ଭୁବନେଶ୍ବର: ଜଣେ ପ୍ରଧାନଶିକ୍ଷୟିତ୍ରୀ ଓ ପୂର୍ବତନ ବିଧାୟକଙ୍କର ସେ ପତ୍ନୀ ଥିଲେ। ସମସ୍ତଙ୍କର ଥିଲେ ସେ ଅତି ଆପଣାର ମଣିଷ। ମାତ୍ର ଜୀବନର ଶେଷ ପୃଷ୍ଠାରେ ନିଷ୍ଠୁର ନିୟତି ଲେଖିଥିଲା ଦୟନୀୟ କାହାଣୀ। ମୃତ୍ୟୁ ପରେ ବି ତାଙ୍କ ଶବକୁ ମିଳିନାହିଁ ଉପଯୁକ୍ତ ସମ୍ମାନ। ଶାନ୍ତିରେ ହୋଇପାରିନି ଅନ୍ତ୍ୟେଷ୍ଟିକ୍ରିୟା। ଜୁଇରୁ ଉଠାଇ ନିଆଯାଇଛି ତାଙ୍କର ଦରପୋଡ଼ା ଶବ। ଶେଷ ଜୀବନ ପର୍ଯ୍ୟନ୍ତ ବୋହୂ ତାଙ୍କୁ ଓ ତାଙ୍କ ଦିବ୍ୟାଙ୍ଗ ଝିଅକୁ ନିଜ ପାଖରେ ରଖିଥିଲେ ହେଁ ସେ ହିଁ ସ୍ଲୋ ପଏଜନ୍ ଦେଇ ହତ୍ୟା କରିଛନ୍ତି ବୋଲି ମାଉସୀ ଶାଶୂ ଆଣିଛନ୍ତି ସଂଗିନ୍ ଅଭିଯୋଗ। ତେଣୁ ବ୍ୟବଚ୍ଛେଦ ପାଇଁ ଜୁଇରୁ ନିଆଯାଇଛି ଅର୍ଦ୍ଧଦଗ୍ଧ ଶବ।
ମାଉସୀ ଶାଶୂ ଆଣିଲେ ହତ୍ୟା ଅଭିଯୋଗ
ସମ୍ପତ୍ତି ହାତେଇବାକୁ ମାଉସୀ ଶାଶୂ ଆଣିଛନ୍ତି ମିଛ ଅଭିଯୋଗ: ବୋହୂ
ଏହା ହେଉଛି ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ଶବଦାହର ବେଳର ଚିତ୍ର। ଆଜି ଖାରବେଳନଗର ଥାନା ପୁଲିସ ଶବ ଜବତ କରିଛି। ଆସନ୍ତାକାଲି ଏମ୍ସରେ ଶବ ବ୍ୟବଚ୍ଛେଦ ପରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରାଯିବ। ଅପରପକ୍ଷେ ସମ୍ପତ୍ତି ହାତେଇବାକୁ ମାଉସୀ ଶାଶୂ ମିଛ ଅଭିଯୋଗ କରିଛନ୍ତି ବୋଲି ବୋହୂ ଉପାସନା ଷଡ଼ଙ୍ଗୀ କହିଛନ୍ତି।
କ୍ୟାପିଟାଲ୍ ହାଇସ୍କୁଲ୍ର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଅଶ୍ରୁକଣା ପ୍ରଧାନ ମଧୁସୂଦନନଗରରେ ରହୁଥିଲେ। ୭୪ବର୍ଷ ବୟସରେ ପହଞ୍ଚିସାରିଥିବା ଅଶ୍ରୁକଣା ସବୁବେଳେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ଆକ୍ରାନ୍ତ ହେଉଥିଲେ। ୨୦୧୭ରେ ପୁଅ ଅମର ଓ ୨୦୨୩ରେ ସ୍ବାମୀ ଅଜୟ ଜେନା ଇହଧାମ ତ୍ୟାଗ କରିଥିଲେ। ଏହାପରଠୁ ବୋହୂ ଉପାସନା ଷଡ଼ଙ୍ଗୀ ଥିଲେ ସବୁକିଛି। ୫ ଦିନ ପୂର୍ବେ ଅଶ୍ରୁକଣା ପୁଣି ଅସୁସ୍ଥ ହୋଇପଡ଼ିବାରୁ ଉପାସନା ଏକ ଘରୋଇ କ୍ଲିନିକ୍ରେ ତାଙ୍କୁ ଭର୍ତ୍ତି କରିଥିଲେ। ଆଜି ପୂର୍ବାହ୍ଣରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ବୋହୂ ଉପାସନା ଶବ ସଂସ୍କାର ପାଇଁ ସତ୍ୟନଗର ମଶାଣିକୁ ଆସିଥିଲେ। ଜୁଇରେ ଶବ ଜଳୁଥିବା ବେଳେ ଖାରବେଳନଗର ଥାନା ପୁଲିସ ପହଞ୍ଚିଥିଲା। ଅଶ୍ରୁକଣାଙ୍କ ଭଉଣୀ ମନିକା ପ୍ରଧାନଙ୍କ ଅଭିଯୋଗ ପାଇଁ ପୁଲିସ ସେଠାରେ ପହଞ୍ଚି ଜୁଇରେ ପାଣି ପକାଇ ଲିଭାଇବା ସହ ଦରପୋଡ଼ା ଶବ ଜବତ କରିଥିଲା।
ମନିକା ଅଭିଯୋଗ କରିଥିଲେ ଯେ ବୋହୂ ଉପାସନା ତାଙ୍କ ବୃଦ୍ଧା ଭଉଣୀକୁ ସ୍ଲୋ ପଏଜନ୍ ଦେଇ ମାରିଦେଇଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବୋହୂ ଉପାସନା ଶାଶୂ ଓ ନଣନ୍ଦଙ୍କୁ ଗୃହବନ୍ଦୀ କରି ରଖିଥିଲେ ଏବଂ ଖାଇବାକୁ ନ ଦେଇ ନିର୍ଯାତନା ଦେଉଥିଲେ। ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନ କରି ପୋଡ଼ି ଦେବାକୁ ଉପାସନା ଅପଚେଷ୍ଟା କରିଥିଲେ ବୋଲି ମାଉସୀ ଶାଶୂ ମନିକା କହିଛନ୍ତି। ଏହାର ପାଲଟା ଜବାବ ରଖିଛନ୍ତି ଉପାସନା। ସେ କହିଛନ୍ତି ଯେ ପୂର୍ବରୁ କାହାର ଦେଖାଦର୍ଶନ ନଥିଲା। ଏବେ ସମ୍ପତ୍ତି ହାତେଇବାକୁ ମାଉସୀ ଶାଶୂ ମିଛ ଅଭିଯୋଗ କରୁଛନ୍ତି। ତାଙ୍କ ସ୍ବାମୀ ଅମରଙ୍କ ମୃତ୍ୟୁ ପରଠୁ ମାଉସୀ ଶାଶୂ ଏଭଳି ବିଭିନ୍ନ ମିଛ ଅଭିଯୋଗ କରି ତାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି ବୋଲି ଉପାସନା କହିଛନ୍ତି। ଖାରବେଳନଗର ଥାନା ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ବୋଲି ଥାନା ଆଇଆଇସି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/S2Y5TSRjX5bfSPTMZ4zQ.jpg)