ଅନୁଗୁଳ: ଦିନ ଥିଲା ଢେଙ୍କାନାଳ ଥିଲା ଜନ୍ତୁମାଫିଆ ଓ ଶିକାରୀଙ୍କ ଭୂସ୍ବର୍ଗ। ମାଳମାଳ ଶିକାରୀ ପାରମ୍ପରିକ ଅସ୍ତ୍ରରେ ଶିକାର ଚଳାଇଥିଲେ। ହିନ୍ଦୋଳ ରେଞ୍ଜ କନ୍ଧରା ଜଙ୍ଗଲ ହେଉ କି ସଦର ରେଞ୍ଜ କପିଳାସ ଜଙ୍ଗଲ। ସବୁଠି ଥିଲା ଶିକାରୀଙ୍କ ଉପସ୍ଥିତି। ବନବିଭାଗ ‌ସେମାନଙ୍କ ପାଖରେ ପହଞ୍ଚିବା କଷ୍ଟକର ଥିଲା। କିନ୍ତୁ ଗଲା ୫/୭ବର୍ଷ ଭିତରେ ଢେଙ୍କାନାଳରେ ଜନ୍ତୁ ଶିକାର କମିଥିବାବେଳେ ମାଫିଆଙ୍କ ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଥିବା ତଥ୍ୟରୁ ଜଣାପଡ଼ିଛି। ତଥାପି ବିପଦ ଟଳିନାହିଁ। କାରଣ ଗଲା ୫ବର୍ଷ ଭିତରେ ଢେଙ୍କାନାଳ ବନଖଣ୍ଡ ବନ୍ୟଜନ୍ତୁ ଦେହାବଶେଷ ଜବତରେ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି। ଯାହା ଶିକାରୀଙ୍କ ଉପସ୍ଥିତିକୁ ସ୍ପଷ୍ଟ କରିଛି।

Advertisment

ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଦେଇଥିବା ତଥ୍ୟରୁ ଜଣାପଡ଼ିଛି ୨୦୧୯ରେ ଢେଙ୍କାନାଳ ବନଖଣ୍ଡରେ ୬ଟି, ୨୦୨୦ରେ ୧୪ଟି, ୨୦୨୧ରେ ୪ଟି, ୨୦୨୨ରେ ୬ଟି ଓ ୨୦୨୩ରେ ୪ଟି ବନ୍ୟଜନ୍ତୁ ଦେହାବଶେଷ (ୱାଇଲ୍ଡ ଲାଇଫ୍‌ ଆର୍ଟିକିଲ୍‌) ଜବତ ହୋଇଛି। ଯେଉଁଥିରେ ହାତୀ ଦାନ୍ତ ସହ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦେହାବଶେଷ ରହିଛି। ଯାହା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି। ଉକ୍ତ ତଥ୍ୟ ଅନୁସାରେ ବନ୍ୟଜନ୍ତୁ ଦେହାବଶେଷ ଜବତରେ କଳାହାଣ୍ଡି ସାଉଥ୍‌ ଡିଭିଜନ୍‌ ପ୍ରଥମ (୨୧୫), ଖୋର୍ଦ୍ଧା ଡିଭିଜନ୍ ଦ୍ବିତୀୟ (୩୭)ରେ ରହିଛି। ଏହା ପଛକୁ ୫ବର୍ଷରେ ଢେଙ୍କାନାଳରେ ଜବତ ହୋଇଛି ୩୪ଟି ବନ୍ୟଜନ୍ତୁ ଅଂଶବିଶେଷ।

