ପୁରୀ: ଆଜି ଥିଲା ରଥ ନିର୍ମାଣର ୩୯ତମ ଦିବସ। ଗତକାଲି ସୁଦ୍ଧା ତିନିରଥର ଉଭୟ ପାର୍ଶ୍ୱରେ ତିନିଟି ଲେଖାଏଁ ପୋଲ ଗୟଳ ମୋଡ଼ାଯାଇ, ଅନୁକୂଳ ପୂଜା ହୋଇଥିଲା। ତିନି ରଥର ଚାରିନାହାକା ଉଠିବା ସହ ତିନି ରଥରେ ଗୋଟିଏ ଲେଖାଏଁ ଛନ୍ଦା ଗୟଳ ମୋଡା ଯାଇଥିଲା। ଆଜି ତିନିରଥର ଛନ୍ଦାଗୟଳ ମୋଡା ଶେଷ ହୋଇଛି। ତିନି ରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ୧୬ ଗୋଟି ପୋଲ ଗୟଳ ତିନିରଥରେ ମୋଡା ଶେଷ ହୋଇଥିଲା। ବାକି ୧୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ତିନି ରଥ ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଯାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣି ପଡ଼ିଛି।
ଆଜି ବାକି ୧୦ ଗୋଟି ଛନ୍ଦା ଗୟଳରୁ ତାଳଧ୍ୱଜ ରଥର ୪ଟି, ନନ୍ଦିଘୋଷ ରଥର ୪ଟି ଏବଂ ଦର୍ପଦଳନ ରଥର ୨ଟି ଛନ୍ଦା ଗୟଳ ରଥ ଉଭୟ ପାର୍ଶ୍ବରେ ମୋଡା ଶେଷ ହୋଇ ବାନ୍ଧେଣି ପଡ଼ିଛି। ଏହା ଦୁଇ ପାର୍ଶ୍ୱ ନିରାଡ଼ିରେ ସଂଯୋଗ ହୋଇ ଗୟଳ ଓ ନିରାଡିରେ ଖୋଦେଇ କାପ ଶେଷ ହୋଇ କଣ୍ଟାବାଡ଼ିଆ ଶେଷ ହୋଇଛି। ଆଜି ଦର୍ପଦଳନ ରଥର ଦୁଇଗୋଟି ପାର୍ଶ୍ୱ ଛନ୍ଦା ଗୟଳ ମଧ୍ୟରୁ ଗୋଟିଏ ଛନ୍ଦାଗୟଳ କାପ ପରେ କଣ୍ଟା ବସିବା ପାଇଁ ଦଉଡିରେ ଭିଡ଼ି ବାନ୍ଧେଣି ହେଉଥିଲା। ଏହି ସମୟରେ ଛନ୍ଦା ଗୟଳଟି ମଝିରୁ ଫାଟି ଭାଙ୍ଗିଯିବା କାରଣରୁ ଦର୍ପଦଳନ ରଥର ମୁଖ୍ୟ ମହାରଣା ସେବକ ଶ୍ରୀ ନାରାୟଣ ମହାରଣାଙ୍କ ତତ୍ତ୍ୱାବଧାନରେ ଯୁଦ୍ଧକାଳୀନ ଭିତ୍ତିରେ ଏକ ନୂତନ ୪୦ ଫୁଟିଆ ଧଉରା କାଠକୁ ଦେଵୀ ରଥର ସହଯୋଗୀ ମହାରଣା ସେବକ ମାନେ ଚଉପଟ ଶେଷ କରିଛନ୍ତି। ଉଦ୍ଦିଷ୍ଟ ଛନ୍ଦା ଗୟଳକୁ ମାପ ପ୍ରକାରେ କାପ ଖୋଦେଇ ସହ ଛନ୍ଦା ଗୟଳ ପଡ଼ି ଦଉଡିରେ ବାନ୍ଧେଣି ଓ କଣ୍ଟା ବାଡ଼ିଆ ଶେଷ କରିଛନ୍ତି।
ଆସନ୍ତାକାଲି ତିନି ରଥର ୪୪ଗୋଟି ଯୋକା ଫିଟିଂ ପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ଆଜିର ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ଭୋଇ ସେବକମାନେ ନିର୍ମାଣ ଶେଷ ହୋଇଥିବା ଯୋକାଗୁଡ଼ିକୁ ନେଇ ତିନି ରଥ ରେ ଡେରିଛନ୍ତି। ଆସନ୍ତା କାଲି ତିନି ରଥରେ ଯୋକାଗୁଡ଼ିକ ଫିଟିଂ କରାଯିବ ବୋଲି ସୂଚନା ମିଳିଛି। ଏଥି ସହ ଆଜି ମହାରଣା ସେବକମାନେ ତିନି ରଥର ଚାରିଟି ଲେଖାଏଁ ଧ୍ୱଜବତା ନିର୍ମାଣ ଶେଷ କରିଛନ୍ତି। ରୂପକାର ସେବକ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକ ଗୟଳକଣ୍ଟା ଶେଷ କରିଛନ୍ତି। ତିନି ରଥର ତେର ପରାସ୍ତ ପୋଟଳ ନିର୍ମାଣ ପାଇଁ ଜଂଘା କଣ୍ଟା, ବାଗିଆ କଣ୍ଟା, ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରିରଖିଛନ୍ତି।