କୋଇଡ଼ା (ସୁନ୍ଦରଗଡ଼): ଦିନେ କଳକଳ ଛଳଛଳ ନାଦରେ ବୋହିଯାଇ ନିଜର ଦୁଇତୀରକୁ ଶସ୍ୟଶ୍ୟାମଳା ଓ ପ୍ରାଣବନ୍ତ କରିଥିବା ଓ ହଜାର ହଜାର ଲୋକଙ୍କ ଜୀବନରେଖା ପାଲଟିଥିବା ଟେନ୍‌ସା ନନ୍ଦିନୀ ‘କାରୋନଦୀ’ ଏବେ ମୃତ୍ୟୁଶଯ୍ୟାରେ। କୋଇଡ଼ା ବ୍ଲକ୍ ଡେଙ୍ଗୁଳା ପଞ୍ଚାୟତ ଟେନ୍‌ସା ପାହାଡ଼ ପାଦଦେଶରେ ଥିବା ରାଇକଳା ଗାଁ ନିକଟରୁ ବାହାରିଥିବା କାରୋ ଦିନେ ଖରସ୍ରୋତା ଓ ଚିରସ୍ରୋତା ଥିଲା। ଏଥିପାଇଁ ସ୍ଥାନୀୟ ଲୋକେ ଏହାର ନାମ ଦେଇଥିଲେ ‘କାଳ’, ଯାହା କ୍ରମେ ଅପଭ୍ରଂଶ ହୋଇ ‘କାରୋ’ରେ ପରିଣତ ହୋଇଛି।

Advertisment

publive-image TripAdvisor

ଏହି ନଦୀର ଉତ୍ପତ୍ତି ସ୍ଥଳଠାରୁ ଟେନ୍‌ସା ପାହାଡ଼ ପର୍ଯ୍ୟନ୍ତ ଇଲାକା ହଜାର ହଜାର ଶାଳ, ପିଆଶାଳ, ଅସନ, ଗମ୍ଭାରୀ, ଜାମୁ ଓ ଶିଆଳିଲତା ଇତ୍ୟାଦିରେ ପରିପୂର୍ଣ୍ଣ ଥିଲା। ଏଠାରେ ସଂକୀର୍ଣ୍ଣ କାରୋ ନଦୀଟି ରାଇକଳା, ବନ୍ଦଲ ହୋଇ କମଣ୍ଡ, କୁସୁମଢ଼ିରେ ପହଞ୍ଚିବା ବେଳକୁ ବେଶ୍‌ ପ୍ରଶସ୍ତ ହୋଇଛି। ସେହିଠାରୁ କାରୋ ଜଙ୍ଗଲ ମଧ୍ୟରେ ଗତି କରିଛି ବଡ଼ବିଲ ଅଭିମୁଖେ। ପୁଣି ସେଠାରୁ ଝାଡ଼ଖଣ୍ଡରେ ପ୍ରବେଶ କରି ସରଣ୍ଡା ଜଙ୍ଗଲ (ଯାହା ଏସିଆ ମହାଦେଶର ସର୍ବବୃହତ୍‌ ଶାଳଜଙ୍ଗଲ ସମେତ ହସ୍ତୀ ଅଭୟାରଣ୍ୟ ରୂପେ ପରିଚିତ) ମଧ୍ୟରେ ଗତିକରି ମନୋହରପୁର ଦେଇ ପୁଣି ଓଡ଼ିଶାରେ ଥିବା କୋଏଲ ନଦୀରେ ବିଲୀନ ହୋଇଛି। ଏହି ନଦୀଜଳକୁ ଦୃଷ୍ଟିରେ ରଖି ଅନେକ ଜନବସତି ଓ ଶିଳ୍ପ ଗଢ଼ି ଉଠିଥିଲା। ଅନେକ ଲୋକ ପିଢ଼ି ପିଢ଼ି ଧରି କୃଷି ଓ ମତ୍ସ୍ୟଚାଷ ଭଳି ଜୀବିକା ଅପଣାଇଥିଲେ। ୫ଟି ସହର ତଥା ଶତାଧିକ ଗ୍ରାମର ପ୍ରାୟ ୨୦ ଲକ୍ଷରୁ ଅଧିକ ଜନସାଧାରଣ ଏହି ନଦୀଜଳକୁ ନିତ୍ୟ ବ୍ୟବହାର କରୁଥିଲେ।

ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା
୫ ସହର ସମେତ ଶତାଧିକ ଜନବସତି ଉଜୁଡ଼ିବ
ସରଣ୍ଡା ଭଳି ଘଞ୍ଚଅରଣ୍ୟ ପାଲଟିବ ମରୁଭୂମି

