ହେଭିୱେଟ୍‌ ନେତାଙ୍କ ଯୁଗ ଶେଷ: ଯୁବ ନେତୃତ୍ବଙ୍କ ହାତକୁ ଭଦ୍ରକ ରାଜନୀତି

ଭଦ୍ରକ: ଆଗାମୀ ଦିନରେ ଭଦ୍ରକର ବହୁ ହେଭିୱେଟ୍‌ ନେତାଙ୍କ ଯୁଗ ଶେ‌ଷ ହେବାକୁ ଯାଉଛି। କଂଗ୍ରେସ ରାଜନୀତିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଭଦ୍ରକର ବରିଷ୍ଠ ରାଜନେତା ତଥା ପୂର୍ବତନମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ଏକଦା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ପରେ ସେ ବିଜେଡିରେ ଯୋଗ ଦେଇ ୨୦୦୯ ଓ ୨୦୧୪ରେ ଦୁଇ ଥର ଭଦ୍ରକର ବିଧାୟକ ହୋଇଥିଲେ। ବୟସାଧିକ୍ୟ କାରଣରୁ ଗତ ୨୦୧୯ ନିର୍ବାଚନରେ ସେ ନିଜ ଆଡୁ ରାଜନୀତିରୁ ଓହରିଯାଇ ନିଜ ପୁଅ ଅସିତ୍ ପଟ୍ଟନାୟକଙ୍କ ପାଇଁ ବିଜେଡିରୁ ପ୍ରାର୍ଥୀ କରିବାକୁ ଚାହିଁଥିଲେ। ମାତ୍ର ଅସିତଙ୍କୁ ଟିକେଟ୍ ନ ଦେଇ ବିଜେଡି ସଞ୍ଜୀବ ମଲ୍ଲିକଙ୍କୁ ଭଦ୍ରକରୁ ପ୍ରାର୍ଥୀ କରିଥିଲା। ଚଳିତ ନିର୍ବାଚନରେ ମଧ୍ୟ ଅସିତଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଗତ ନିର୍ବାଚନରେ ଅସିତ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ହେଲେ ଆଗାମୀ ଦିନରେ ଅସିତ କଂଗ୍ରେସରେ ରହି ରାଜନୀତି କରିବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି।

ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ଭଦ୍ରକ ରାଜନୀତିରେ ଜଣେ ବିଚକ୍ଷଣ ରାଜନେତା। ଭଦ୍ରକ ଓ  ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ସେ ବହୁବାର ବିଧାୟକ  ଓ ମନ୍ତ୍ରୀ ହୋଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ଚଳିତ ନିର୍ବାଚନରେ ସେ ଭଦ୍ରକ ବିଧାନସଭା କ୍ଷେତ୍ରରୁ ବିଜେଡ଼ିରୁ ଲଢ଼ି ପରାଜିତ ହୋଇଛନ୍ତି। ଏବେ କିନ୍ତୁ ପ୍ରଫୁଲ୍ଲ ଦୁଇ ପୁଅ ପ୍ରୟାସକାନ୍ତି ଓ ପ୍ରଣିତକାନ୍ତିଙ୍କ ପାଇଁ ରାସ୍ତା ଛାଡ଼ି ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦିଓ ଗତ ନିର୍ବାଚନ ପୂର୍ବରୁ ପ୍ରଫୁଲ୍ଲ ପ୍ରୟାସକାନ୍ତିଙ୍କ ପାଇଁ ଲବି ଆରମ୍ଭ କରିଥିଲେ, ବିଜେଡି କିନ୍ତୁ ଏଥିରେ ସମ୍ମତି ପ୍ରକାଶ କରିନଥିଲା। ମାତ୍ର ଆଗାମୀ ଦିନରେ ଦୁଇ ପୁଅଙ୍କୁ ବାଟ ଛାଡିବାକୁ ଯାଉଛନ୍ତି ପ୍ରଫୁଲ୍ଲ।

ସେହିପରି ବରିଷ୍ଠ କଂଗ୍ରେସନେତା ଅନନ୍ତ ପ୍ରସାଦ ସେଠୀ ଅଶୀ ଓ ନବେ ଦଶକରେ ଭଦ୍ରକ ଲୋକସଭା, ରାଜ୍ୟସଭା ସାଂସଦ ହୋଇଥିଲେ। ପରେ ଭଣ୍ଡାରିପୋଖରୀରେ ବିଧାୟକ ବି। ଅନନ୍ତ ନିଜ ପୁଅ କୁମାର ଚିରଞ୍ଜିବୀଙ୍କୁ ଉପନିର୍ବାଚନରେ ଭଣ୍ଡାରିପୋଖରୀରୁ ବିଧାୟକ କରିଥିଲେ। ଏକଦା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଭଦ୍ରକ ରାଜନୀତିରେ ଅନନ୍ତଙ୍କର ବେଶ୍ ଦବଦବା ରହିଥିଲା। ଚଳିତ ନିର୍ବାଚନରେ ସେ କଂଗ୍ରେସରୁ ଭଦ୍ରକ ଲୋକସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି। ବୟସାଧିକ୍ୟ କାରଣରୁ ସେ ଆଉ ରାଜନୀତିରେ ସକ୍ରିୟ ନ ରହି ପୁଅ ଚିରଞ୍ଜିବୀ ଓ ଝିଅ ମଧୁମିତା ସେଠୀଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ରାଜ୍ୟ ରାଜନୀତିରେ ଅନ୍ୟତମ ବରିଷ୍ଠ ରାଜନେତା, ପୂର୍ବତନମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ନିର୍ବାଚନ ଲଢ଼ିବେ ନାହିଁ ଗତ ନିର୍ବାଚନ ପ୍ରଚାର ବେଳେ ଅନେକ ଥର କହିସାରିଛନ୍ତି। ବୟସ ଅଧିକ କାରଣରୁ ସେ ହୁଏତ ନିର୍ବାଚନ ନ ଲଢ଼ି ଭଣ୍ଡାରିପୋଖରୀ ଆସନ ପାଇଁ ଆଗାମୀ ନିର୍ବାଚନରେ ତାଙ୍କ ପୁଅ କଂଗ୍ରେସର ଯୁବନେତା ନବଜ୍ୟୋତି ପଟ୍ଟନାୟକଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ବୋଲି କଂଗ୍ରେସ ରାଜନୀତିରେ ଚର୍ଚ୍ଚା ହେଉଛି।  ନବଜ୍ୟୋତି ମଧ୍ୟ ଚଳିତ ନିର୍ବାଚନରେ ବାପା ନିରଞ୍ଜନଙ୍କର ନିର୍ବାଚନ ପରିଚାଳନା ଓ ପ୍ରଚାରର ମଙ୍ଗ ଧରିଥିଲେ। ରାଜନୈତିର ପର୍ଯ୍ୟବେକ୍ଷକ ମହଲର କହିବା କଥା, ଏବେ ଭଦ୍ରକରେ ହେଭିୱେଟ୍‌ ନେତାଙ୍କ ଯୁଗ ଶେଷ ହୋଇ ଆସୁଛି। ଯୁବନେତାମାନେ ବିଭିନ୍ନ ରାଜନୈତିକ ଦଳର ମଙ୍ଗ ଧରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ।

ସମ୍ବନ୍ଧିତ ଖବର