କବାଟବନ୍ଧ: ଯାଜପୁର ଜିଲ୍ଲା ଦେଇ ବହିଯାଇଥିବା ବ୍ରାହ୍ମଣୀନଦୀ ଏବେ ଶୁଖିଲା ପଡ଼ିଛି। ପୂର୍ବରୁ ଚିରସ୍ରୋତା ଥିବା ବ୍ରାହ୍ମଣୀ ୧୯୭୦ ମସିହା ପରଠାରୁ ଧୀରେଧୀରେ ଶୁଖିବାରେ ଲାଗିଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏକାଧିକ ଶିଳ୍ପସଂସ୍ଥା ଏହାର ପାଣିକୁ ଶୋଷିଚାଲିଛନ୍ତି। ଏଣେ ସାଧାରଣ ଲୋକ ବ୍ରାହ୍ମଣୀ ନଦୀରୁ ଜଳ ଟୋପାଏ ପାଉନାହାନ୍ତି। ବ୍ରାହ୍ମଣୀରେ ଯେଉଁ ଧାରେ ଜଳ ପ୍ରବାହିତ ହେଉଛି, ତାହା ଜନବସତିର ବିପରୀତ ଦିଗରେ ବହିଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ଥିବା ପାର୍ଶ୍ବରେ ସାମାନ୍ୟ କିଛି ଜଳ ପ୍ରବାହିତ ହେଉଛି। ଏହି ପାଣିକୁ ନେବା ପାଇଁ ଏକାଧିକ ଶିଳ୍ପସଂସ୍ଥା ବଡ଼ବଡ଼ ପମ୍ପହାଉସ ପ୍ରତିଷ୍ଠା କରି ମୋଟା ପାଇପ୍ ଯୋଗେ ଟାଣି ନେଉଛନ୍ତି। ଏହାଛଡ଼ା ବିଭିନ୍ନ ଶିଳ୍ପସଂସ୍ଥା ସେମାନଙ୍କ ବର୍ଜ୍ୟସାମଗ୍ରୀ ବ୍ରାହ୍ମଣୀ ନଦୀରେ ନିଷ୍କାସନ କରୁଥିବାରୁ ତଳିଆ ଅଞ୍ଚଳର ଲୋକମାନେ ଏହି ଦୂଷିତ ଜଳକୁ ବ୍ୟବହାର କରିପାରୁ ନାହାନ୍ତି।
ଅନେକ ମତ୍ସ୍ୟଜୀବୀ ବ୍ରାହ୍ମଣୀନଦୀରୁ ମାଛମାରି ନିଜର ଜୀବିକା ନିର୍ବାହ କରୁଥିଲେ। ଏହି ଦୂଷିତ ଜଳ କାରଣରୁ ଆଗଭଳି ମାଛ ଆଉ ଦେଖାଯାଉ ନାହାନ୍ତି। ନଦୀ ତଟବର୍ତ୍ତୀ ଅଞ୍ଚଳର ଚାଷୀମାନେ ନଦୀଜଳ ବ୍ୟବହାର କରି ପନିପରିବା ଚାଷ କରୁଥିଲେ। ବ୍ରାହ୍ମଣୀ ଶୁଖିଲା ପଡ଼ିଥିବାରୁ ଚାଷକାମ ମଧ୍ୟ ବ୍ୟାହତ ହେଉଥିବା ଦେଖାଯାଇଛି। ଆଉ ଆଗପରି ଚାଷ ହେଉନାହିଁ। ଲୋକମାନଙ୍କୁ ପାଣି ପାଖରେ ପହଞ୍ଚିବା ପାଇଁ ଏକ କିଲୋମିଟର ବାଲିରେ ଚାଲିଚାଲି ଯିବାକୁ ପଡୁଛି। ଦୈନନ୍ଦିନ ଜୀବନରେ ନଦୀର ଉପଯୋଗିତା କମିଗଲାଣି। ଏଥିଯୋଗୁଁ ଖରାଦିନେ ନଦୀରେ ଗାଧୋଇବା ସ୍ବପ୍ନ ହୋଇଗଲାଣି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ଗୃହପାଳିତ ପ୍ରାଣୀ ମଧ୍ୟ ପିଇବାକୁ ପାଣି ପାଉନାହାନ୍ତି। ଏଭଳି ପରିସ୍ଥିତିରେ ପାଣି ପାଇଁ କମ୍, ବରଂ ବାଲି ପାଇଁ ନଦୀ ଏବେ ଅଧିକ ଦରକାରୀ ହୋଇଯାଇଛି ବୋଲି କୁହାଯାଉଛି।
ଜଳବାୟୁ ପରିବର୍ତ୍ତନ ସହ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ନଦୀରେ ଅଧିକ ପାଣି ଆସୁନାହିଁ। କେବଳ ବର୍ଷାଦିନ ତଥା ବନ୍ୟା ସମୟରେ ଯାହା ନଦୀରେ ପାଣି ଭରୁଛି। ନହେଲେ ବାକି ସମୟରେ ନଦୀଶଯ୍ୟା ଶୁଖିଲା ପଡୁଛି। ଶଙ୍ଖ ଓ କୋଏଲ ନଦୀର ମିଶ୍ରଣରୁ ସୃଷ୍ଟି ହୋଇଥିବା ବ୍ରାହ୍ମଣୀନଦୀ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ନିକଟରେ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଏହାର ଦୁଇପାର୍ଶ୍ବକୁ ଶସ୍ୟଶ୍ୟାମଳା କରୁଥିଲା। ଏବେ ନଦୀଟି ହିଁ ଶୁଖିଲା ପଡୁଥିବାରୁ ପରିବେଶ ପାଇଁ ସତର୍କ ଘଣ୍ଟି ବାଜିଛି।