ଡାବୁଗାଁ/ନବରଙ୍ଗପୁର,୧୩/୮(ଇମିସ): ରାସ୍ତା ଓ ଘର ନିର୍ମାଣ ନାଁରେ କଟାଯାଉଛି ଗଛ। ସବୁଜିମା ବଦଳରେ ବଢ଼ି ଚାଲିଛି କଂକ୍ରିଟ୍ ଜଙ୍ଗଲ।  ଜଙ୍ଗଲ ସୁରକ୍ଷା ପାଇଁ କେବଳ ପ୍ରଶାସନ ଓ ବନ ବିଭାଗକୁ ଉତ୍ତରଦାୟୀ କରାଯାଉଛି। ପରିବେଶର ସୁରକ୍ଷା ଦାୟିତ୍ବ କେବଳ ସରକାର ଉପରେ ନ୍ୟସ୍ତ ନ କରି ସମସ୍ତଙ୍କୁ ନେବାକୁ ପଡ଼ିବ। 

Advertisment

ଡାବୁଗାଁ ଭୈରବ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଶ୍ରୀ ରନ୍ଧାରୀ କହିଛନ୍ତି, ସୁସ୍ଥ ଜୀବନ ପାଇଁ ପରିବେଶର ସୁରକ୍ଷା ଆବଶ୍ୟକ। ବୃକ୍ଷଠାରୁ ଆମେ ଅମ୍ଳଜାନ ପାଉଛୁ। ବୃକ୍ଷ ଯଦି ନ ରହିବ ଆମେ ସୁସ୍ଥ ଜୀବନଯାପନ କରିପାରିବା ନାହିଁ। ଏଣୁ ସମସ୍ତ ଛାତ୍ରଛାତ୍ରୀ ନିଜ ଜନ୍ମଦିନରେ ୫ଟି ଲେଖାଁଏ ବୃକ୍ଷ‌ରୋପଣ କରି ତାହାର ଯତ୍ନ ନେବାକୁ ବିଧାୟକ ଆହ୍ବାନ୍‌ ଦେଇଥିଲେ। ବିଧାୟକଙ୍କ ପ୍ରସ୍ତାବକୁ ଛାତ୍ରଛାତ୍ରୀ ଗ୍ରହଣ କରିବା ସହ ବୃକ୍ଷରୋପଣ କରିବା ପାଇଁ ଶପଥ ନେଇଛନ୍ତି। ସମ୍ମାନିତ ଅତିଥି ଭାବେ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା ଯୋଗଦେଇ କହିଲେ, ଜନସଂଖ୍ୟା ବଢ଼ିବା ପରେ ବ୍ୟାପକ ଜଙ୍ଗଲ କ୍ଷୟ ହୋଇଛି।

ଅଙ୍ଗାରକ୍ଲାମର ପରିମାଣ ବୃଦ୍ଧି ଯୋଗୁଁ ଓଜନସ୍ତରରେ ଛିଦ୍ର ସୃଷ୍ଟି ହୋଇଛି। ଯୁବପିଢ଼ି ଏତି ପ୍ରତି ସଚେତନ ହେବାକୁ ପଡ଼ିବ। ଅନ୍ୟତମ ସମ୍ମାନିତ ଅତିଥି କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ କହିଥିଲେ, ପୂର୍ବରୁ ଜିଲ୍ଲାର ଜଙ୍ଗଲରେ ବାଘ, ଭାଲୁ, ହାତୀପଲ ସହ  ବିଭିନ୍ନ ଜନ୍ତୁ ଆରାମରେ ବିଚରଣ କରୁଥିଲେ। ଜଙ୍ଗଲ ନଷ୍ଟ ପରେ ସେମାନଙ୍କ ବଂଶ ମଧ୍ୟ ଲୋପ ପାଇଯାଇଛି। ବନବାସୀ ମଧ୍ୟ ନିଜର ଜୀବିକା ହରାଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସୁରେନ୍ଦ୍ର ମିଶ୍ର, ଏମ୍. ବୁଲୁ ରାଓ, ବନପାଳ ରମାକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଗିଡ଼ିଥିବା ପରିବେଶର ସୁରକ୍ଷା ପାଇଁ ନିଜେ ସଚେତନ ହୋଇ ବ୍ୟାପକ ବୃକ୍ଷରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଗତ ଦୁଇ ବର୍ଷ ଧରି ଜାରି ରଖିଥିବା ଏହି କାର୍ଯ୍ୟକ୍ରମ ସମାଜକୁ ଦିଗଦର୍ଶନ ଦେଉଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ସୁରେଶ କୁମାର ନାଇଡ଼ୁ, ଡାବୁଗାଁ ପ୍ରତିନିଧି ସଂଜୟ କୁମାର ପାଢ଼ୀ, କନକ ନୁଜ୍‌ ପ୍ରତିନିଧି ଅମ୍ବିକା ଦାସ ପରିଚାଳନା କରିଥିଲେ। ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶନୀ ସ୍ବାଇଁ, ରିତୁ ମଣ୍ଡଳ, ଅସ୍ମିତା ସ୍ବାଇଁ, ଶିବ ପ୍ରସାଦ ସାହୁ, ସନ୍ତୋଷ କୁମାର ସିଂ ଲାଲ୍‌ ସହଯୋଗ କରିଥିଲେ।