ଅନ୍ୟପଟେ ଗତ ୫ବର୍ଷ ଭିତରେ ଜଣେ ବି ବନ୍ୟଜନ୍ତୁ ଶିକାର ମାମଲାରେ ଦଣ୍ଡିତ ହୋଇ ନାହାନ୍ତି। ରାଜ୍ୟ ଏହି ସମୟ ଭିତରେ ୧୮ଜଣ ଦଣ୍ଡିତ ହୋଇଥିବା ବେଳେ ଢେଙ୍କାନାଳ ଏ କ୍ଷେତ୍ରରେ ପଛରେ ରହିଛି। ବିଧାନସଭା ତଥ୍ୟ ମୁତାବକ, ୨୦୧୯ରେ ଢେଙ୍କାନାଳ ବନଖଣ୍ଡରେ ୪୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେହିପରି ୨୦୨୦ରେ ୪୨ଜଣ, ୨୦୨୧ରେ ୧୯ଜଣ, ୨୦୨୦ରେ ୨୭ଜଣ, ୨୦୨୨ରେ ୨୭ଜଣ, ୨୦୨୩ରେ ୨୨ଜଣ ଓ ୨୦୨୪ ଜୁନ ମାସ ସୁଦ୍ଧା ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହି ୫ବର୍ଷ ଭିତରେ ମୋଟ୍‌ ଉପରେ ୧୫୮ଜଣଙ୍କ ନାଁରେ ବନବିଭାଗ ମାମଲା ରୁଜୁ କରିଥିଲାବେଳେ ଜଣଙ୍କୁ ବି ଦୋଷୀସାବ୍ୟସ୍ତ କରାଯାଇନାହିଁ।

ଏ ସମ୍ପର୍କରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କରଙ୍କ କହିବା ମୁତାବକ ୧୦/୧୫ ବର୍ଷ ତଳେ ଶିକାରୀ ଯେଭଳି ଆତଙ୍କ ଖେଳାଉଥିଲେ ଏବେ ସେଭଳି ନାହିଁ। ଘଞ୍ଚ ଜଙ୍ଗଲ ଭିତରେ ବନବିଭାଗର ୱାଚ୍‌ ଟାୱାର ନିର୍ମାଣ ସହ ଭିଏଚ୍‌ଏଫ୍‌ ସୁବିଧା, କର୍ମଚାରୀଙ୍କ ପାଟ୍ରୋଲିଂ ଶିକାର କମାଇଛି। ଗତ ୫ବର୍ଷ ଭିତରେ ଉନ୍ନତ ଜ୍ଞାନକୌଶଳ ସହଯୋଗରେ ବନ୍ୟଜନ୍ତୁ ଦେହାବଶେଷ ଜବତ ଓ ଚିହ୍ନଟ ସହଜ ହୋଇଛି। ବନବିଭାଗର ଚଢ଼ଉ, ଜନସଚେତନତା ଆଦି ମଧ୍ୟ ସହାୟକ ହୋଇଛି। ଶିକାରୀମାନଙ୍କ ପରବର୍ତ୍ତୀ ପିଢ଼ି ଆଉ ଶିକାର ରାସ୍ତାରେ ନାହାନ୍ତି। ଗିରଫ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ ପ୍ରସଙ୍ଗରେ ଶ୍ରୀ କର କହିଛନ୍ତି, ଏହା ବିଭାଗ ପାଇଁ ନିଶ୍ଚିତ ଚିନ୍ତାଜନକ ବୋଲି ସ୍ବୀକାର କରୁଛୁ। ନିକଟରେ ଏ ସମ୍ପର୍କରେ ରେଞ୍ଜର୍‌, ଫରେଷ୍ଟର୍‌, ଅନ୍ୟ କର୍ମଚାରୀଙ୍କ ସହିତ ପବ୍ଲିକ୍‌ ପ୍ରୋସିକ୍ୟୁଟର ଓ ଏପିପିଙ୍କୁ ନେଇ ୨ଟି କର୍ମଶାଳା ଆୟୋଜିତ ହୋଇଥିଲା। ଦୋଷୀ କିଭଳି ଖସି ଯାଉଛନ୍ତି ଓ ସେ‌ନେଇ ଆଇନ୍‌ରେ ଥିବା ଗଳାବାଟ ସମ୍ପର୍କରେ ଆଲୋଚନା ହୋଇଥିଲା। ନିକଟରେ ୨/୩ ଟି ମାମଲାରେ ଶିକାରୀଙ୍କୁ ଜାମିନ୍ ମିଳିନାହିଁ। ଆଗକୁ ଆମ ଦ୍ବାରା ରହିଯାଉଥିବା ତ୍ରୁଟିକୁ ସୁଧାରି ଦୋଷୀକୁ ଅଦାଲତରେ ଦଣ୍ଡିତ କରିବା ଦିଗରେ ଆମେ କାମ କରିବୁ ବୋଲି ସେ କହିଥିଲେ।