ବିଚାରାଧୀନ ମାମଲା ହ୍ରାସ ଉପରେ ଗୁରୁତ୍ବ

ନ୍ୟାୟପାଳିକା, ପୁଲିସ, ଜେଲ୍‌ ଓ ଆଇନ ସହାୟତା ସମ୍ମିଳନୀ

ଭୁବନେଶ୍ବର : ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଶା ଓ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଟିମ୍‌ର ମିଳିତ ଆନୁକୂଲ୍ୟରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ନ୍ୟାୟପାଳିକା, ପୁଲିସ, ଜେଲ ଓ ଆଇନ ସହାୟତା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଏସ.ମୁରଲୀଧର ସମ୍ମିଳନୀରେ ଭାରତୀୟ ବିଧି ବ୍ୟବସ୍ଥାରେ ବାର୍‌ର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।

ପ୍ରଥମ ଅଧିବେଶନରେ ଇଣ୍ଡିଆ ଜଷ୍ଟିସ ରିପୋର୍ଟର ମୁଖ୍ୟ ସମ୍ପାଦକ ଏମ. ଦାରୁୱାଲା ଇଣ୍ଡିଆ ଜଷ୍ଟିସ ରିପୋର୍ଟ-୨୦୨୦ ସମ୍ପର୍କରେ ଅବଗତ କରାଇଥିଲେ। ହାଇକୋର୍ଟର ନ୍ୟାୟମୂର୍ତ୍ତି ସଂଗ୍ରାମ କୁମାର ସାହୁ, ନ୍ୟାୟମୂର୍ତ୍ତି ବିଭୁ ପ୍ରସାଦ ରାଉତରାୟ ବିଚାରାଧୀନ ମାମଲାଗୁଡ଼ିକ ହ୍ରାସ କରିବା ଲାଗି ଦୃଢ଼ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର ଏବଂ ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟ ମଧୁରିମା ଧନୁଜା, ଇଣ୍ଡିଆ ଜଷ୍ଟିସ ରିପୋର୍ଟକୁ ପ୍ରଶଂସା କରିଥିଲେ।

ଦ୍ବିତୀୟ ଅଧିବେଶନରେ ଓଡ଼ିଶାର ପୋଲିସ ଡିଜି ଅଭୟ, ଇଣ୍ଡିଆ ଜଷ୍ଟିସ ରିପୋର୍ଟକୁ ସ୍ବାଗତ କରିବା ସହିତ ପୁଲିସ ବିଭାଗର ସମସ୍ତ କାର୍ଯ୍ୟକୁ କେବଳ ପରିସଂଖ୍ୟାନ ମଧ୍ୟରେ ସୀମିତ କରିହେବ ନାହିଁ ବୋଲି କହିଥିଲେ। ଡିଜି(ଜେଲ୍‌) ସନ୍ତୋଷ କୁମାର ଉପାଧ୍ୟାୟ ଅନ୍ତେବାସୀମାନଙ୍କ ପାଇଁ ଜେଲ୍‌ରେ ସ୍ଥାନ ଅଭାବ ସହିତ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଆଦି ବିଷୟରେ ମତ ରଖିଥି‌ଲେ। ଏହି ସମ୍ମିଳନୀରେ ନାଗରିକ ସମୂହ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବେଦକୁମାରୀ ସମ୍ମିଳନୀ ଶେଷରେ ବକ୍ତବ୍ୟ ରଖିଥିଲେ। ପ୍ର‌ଫେସର ଯୋଗେଶ ପ୍ରତାପ ସିଂ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର