ୟକା ପାଲଟିଛି!!!

ସମ୍ବନ୍ଧିତ ଖବର