ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନ ୫ଟି ସଂରକ୍ଷିତ ଜଙ୍ଗଲ ଇଲାକାରେ ୫୪ଟି ହାତୀ ବିଚରଣ କରୁଥିବା ବେଳେ ବଡାମପୁର ସଂରକ୍ଷିତ ଜଙ୍ଗଲରେ ଥିବା ୩୫ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ମଧ୍ୟ ବୟସ୍କ ହାତୀକୁ ତୀରବିଦ୍ଧ କରାଯାଇଥିବାର ରବିବାର ସନ୍ଧ୍ୟାରେ ଦେଖୁବାକୁ ମିଳିଛି। ସୂଚନା ମୁତାବକ ପ୍ରାୟ ସପ୍ତାହକ ପାଖାପାଖୂ ପୂର୍ବରୁ ବେତନଟୀ ରେଞ୍ଜ ଅଧୀନ ବଡାମପୁର ଜଙ୍ଗଲକୁ ୩୫ଟିକିଆ ହାତୀପଲ ପ୍ରବେଶ କରିଥିଲେ । ସନ୍ଧ୍ୟା ହେବାମାତ୍ରେ ହାତୀପଲ ଖାଦ୍ୟ ଅନ୍ଵେଷଣରେ ଧାନକ୍ଷେତ ମୁହାଁ ଅଗ୍ରସର ହେଉଥିଲେ । ରାତି ତମାମ କଅଁଳିଆ ଧାନଗଛ ଖାଇ ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ବେଳେ ଭୋର ସମୟରେ ପୁନର୍ବାର ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ କରିଯାଇଥାନ୍ତି। ତେବେ ବଡାମପୁର ଜଙ୍ଗଲରେ ରହଣି ମଧ୍ୟରେ ଏକ ମଧ୍ୟବୟସ୍କ ହାତୀକୁ ତୀରବିଦ୍ଧ କରାଯାଇଥିବା ନେଇ ରବିବାର ସନ୍ଧ୍ୟାରେ ଦେଖୁବାକୁ ମିଳିଛି । ବେତନଟୀ ରେଞ୍ଜ ତଥା ବେତନଟୀ ବ୍ଳକ ଅଧୀନ ସଇତପୁର ପଞ୍ଚାୟତର ଜାମଶୁଳୀ ଗାଁ ମୁଣ୍ଡ ନାଗବନ୍ଧ ନିକଟରେ କିଛି ହାତୀ ଧାନ ଖାଇବାକୁ ଜଙ୍ଗଲରୁ ବାହାରିଥିବା ବେଳେ ତୀରବିଦ୍ଧ ହୋଇଥିବାର ଦେଖିବାକୁ ମିଳିଛି । ଧାରୁଆ ଏବଂ ତୀକ୍ଷ୍ଣ ତୀର ହାତୀ ଶରୀରରେ ପଶି ରହିଥିବା ବେଳେ ସେଥୁରୁ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଛି । ଯନ୍ତ୍ରଣାରେ ଛଟପଟ ତୀରବିଦ୍ଧ ମଧ୍ୟବୟସ୍କ ହାତୀଟି ହାତୀପଲ ଠାରୁ ସାମାନ୍ୟ ଦୂରତା ବଜାୟ ରଖୁଥିବାର ଦେଖିବାକୁ ମିଳିଛି I ତୀରବିଦ୍ଧ ପାଇଁ ହାତୀଟି ସ୍ବଭାବିକ ଭାବରେ ଚଳପ୍ରଚଳ ମଧ୍ୟ କରିପାରୁନଥୁବାର ଦେଖିବାକୁ ମିଳିଛି ।
ଏପଟେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ରକ୍ତଶ୍ରାବ ହେଉଥିବା ତୀରବିଦ୍ଧ ସ୍ଥାନରେ ବର୍ଷାପାଣି ଲାଗି ସଂକ୍ରମଣର ମଧ୍ୟ ଆଶଙ୍କା ଦେଖାଦେଇଛି । ଏନେଇ ବେତନଟୀ ରେଞ୍ଜର ମନୁଓ୍ବାର ଖାଁଙ୍କୁ ଯୋଗାଯୋଗ କରିବାରୁ ସେ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ପହଞ୍ଚୁବା ପୂର୍ବରୁ ହାତୀଗୁଡିକ ଜଙ୍ଗଲ ଭିତରକୁ ପଳାଇଯାଇଥିବା ଏବଂ ତୀରବିଦ୍ଧ ହାତୀକୁ ମୁଖ୍ୟଦଳରୁ ଚିହ୍ନଟ କରିବା ସହିତ ଏହାର ସମ୍ପୁର୍ଣ୍ଣ ଗତିବିଧି ଯାଞ୍ଚ ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ହାତୀପଲ ସନ୍ଧ୍ୟା ହେବାମାତ୍ରେ ଜଙ୍ଗଲରୁ ବାହାରି ଧାନକ୍ଷେତରେ ପ୍ରବେଶକରି ବ୍ୟାପକ ଧାନଫଫସଲ ନଷ୍ଟ କରୁଥିବାରୁ ଏଥିରେ ଅତିଷ୍ଠ ହୋଇ କେହି ସନ୍ଦୀଗ୍ଧ ହାତୀପଲ ଉପରକୁ ତୀରବିଦ୍ଧ କରିଥିବାର ଅନୁମାନ କରାଯାଉଛି । ପ୍ରକାଶ ଥାଉକି ଗତବର୍ଷ ୨୦୨୪ ମସିହା ସେପ୍ଟେମ୍ବର ୧୧ତାରିଖ ରାତିରେ ସେହି ଜାମଶୁଳୀ ଠାରେ ହାତୀପଲ ଦାଉରୁ ଫସଲକୁ ରକ୍ଷା କରିବାକୁ ବିଛାଯାଇଥୁବା ବିଦ୍ୟୁତତାର ଆଘାତରେ ଏକ ବିଶାଳ ମାଈହାତୀର ମୃତ୍ୟୁ ଘଟିଥିଲା । ତେବେ ହାତୀକୁ ତୀରବିଦ୍ଧ ଘଟଣା ଶୁଣିବାପରେ ବେତନଟୀ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l