ଧାନ ଫସଲ ଜଗିଥିବା ଚାଷୀଙ୍କୁ ଦଳିଦେଲା ହାତୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଖଇରଗୁରା ଶୁଲିଆ ସଂରକ୍ଷିତ ଜଙ୍ଗଲ ନିକଟରେ ସୋମବାର ରାତିରେ ଧାନ ଫସଲ ଜଗିଥିବା ଚାଷୀ ମାଛୁ ମହାନନ୍ଦ (୫୫ବର୍ଷ)ଙ୍କୁ ହାତୀ ଦଳିଦେଇଛି। ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି କର୍ମଚାରୀ ଆସିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ଗ୍ରାମବାସୀଙ୍କ ସୂଚନା ଅନୁସାରେ, କଲୁତାପଡ଼ା ପଞ୍ଚାୟତ ଖଇରଗୁରା ଗାଁର ବଡ଼ଶୁଲିଆ ଖଳାରୁ ଶହେ ମିଟର ଦୂରରେ ଚାଷୀ ମାଛୁଙ୍କ ଚାଷଜମି ରହିଛି। ପାଚିଲା ଧାନ ଫସଲକୁ ଜଗିବା ପାଇଁ ସୋମବାର ରାତି ୮ଟାରେ ସେ କ୍ଷେତକୁ ଯାଇଥିଲେ। ସେଠାରେ ହାତୀ ଥିବା ସେ ଜାଣି ପାରିନଥିଲେ। ଏହି ସମୟରେ ଗୋଟିଏ ହାତୀ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ହେଲେ କେହି ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ନିକଟରେ ହାତୀ ଥିବାରୁ ପାଖକୁ ପୁଲିସ କି ଲୋକ ମଧ୍ୟ ଯାଇ ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର