ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଆଜି ଗୋଟିଏ ଦିନରେ ୧୭ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍‌ ଜଗଦୀଶ ରହିଥିବା ପୁଲିସ ସୂଚନା ଦେଇଛି। ସୁକମା ଜିଲ୍ଲା କେରଲାପାଲ ଥାନା ଅନ୍ତର୍ଗତ ଗୋଙ୍ଗୁଡ଼ା, ନେଣ୍ଡୁମ, ଉପମପଲ୍ଲୀ ଗାଁ ନିକଟରେ ନକ୍ସଲ କ୍ୟାମ୍ପ କରିଥିଲେ। ସୂଚନା ମିଳିବା ପରେ ଗତକାଲି ରାତିରେ ଲମ୍ବା ଅପରେସନ୍‌ ନିମନ୍ତେ ଗୁଳିଗୋଳା ଧରି ଜଙ୍ଗଲରେ ପଶିଥିଲେ ଡିଆର୍‌ଜି ଏବଂ ସିଆରପିଏଫ୍‌ ଯବାନ। ଆଜି ସକାଳ ପ୍ରାୟ ୮ଟାରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ପରେ ସର୍ଚ ଅପରେସନ୍‌ କରିଥିଲେ ଯବାନ। ଘଟଣାସ୍ଥଳରୁ ୧୭ ନକ୍ସଲଙ୍କ ମୃତଦେହ ମିଳିଥିଲା।

Advertisment

ଶନିବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ବସ୍ତର ରେଞ୍ଜ ଆଇଜି ପି.ସୁନ୍ଦରରାଜ, ଦନ୍ତେୱାଡ଼ା ଡିଆଇଜି କମଳଲୋଚନ, ଏସ୍‌ପି କିରଣ ଚୌହାନ, ସିଆରପିଏଫ୍‌ ଡିଆଇଜି ଆନନ୍ଦ ସିଂ ଅପରେସନ୍‌ର ସବିଶେଷ ତଥ୍ୟ ଦେଇଛନ୍ତି। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ଜଗଦୀଶ କୁହଡାମି ଓରଫ ବୁଦରା ନିହତ ହୋଇଛି। ଷ୍ଟେଟ୍‌ ଜୋନାଲ୍‌ କମିଟି ସଦସ୍ୟ ଜଗଦୀଶ ନାଁରେ ଡଜନେରୁ ଅଧିକ ଆପରାଧିକ ମାମଲା ରହିଛି। ଝିରମ ଘାଟି ହମ୍‌ଲାର ସେ ମାଷ୍ଟର ମାଇଣ୍ଡ୍‌ ଥିଲା। ତା’ ନାଁରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ଏସିଏମ୍‌ ରୋଶନ୍‌ ଓରଫ ଭୀମା ପଡିଆମି, ଏସିଏମ୍‌ ସଲବମ ଯୋଗୀ, ସିଏନ୍‌ଏମ୍‌ ଅଧ୍ୟକ୍ଷ ମାଡବି ଦେବେ, ସୁରକ୍ଷା ଦଳର କମାଣ୍ଡର ଦସରି କାବାସି, ପାର୍ଟି ସଦସ୍ୟ ହୁଙ୍ଗି ନିଲାବାୟା, ପାର୍ଟି ସଦସ୍ୟ ହିଡମେ କୁରମାଗନ୍ଦି ନିହତ ହୋଇଥିବା ଜଣାପଡ଼ିଛି। ନିହତ ଅନ୍ୟ ନକ୍ସଲଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଘଟଣାସ୍ଥଳରୁ ଏକେ-୪୭ ସହ ଇନ୍‌ସାସ୍‌ ରାଇଫଲ୍‌, ଏସ୍‌ଏଲ୍‌ଆର, ୩୦୩ ରାଇଫଲ୍‌, ରକେଟ୍‌ ଲଞ୍ଚର, ବିଜିଏଲ୍‌ ଲଞ୍ଚର୍‌ ସମେତ ବିପୁଳ ବିସ୍ଫୋରକ ଜବତ ହୋଇଛି। ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ଜଣ ଡିଆର୍‌ଜି ଯବାନ ଏବଂ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି।