ରାୟଗଡା : ପୁଣି ଅଘଟଣ। ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମାଲବାହୀ ଟ୍ରେନ୍ । ଏଥର ଅଘଟଣ ରାୟଗଡ଼ା ଜିଲ୍ଲା ଥେରୁବାଲି ଷ୍ଟେସନ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଘଟିଛି। ସୌଭାଗ୍ୟବଶତଃ ସେହି ସମୟରେ କୌଣସି ଯାତ୍ରୀବାହୀ ଟ୍ରେନ୍ ଉକ୍ତ ଟ୍ରାକ୍ରେ ଚଳାଚଳ କରୁନଥିଲା। ଏହାର ପ୍ରଭାବରେ ବହୁ ସମୟ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସୂଚନା ଅନୁଯାୟୀ, ସୋମବାର ସଂଧ୍ୟାରେ ଗୋଟିଏ ମାଲବାହୀ ଟ୍ରେନ୍ ଥେରୁବାଲି ଷ୍ଟେସନରୁ ପ୍ରାୟ ୩କିଲୋମିଟର ଅତିକ୍ରମ କରିବା ପରେ ହଠାତ୍ ଶେଷ ବଗି ବିଚ୍ଛିନ୍ନ ହୋଇଯାଇଥିଲା। ଅନ୍ୟପଟେ ଇଞ୍ଜିନ୍ ସହ ଅନ୍ୟ ବଗି ପ୍ରାୟ ୫କିଲୋମିଟର ଆଗକୁ ଚାଲିଯାଇଥିଲା। ତେବେ ବିଚ୍ଛିନ୍ନ ବଗି ଛାଏଁ ଛାଏଁ କିଛି ଦୂର ଅତିକ୍ରମ କରିବା ପରେ ମଝି ଟ୍ରାକ୍ରେ ଅଟକି ଯାଇଥିଲା।
ଏ ନେଇ ସୂଚନା ପାଇବା ପରେ ରେଳ ବିଭାଗ ଅଧିକାରୀ ଆଗକୁ ଚାଲିଯାଇଥିବା ଇଞ୍ଜିନ୍କୁ ଅଟକାଇ ପଛକୁ ଫେରାଇ ଆଣିଥିଲେ। ବିଚ୍ଛିନ୍ନ ହୋଇଥିବା ବଗିକୁ ଯୋଡ଼ିବା ପରେ ପୁଣି ମାଲବାହୀ ଟ୍ରେନ୍ଟି ଗନ୍ତବ୍ୟ ଅଭିମୁଖେ ଛାଡ଼ିଥିଲା। କିନ୍ତୁ ଏଥିପାଇଁ ବହୁ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ବିଳମ୍ବ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ଏହି ଟ୍ରାକ୍ରେ ଚଳାଚଳ କରିବାକୁ ଥିବା ଅଧିକାଂଶ ଟ୍ରେନ୍ ୨ଘଣ୍ଟା ୨୦ମିନିଟ୍ ବିଳମ୍ବ ହୋଇଛି। ଭୁବନେଶ୍ବର-ଜୁନାଗଡ଼ ଏକ୍ସପ୍ରେସ୍ ସିଙ୍ଗାପୁର ଷ୍ଟେସନରେ ଅଟକି ରହିଛି। ଥେରୁବାଲି ଷ୍ଟେସନ ନିକଟରୁ ମାଲବାହୀ ଟ୍ରେନ୍ଟି ଛାଡିବା ପରେ ବିଷମକଟକ-ମୁନିଗୁଡ଼ା ମଧ୍ୟରେ ପୁନର୍ବାର ଉକ୍ତ ମାଲବାହୀ ଟ୍ରେନ୍ ଇଞ୍ଜିନରୁ ବଗି ବିଚ୍ଛିନ୍ନ ହୋଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।