ଜୟପୁର: ଜୟପୁର ସହରରେ ସକାଳ ଓ ସନ୍ଧ୍ୟାରେ ବୁଲିବା ସହ ବ୍ୟାୟାମ କରିବା ପାଇଁ ଏବଂ ଚାରି ଚକିଆ ଯାନ ରଖିବା ପାଇଁ ଚିତ୍ତବିନୋଦନ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଜୟପୁର ପୌରପାଳିକା ଅନ୍ତର୍ଗତ ଗୌଡ଼ସାହି ନିକଟରେ ଏକ ଚିତ୍ତବିନୋଦନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏଥିରେ କୋରାପୁଟ ଜିଲ୍ଲାପଳ ମଧୁସୂଦନ ମିଶ୍ର, ବିଧାୟକ ତାରାପ୍ରସାଦ ବାହିନୀପତି, ଉପଜିଲ୍ଲାପାଳ ହେମକାନ୍ତ ସୟ, ପିଡି ଡିଆରଡିଏ ପ୍ରବିର କୁମାର ନାୟକ ଓ ଖଣ୍ଡୀୟ ବନ ଅଧିକାରୀ ଏନ୍.ଏସ୍ ଜେପି ସିଂ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଉଦ୍ୟାନରେ ପିଲାମାନେ ଖେଳିବା ସହ ପାଦଚଲା ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି। ମୁକ୍ତାକାଶ ବ୍ୟାୟାମଶାଳା ମଧ୍ୟ ଉପଲବ୍ଧ ରହିଛି।
ଆଗାନୀ ଦିନରେ ଏଠାରେ ପୁସ୍ତକ ମେଳା, ସ୍ଥାନୀୟ କଳାକାରଙ୍କ ଦ୍ବାରା ଲୁକ୍କାୟିତ ପ୍ରତିଭାକୁ ବାହାରକୁ ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ବିଭିନ୍ନ ଖାଦ୍ୟ ବିକ୍ରି ପାଇଁ 'ଖାଓ ଭେଲି' ମଧ୍ୟ ଆରମ୍ଭ କରାଯିବ। ଏଠାରେ ଲୋକମାନେ ଚାରିଚକିଆ ଯାନ ରଖି ମୁଖ୍ୟ ରାସ୍ତାକୁ ନିଜ ନିକ କାର୍ଯ୍ୟରେ ଯିବେ। ଯାହାଫଳରେ ମୁଖ୍ୟ ସଡ଼କରେ ଟ୍ରାଫିକ ନିୟନ୍ତ୍ରଣ ହୋଇପାରିବ। ଯେଉଁମାନେ ଏଠାରେ ଗାଡ଼ି ରଖିଥିବେ ସମାନଙ୍କୁ ଗୋଟିଏ ଟୋକେନ୍ ମିଳିବ ଯାହାକୁ ଦେଖାଇ ମାଗଣାରେ ଅଟୋରେ ବଜାରକୁ ଯିବେ ଓ ଗାଡ଼ି ପାଖକୁ ଫେରିପାରିବେ। ଏଥିପାଇଁ ୨ଟି ଅଟୋ କିଣାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏଥସହ ଆଗାମୀ ଦିନରେ ଶ୍ରୀରାମନଗର ପାର୍କ ନିର୍ମାଣ କରାଯିବା ସହ ଜୟନଗର ସ୍ଥିତ ନେତାଜୀ ପାର୍କକୁ ପୁନରୁଦ୍ଧାର କରାଯିବ। ଜୟନଗର ଠାରୁ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କଡ଼କୁ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ପୌରପାଳିକାର ଗୋପାଳ ଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ପୌରପାଳିକା ଯନ୍ତ୍ରୀ ପ୍ରଭାକର ଦାସ, ଅଜୟ କୁମାର ଜାନୀ, ପ୍ରଦୀପ ଆଚାର୍ଯ୍ୟ, ଚୈତନ୍ୟ ବାସ୍କେଙ୍କ ସମେତ ବହୁ ଜନସାଧାରଣ ଓ ପୌରପାଳିକା କର୍ମଚାରୀମାନେ ଉପସ୍ଥିତ ଥିଲେ।