ବାଲିତୁଠ: ଜଗତସିଂହପୁର ଜିଲ୍ଲା ଏରସମା ତହସିଲ୍‌ ଅନ୍ତର୍ଗତ ଢିଙ୍କିଆ ଅଞ୍ଚଳରେ ଏବେ ବାଲି ଓ ମାଟି ମାଫିଆ ସକ୍ରିୟ ହୋଇଉଠିଛନ୍ତି। ବି‌ଶେଷ କରି ସମୁଦ୍ର କୂଳ ସିଆର୍‌ଜେଡ୍ (କୋଷ୍ଟାଲ୍‌ ରେଗୁଲେସନ୍‌ ଜୋନ୍‌) ଅଞ୍ଚଳ, ଜଙ୍ଗଲ ଓ ଗୋଚର ଜମିରୁ ମାଫି୍ଆମାନେ ନିର୍ବିଘ୍ନରେ ଶହଶହ ଟ୍ରିପ୍‌ ବାଲି ଓ ମାଟି ଉଠାଇ ଅନ୍ୟତ୍ର ଚାଲାଣ କରୁଛନ୍ତି। ମାତ୍ର ମାଇନିଂ ବିଭାଗ ଏଥିନେଇ ଅଙ୍କୁଶ ଲଗାଉ ନ ଥିବାରୁ ଆଗାମୀ ଦିନରେ ଢିଙ୍କିଆ ଚାରିଦେଶ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ପାରାଦୀପ-ଜିନ୍ଦଲ ପ୍ରକଳ୍ପ ଅଞ୍ଚଳରେ ଥିବା କଂସାରୀପାଟିଆ ନିକଟ ସମୁଦ୍ରକୂଳ ସିଆର୍‌ଜେଡ୍‌ର ଜଙ୍ଗଲ ଜମିରୁ ଦୁଇମାସ ତଳେ ଜଣେ ଠିକାଦାର ଶହଶହ ଟ୍ରିପ୍‌ ବାଲି ଉଠାଇ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା। ଏହାର ମାସେ ନ ପୂରୁଣୁ ସେହି ଅଞ୍ଚଳର ସମୁଦ୍ରକୂଳ ରାସ୍ତାପାର୍ଶ୍ବ ଜଙ୍ଗଲ ଜମିରେ ଚିଙ୍ଗୁଡ଼ି ଘେରି କରିବାର ଆଳ ଦେଖାଇ ଜଣେ ବ୍ୟକ୍ତି ପାରାଦୀପକୁ ବାଲି ନେଇ ଯାଇଥିଲେ।

Advertisment

ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବନ ବିଭାଗ, ତହସିଲ୍ କର୍ତ୍ତୃପକ୍ଷ କିମ୍ବା ମାଇନିଂ ବିଭାଗ ଅଧିକାରୀ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହେଉଛି। ସେହିପରି ଦୁଇ ସପ୍ତାହ ତଳେ ଢିଙ୍କିଆ ପଞ୍ଚାୟତ, ତ୍ରିଲୋଚନପୁରରୁ ବାଲି ଚୋରି ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗ୍ରାମବାସୀଙ୍କ ବିରୋଧ ପରେ ଅଭୟଚାନ୍ଦପୁର ଥାନା ପୁଲିସ ୩ଟି ଟ୍ରାକ୍ଟର୍‌ ସିଜ୍‌ କରିଥିଲା। ସେହିପରି ବୁଧବାର ଢିଙ୍କିଆ ପଞ୍ଚାୟତ, ମାହାଳ ବାଇପାସ୍‌ ରାସ୍ତାପାର୍ଶ୍ବରେ ଥିବା ଗୋଚର ଜମିରୁ ଜଣେ ଠିକାଦାର ମାଟି ଉଠାଇ ରାସ୍ତା କାମରେ ଲଗାଇବା ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ବେ ସୁଫଳ ମିଳି ନ ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏଭଳି ଢଙ୍ଗରେ ସମୁଦ୍ରକୂଳ ସିଆର୍‌ଜେଡ୍ ଅଞ୍ଚଳ, ଜଙ୍ଗଲ ଓ ଗୋଚର ଜମିରୁ ବାଲି-ମାଟି ଚାଲାଣ ଜାରି ରହିଲେ ଆଗାମୀ ଦିନରେ ଢିଙ୍କିଆ ଚାରିଦେଶ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ସ୍ଥାନୀୟ ଲୋକମାନେ ଆଶଙ୍କା ପ୍ରକାଶ କରିଛନ୍ତି।