ଢେଙ୍କାନାଳ: ସଦର ରେଞ୍ଜ କାକୁଡ଼ିଭାଗ ପଞ୍ଚାୟତ ଗୁହାଳଡିହି ଗ୍ରାମରେ ଆଜି ଭୋର ସମୟରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଦୟାନନ୍ଦ ସୁତାର(୬୦)। ମିଳିଥିବା ସୂଚନା ଅନୁଯାୟୀ, ଗୁହାଳଡିହି ଗ୍ରାମର ଦୟାନନ୍ଦ ସୁତାର ଆଜି ଭୋର ସାଢେ ୬ଟା ସମୟରେ ଶୌଚ ହେବାକୁ ଗ୍ରାମ ନିକଟ ବିଲକୁ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ହାତୀ ତାଙ୍କୁ ଦେଖି ଦଳି ଦେଇଥିଲା। ତାଙ୍କ ମୁହଁ, ମୁଣ୍ଡ, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ପରିବାର ଲୋକ ଏବଂ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୃତଦେହକୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ହାତୀ ଆକ୍ରମଣରେ ଦୟାନନ୍ଦଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଭାପୁର ଛକଠାରେ ରାସ୍ତାରୋକ କରିଥିଲେ। ଖବର ପାଇ ସଦର ରେଞ୍ଜର୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଇବା ସହ ଆବଶ୍ୟକ କ୍ଷତିପୂରଣ ମିଳିବାକୁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା। ଏ ସଂପର୍କରେ ସଦର ରେଞ୍ଜର୍ ବିଭୁଦାନନ୍ଦ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଗତକାଲି ରାତିରେ ଗୁହାଳଡିହି ଗ୍ରାମ ନିକଟରେ ହାତୀ ରହିଥିଲେ। ଏଥି ପାଇଁ ବନ କର୍ମଚାରୀମାନେ ହାତୀକୁ ଘଉଡାଇଥିଲେ। ହାତୀ ସଂପୃକ୍ତ ଅଞ୍ଚଳରେ ରହିଥିବା ଜାଣି ମଧ୍ୟ ଲୋକମାନେ ରାତିରୁ ବାହାରକୁ ଯାଉଛନ୍ତି। ଯେଉଁଥି ପାଇଁ ଆଜି ଏପରି ଘଟଣା ଘଟିଲା। ମୃତକଙ୍କ ପରିବାକୁ ନିୟମ ଅନୁଯାୟୀ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/xfhfsffhsfhfhhff.jpg)