କିନ୍ତୁ ୧୯୯୦ ମସିହା ପରେ ସ୍ଥିତି ବଦଳିଗଲା। ଜଣାପଡ଼ିଲା ଏ ଅଞ୍ଚଳରେ ପ୍ରକୃତିର ଅମାପ ଭଣ୍ଡାର ପୂରିରହିଛି। ବିକାଶର ଦ୍ବାହିଦେଇ ଖଣି ଓ ଶିଳ୍ପ ପାଇଁ ସରକାର ୧୯୯୩ ମସିହା ବେଳକୁ ରାଇକଳାରେ ଖଣି ଖନନ ନିମନ୍ତେ ମଞ୍ଜୁରି ପ୍ରଦାନ କଲେ। ବିକାଶ ପାଇଁ ପ୍ରକୃତିକୁ ବଳି ଦିଆଗଲା। ନିର୍ବିକାର ଭାବରେ ଲକ୍ଷାଧିକ ଗଛ କଟାଗଲା। ବିଶେଷକରି ଖଣି ଖନନ ଫଳରେ କାରୋର ମୁଖ୍ୟସ୍ରୋତ ଅବରୋଧ ହୋଇଗଲା। ଫଳରେ କାରୋ ମୃତ୍ୟୁର ଅବଗଣନା ଆରମ୍ଭ ହୋଇଗଲା। ଅନ୍ୟପକ୍ଷରେ ମନ୍ଥର ମୃତ୍ୟୁ ଦିଗରେ ଆଗଉଥିବା କାରୋର ବିଲୁପ୍ତି କିଛିବର୍ଷ ପୂର୍ବେ ଆହୁରି ତ୍ବରାନ୍ବିତ ହୋଇଛି। କମଣ୍ଡରେ ଏକ କାରଖାନା ପ୍ରତିଷ୍ଠା ହେବା ପରେ କାରୋ ପାଇଁ ଏହା ବିପଦ ସାଜିଛି। ଏହି କାରଖାନା ବର୍ତ୍ତମାନ କାରୋରେ ପ୍ରବାହିତ ଅର୍ଦ୍ଧାଧିକ ଜଳ ଶୋଷିନେଉଛି।

ଫଳରେ କାରୋ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ସଂକଟରେ। ଏହି କାରଖାନାର ଖଣିରୁ ବାହାରୁଥିବା ପଥର ଗୁଣ୍ଡ ଦ୍ବାରା ନଦୀଶଯ୍ୟା ପୋତିଯାଇଛି। ପରିବେଶ ସୁରକ୍ଷା ନାଁରେ ସେଥିରୁ କିଛି ମାଟି ଉଠାଇ ଏହାକୁ ଜୀବନ୍ୟାସ ଦେବାକୁ ଉଦ୍ୟମ କରିବା ଧର୍ମକୁ ଆଖିଠାର ଭଳି ପ୍ରତୀତ ହେଉଛି।

ଖାଲି ଏତିକି ନୁହେଁ, କାରୋର ମୃତ୍ୟୁ ଯେତିକି ତ୍ବରାନ୍ବିତ ହେଉଛି, ସେହି ଅନୁପାତରେ ଏହା ଉପରେ ଚାଷବାସ ତଥା ପାନୀୟଜଳ ପାଇଁ ନିର୍ଭର କରୁଥିବା ଜନବସତି ବି ଉଜୁଡ଼ିଯିବା ଭଳି ସ୍ଥିତିରେ ପହଞ୍ଚିଛି। କାରୋନଦୀ ଦ୍ବାରା ପରିପୁଷ୍ଟ ସରଣ୍ଡା ଜଙ୍ଗଲ ବି ଉଜୁଡ଼ି ଯିବା ଉପରେ।

ଏତେ ସବୁ ପରେ ବି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ଅନ୍ୟ ଅଧିକାରୀଙ୍କ ଦୃଷ୍ଟି ଏହା ଉପରେ ପଡ଼ିନାହିଁ। ସ୍ଥାନୀୟ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟର ଆଖି ଆଗରେ କାରୋର ହତ୍ୟାକାଣ୍ଡ ଘଟି ଚାଲିଥିବାବେଳେ ଅଧିକାରୀମାନେ ନିରବ ରହିଛନ୍ତି। ବର୍ତ୍ତମାନ କାରୋନଦୀ ତଟବର୍ତ୍ତୀ ଜନବସତିଗୁଡ଼ିକ ଜଳକଷ୍ଟ ଅନୁଭବ କଲେଣି। ସେଠାରେ ଜଳର ସ୍ତର ବିପଦଜନକ ଭାବେ ହ୍ରାସ ପାଇଲାଣି। ଅନେକ ବର୍ଷ ପୂର୍ବେ ‘ନେଚର୍ ରିସର୍ଚ ସେଣ୍ଟର୍’ ଅନୁଷ୍ଠାନ ପକ୍ଷରୁ ‘କାରୋ ବଞ୍ଚାଅ’ ନାମକ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପୁଣି ଏକ ‘କାରୋ ବଞ୍ଚାଅ’ ଆନ୍ଦୋଳନ ଆବଶ୍ୟକ।