ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେଲେ, ଦୋଷ ଲୁଚାଇବାକୁ ବନ କର୍ମଚାରୀଙ୍କ ଚକ୍ରାନ୍ତ

ମୃତଦେହ ପୋଡ଼ି ନଦୀରେ ଭସାଇ ଦେଇଥିଲେ, ରେଞ୍ଜର ଓ ୨ ବନ କର୍ମଚାରୀ ନିଲମ୍ବିତ

ବାରିପଦା : ବନ କର୍ମଚାରୀଙ୍କ ସୁରକ୍ଷା ଘେରରେ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଭିତରେ ହାତୀ ଶିକାର। ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ। ଘଟଣାକୁ ଚାପି ଦେବାକୁ ଉଦ୍ୟମ କରି ବନ କର୍ମଚାରୀମାନେ ମଲାହାତୀକୁ ପୋଡ଼ି ଦେହାବଶେଷକୁ ନଦୀରେ ଭସାଇ ଦେଲେ। ଶିମିଳିପାଳ ବନବାସୀ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍‌ନାକୁ ଆସିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବକୁଆ ଗ୍ରାମବାସୀଙ୍କ ସୂଚନା ମୁତାବକ, ଜେନାବିଲ ରେଞ୍ଜରେ ଗତ ୭ ତାରିଖରେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିଲା। ରେଞ୍ଜ୍‌ର କିଛି ବନ କର୍ମଚାରୀ ନିଜ ଦୋଷକୁ ଲୁଚାଇବା ପାଇଁ ହାତୀ ଭଳି ବିରାଟ ଜୀବର ମୃତଦେହକୁ ଗାଏବ କରିଦେବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ମୃତଦେହକୁ କୌଣସି ପ୍ରକାରେ ପୋଡ଼ି ଦେଇଥିଲେ। ବାକି ଯାହା ହାଡ଼ ଓ ଦେହାବଶେଷ ରହିଥିଲା, ତାକୁ ନେଇ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଏ ନେଇ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ ଶନିବାର ଦିନ ୫୦ ଜଣ ବନ କର୍ମଚାରୀଙ୍କୁ ନେଇ ଘଟଣାର ତଦନ୍ତ ପାଇଁ ଜେନାବିଲ ରେଞ୍ଜକୁ ଯାଇଥିଲେ। ବହୁ ସମୟ ଧରି ଛାନ୍‌ଭିନ୍‌ ପରେ ହାତୀ ପୋଡ଼ା ହୋଇଥିବା ସ୍ଥାନ ଚିହ୍ନଟ କରିବା ସହ ନଦୀରୁ କିଛି ହାଡ଼ ମଧ୍ୟ ଜବତ କରିଥିଲେ। ଏହି ସବୁ ହାଡ଼କୁ ବିଶେଷଜ୍ଞଙ୍କ ଦ୍ବାରା ଅନୁଧ୍ୟାନ ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଶ୍ରୀ ଗୌଡ଼। ଏଥିସହ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଓ ଦୁଇଜଣ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ସରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର