ସୀମା ପାର୍‌ ମଦ ଚାଲାଣ ରୋକିବାକୁ ଅଣ୍ଟା ଭିଡ଼ିଲା ବିଭାଗ

ଓଡ଼ିଶା-ଝାଡ଼ଖଣ୍ଡ ବରିଷ୍ଠ ଅବକାରୀ ଅଧିକାରୀଙ୍କ ନିଷ୍ପତ୍ତି

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଏବେ ଦେଶୀ ମଦ ଓ ନକଲି ବିଦେଶୀ ମଦର ବନ୍ୟା ଛୁଟୁଛି। ବିଭିନ୍ନ ଚୋରାପଥ ମାଧ୍ୟମରେ ନିୟମିତ ବ୍ୟବଧାନରେ ଝାଡ଼ଖଣ୍ଡରୁ ନକଲି ତଥାପି ଦେଶୀ ମଦ ଚାଲାଣ ହେଉଛି। ତେବେ ଏହି ସୀମା ପାର୍‌ ମଦ ଚୋରାଚାଲାଣକୁ ରୋକିବା ଉଭୟ ଓଡ଼ିଶା-ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ଉପଯୁକ୍ତ ଧ୍ୟାନ ଦିଆଯାଉନଥିଲ‌ା; ଯଦ୍ବାରା ଏହି ବେଆଇନ କାରବାର ସୀମା ଟପିସାରିଥିଲା।

ତେବେ ବିଳମ୍ବରେ ହେଉପଛେ, ଏଣୁଏଣିକି ଏଥିରେ ଅଙ୍କୁଶ ଲାଗିବବୋଲି ଆଶା କରାଯାଉଛି। କାରଣ, ଆଜି ଉଭୟ ଓଡ଼ିଶା-ଝାଡ଼ଖଣ୍ଡ ଅବକାରୀ ପୁଲିସର ବରିଷ୍ଠ ଅଧିକାରୀ ଏନେଇ ଆଲୋଚନା କରି ମିଳିତ ଚଢ଼ଉ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି।

ବୁଧବାର ସନ୍ଧ୍ୟାରେ ରାଉରକେଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବକାରୀ ଏସ୍‌ପି ‌ଶେଖ୍‌ ଆସଫ୍‌ ଅଲ୍ଲୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ସୁନ୍ଦରଗଡ଼ ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ର, ଝାଡ଼ଖଣ୍ଡ ସିମଡେଗା ଜିଲ୍ଲା ଅବକାରୀ ଅଧିକ୍ଷକ ଜୀତେନ୍ଦ୍ର କୁମାର, ଚାଇଁବସା ଅବକାରୀ ଅଧିକ୍ଷକ ଛତିସ ବିଜୟ ମିଞ୍ଜ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଉଭୟ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ମଦ କାରବାର, ବେଆଇନ ଚାଲାଣ, ନକଲି ମଦ ତିଆରି ଆଦିକୁ ରୋକିବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହାକୁ ରୋକିବାକୁ ଉଭୟ ରାଜ୍ୟ ପୁଲିସ ମିଳିତ ଚଢ଼ଉ କରିବାକୁ ସ୍ଥିରିକୃତ ହୋଇଛି। ଏହସହ ସୂଚନାର ଆଦାନପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଦୁଇ ରାଜ୍ୟର ପୁଲିସ, ଅବକାରୀ ବିଭାଗ ଓ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରି ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଯିବବୋଲି ଅବକାରୀ ଏସ୍‌ପି ଶେଖ୍‌ ଆସଫ ଅଲ୍ଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର