ପୁରୀ : ଶ୍ରୀମନ୍ଦିର ଢାଞ୍ଚାରେ ହେବ ପୁରୀ ରେଳଷ୍ଟେସନ୍ ମୁଖଶାଳା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପୂର୍ବରୁ ଷ୍ଟେସନରେ ଶ୍ରୀମନ୍ଦିରର ଅନୁଭବ ନେବେ ରେଳଯାତ୍ରୀ। ଆଧ୍ୟାତ୍ମିକ ରାଜଧାନୀ ପୁରୀରେ ପହଞ୍ଚିବା ପରେ ରେଳଯାତ୍ରୀଙ୍କୁ ନିଆରା ଢଙ୍ଗରେ ସ୍ବାଗତ କରାଯିବ। ରେଳ ମନ୍ତ୍ରାଳୟ ପକ୍ଷରୁ ଚାଲିଥିବା ପୁରୀ ରେଳଷ୍ଟେସନ୍ର ନବୀକରଣରେ ମୁଖଶାଳାରେ ନିଚ୍ଛକ ଶ୍ରୀମନ୍ଦିର ସଦୃଶ କାରିଗରୀ ଦେଖିବାକୁ ମିଳିବ। ୧୬୧ କୋଟି ବ୍ୟୟରେ ନିର୍ମାଣାଧୀନ ଷ୍ଟେସନର ଉନ୍ନତୀକରଣ କାର୍ଯ୍ୟ ୧୬ରୁ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟହୋଇଛି। ଆଜି ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ପୁରୀ ରେଳଷ୍ଟେସନ୍ ନବୀକରଣ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି।
ଷ୍ଟେସନରେ ରହିବ ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟୋର
୧୮ ମାସ ମଧ୍ୟରେ ଶେଷହେବ ୧୬୧ କୋଟିର ପ୍ରକଳ୍ପ
ବାର୍ଷିକ ୧କୋଟି ୪୫ ଲକ୍ଷ ଯାତ୍ରୀଙ୍କ ଆଗମନକୁ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା
ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଜରଦୋଶ କହିଛନ୍ତି, ପୁରୀକୁ ରେଳପଥରେ ଯାତ୍ରୀଙ୍କ ଆଗମନ ବଢ଼ୁଛି। ଏବେ ବର୍ଷକୁ ପାଖାପାଖି ୬୦ଲକ୍ଷ ୮୮ ହଜାର ଯାତ୍ରୀ ଯା’ଆସ କରୁଥିବା ବେଳେ ପୁରୀରେ ରଥଯାତ୍ରା ସମୟରେ ଦୈନିକ ୬୦ ହଜାରରୁ ୧ଲକ୍ଷ ଲୋକଙ୍କ ଆଗମନ ହେଉଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ରେଳଷ୍ଟେସନ୍ର ଉନ୍ନତୀକରଣ କରାଯାଉଛି। ପୁରୀ ଷ୍ଟେସନ୍ରେ ବାର୍ଷିକ ୧କୋଟି ୪୫ ଲକ୍ଷ ଯାତ୍ରୀଙ୍କ ଆଗମନକୁ ନିୟନ୍ତ୍ରଣ କରିବା ଭଳି ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ରେଳଷ୍ଟେସନ୍ରେ ହସ୍ତତନ୍ତ ଓ ହସ୍ତଶିଳ୍ପର କାଉଣ୍ଟର ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ହସ୍ତତନ୍ତ ଓ ହସ୍ତକଳାରେ ବହୁ ମହିଳାଙ୍କ ସମ୍ପୃକ୍ତି ରହିଥିବାରୁ ସେମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ଏବଂ ଓଡ଼ିଶାର ପାରମ୍ପରିକ କଳାକୁ ଅଧିକ ଲୋକାଭିମୁଖୀ କରିବାରେ ଷ୍ଟେସନରେ ହେବାକୁ ଯାଉଥିବା ଏହି ସ୍ବତନ୍ତ୍ର କାଉଣ୍ଟର୍ ସହାୟ ହେବ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/06/puri-station-750x430.jpg)
ରେଳଷ୍ଟେସନ୍ ନବୀକରଣରେ ଓଡ଼ିଶାର କଳା ସଂସ୍କୃତିର ଛାପ ଦେଖିବାକୁ ମିଳିବ। ଜର୍ମାନୀ ଓ ଜାପାନୀ ଜ୍ଞାନକୌଶଳରେ ଏହା ନିର୍ମିତ ହେଉଛି। ୨୦୧୫ ମସିହା ନବକଳେବର ସମୟରେ ପୁରୀ ରେଳଷ୍ଟେସନ୍ର ପୁନରୁଦ୍ଧାର କରାଯାଇଥିଲା। ଏଥର କିନ୍ତୁ ଆସନ୍ତା ୫୦ ବର୍ଷକୁ ଦୃଷ୍ଟିରେ ରଖି ନବୀକରଣ କରାଯାଉଛି। ୧୬୧ କୋଟିରେ ରେଳଷ୍ଟେସନ୍ର ନବୀକରଣ ବ୍ୟତୀତ ଅବସର ବିନୋଦନ କେନ୍ଦ୍ର ବାବଦରେ ୯୩ କୋଟି ଟଙ୍କା, ହୋଟେଲ ପାଇଁ ୭୭ କୋଟି, ଚକ୍ରତୀର୍ଥ ରୋଡ୍ରେ ରିସୋର୍ଟ ନିର୍ମାଣ ପାଇଁ ୬୦ କୋଟି ଟଙ୍କା ବ୍ୟୟ ହେବବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ଶ୍ରୀମତୀ ଜରଦୋଶ ଆହୁରି ମଧ୍ୟ କହିଛନ୍ତି ଯେ ୨୫୦ କିଲୋମିଟର ବେଗରେ ପବନକୁ ସହିବା ଭଳି ତିନି ମହଲା କୋଠା ସହ ପ୍ଲାଟଫର୍ମରେ ଅତ୍ୟାଧୁନିକ ସେଡ୍ ନିର୍ମିତ ହେବ। ବିଲ୍ଡିଂର ଫ୍ଲୋର୍ ଅଞ୍ଚଳ ୧୭୪୦ ବର୍ଗ ମିଟରରୁ ୪୦୬୦ ବର୍ଗ ମିଟରକୁ ବୃଦ୍ଧି ପାଇବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନେତୃତ୍ବରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ରେଳଷ୍ଟେସନ୍ର ନୂଆ ରୂପ ସଂଦର୍ଶନର ସୁଯୋଗ ମିଳିବ ବୋଲି ସେ କହିଛନ୍ତି।