ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ପଞ୍ଚମ ଶ୍ରେଣୀ ଇଭିଏସ ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରକାଶିତ

ପାଠ୍ୟ ପୁସ୍ତକ ବିକ୍ରି ନିଷେଧ ନକଲେ କଳାହାଣ୍ଡିବାସୀଙ୍କ ଆନ୍ଦୋଳନର ଚେତାବନୀ

ଭବାନୀପାଟଣା : ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ପଞ୍ଚମ ଶ୍ରେଣୀ ଇଭିଏସ ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରକାଶିତ ହୋଇଛି। ଏହି ପୁସ୍ତକରେ ସମୃଦ୍ଧ କଳାହାଣ୍ଡିକୁ ଦାରିଦ୍ର୍ୟ ଓ ଅନାହାରର ଭୁଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି। ଏହି ଜିଲ୍ଲାର ଅଧିବାସୀମାନେ ଖାଇବାକୁ ନପାଇ ପତ୍ର ଓ କନ୍ଦା ଖାଉଛନ୍ତି ବୋଲି ଦର୍ଶାଯାଇଛି ଯାହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବର୍ତ୍ତମାନ ସ୍ଥିତିରେ କଳାହାଣ୍ଡି ହେଉଛି ରାଜ୍ୟର ଦ୍ୱିତୀୟ ଧାନ ଉତ୍ପାଦନକାରୀ ଜିଲ୍ଲା ତଥା ରାଜ୍ୟର ଶ୍ରେଷ୍ଠ କପା ଉତ୍ପାଦନକାରୀ ଜିଲ୍ଲା । ପ୍ରତିବର୍ଷ କଳାହାଣ୍ଡି ଜିଲ୍ଲା ନିଜର ଖାଦ୍ୟ ବ୍ୟତୀତ ଏକ ହଜାର କୋଟି ଟଙ୍କାର ଧାନ ବିକ୍ରି କରୁଛି । ବର୍ଷକୁ କଳାହାଣ୍ଡି ଦେଶର ଆଉ ୬୦ ଲକ୍ଷ ଲୋକଙ୍କ ମୁହଁରେ ଆହାର ଯୋଗାଉଛି। ଚଳିତ ରବି ରୁତୁରେ କଳାହାଣ୍ଡି ଜିଲ୍ଲାରୁ ୨୯ ଲକ୍ଷ କ୍ବିଣ୍ଟାଲ ଧାନ ସଂଗୃହିତ ହୋଇଛି। ଏହା ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏନସିଇଆରଟି ପ୍ରସ୍ତୁତ ପାଠ୍ୟ ପୁସ୍ତକରେ କଳାହାଣ୍ଡିର ବାସ୍ତବ ଚିତ୍ରକୁ ବିକୃତ କରିଦେଇ କଳାହାଣ୍ଡିର ଦାରିଦ୍ର୍ୟ ଓ ଅନାହାର ଅଞ୍ଚଳ ବୋଲି ପ୍ରକାଶ କରିବା ଅତି ଚିନ୍ତା ଜନକ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ କେନ୍ଦ୍ର ମାନବ ସମ୍ବଳ ବିଭାଗ ଏନସିଇଆରଟିର ଏହି ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରିବା ପାଇଁ ସାଧାରଣରେ ଦାବି ଉଠିଛି । ତତ୍କାଳ ପଞ୍ଚମ ଶ୍ରେଣୀର ଏନସିଇଆରଟି ଇଭିଏସ ପାଠ୍ୟ ପୁସ୍ତକ ବିକ୍ରି ନିଷେଧ ନକଲେ କଳାହାଣ୍ଡିବାସୀ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ବୁଦ୍ଧିଜୀବୀ ଓ ରାଜନେତାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର