ଜଳେଶ୍ବର: ଜଳେଶ୍ବର ବ୍ଲକ କୋଟସାହି ପଞ୍ଚାୟତର ଗୋବର୍ଦ୍ଧନପୁର ଗାଁ’ର ଚାରୁବାଳା ଜେନା। ବୟସ ୫୧ ବର୍ଷ। ନିଜ ଚେଷ୍ଟା ଓ ପରିଶ୍ରମ ବଳରେ ନିଜକୁ ଓ ଅନ୍ୟ ୨୦ ଜଣ ମହିଳାଙ୍କ ଭାଗ୍ୟକୁ ସେ ତିଆରି କରିଛନ୍ତି। ସିଲେଇକୁ ଆୟୁଧ କରି ସହସ୍ରାଧିକ ମହିଳାଙ୍କୁ ସ୍ୱାବଲମ୍ବୀ ମଧ୍ୟ କରିଛନ୍ତି। ଅତି ସାଧାରଣ ପରିବାରର ଝିଅ ଓ ବୋହୂ ହୋଇଥିବା ଚାରୁବାଳା ମହିଳା ସୁରକ୍ଷା, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଯେଉଁ ପରିଚୟ ହାସଲ କରିଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ। ଏଥିପାଇଁ ତାଙ୍କୁ ଦୀର୍ଘ ୩୨ ବର୍ଷ ଧରି ନିରନ୍ତର ଭାବେ କାମ କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି।
ପିଲାଦିନରୁ ହିଁ ନିଜ ଅଞ୍ଚଳର ମହିଳାମାନଙ୍କର ସୁରକ୍ଷା ଓ ଅଧିକାର ସହ ସେମାନଙ୍କୁ ସଶକ୍ତ କରିବା ତାଙ୍କର ସ୍ବପ୍ନ ଥିଲା। ଆଉ ଏଥିପାଇଁ ପ୍ରଥମେ ତାଙ୍କୁ ହିଁ ସ୍ବାବଲମ୍ବୀ ହେବାକୁ ପଡ଼ିବ ବୋଲି ଚିନ୍ତା କରିଥିଲେ। ସେଥିପାଇଁ ୧୯୯୦ ମସିହାରେ ଚାରୁବାଳା ଜଳେଶ୍ବର ବ୍ଲକ୍ ଜରିଆରେ ଏକ ୬ ମାସିଆ ସିଲେଇ ତାଲିମ ନେଇଥିଲେ। ଆଉ ପଛକୁ ଫେରି ଚାହିଁନାହାନ୍ତି ସେ। ତାଲିମ ନେବା ପରେ ଦୃଢ଼ ଆତ୍ମବଳ ନେଇ ୧୯୯୨ ମସିହାରେ ଡିଙ୍ଗାଶୁଳ ଗାଁ’ରେ ଛୋଟ ଏକ ଘରେ ଚାରୁବାଳା ଆରମ୍ଭ କରିଥିଲେ ତାଙ୍କ ସିଲେଇ ତାଲିମ କେନ୍ଦ୍ର। ସେହି ତାଲିମ କେନ୍ଦ୍ରରୁ ଜଳେଶ୍ବର ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସହସ୍ରାଧିକ ମହିଳାଙ୍କୁ ତାଲିମ ଦେବାକୁ ଲାଗିଲେ। ଏହାରି ଭିତରେ ୧୯୯୭ ମସିହାରେ ସେ ପ୍ରାଣକୃଷ୍ଣ ଜେନାଙ୍କ ହାତ ଧରିଥିଲେ।
ପ୍ରାଣକୃଷ୍ଣ ଜଣେ ସମାଜସେବୀ ହୋଇଥିବାରୁ ଚାରୁବାଳାଙ୍କୁ ଏହା ସୁହାଇଥିଲା। ୨୦୧୫ ମସିହାରେ ପୁଣି ଚାରୁବାଳା ନିଜ ଗାଁ’ର ୨୦ ଜଣ ମହିଳାଙ୍କୁ ନେଇ ଆରମ୍ଭ କଲେ ବିଶ୍ବକର୍ମା ପ୍ରଡକ୍ସନ ଗ୍ରୁପ୍ ବା ପିଜି। ଏଥିପାଇଁ ସ୍ଥାନୀୟ ଏକ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇଥିଲେ ସେ। ଏହି ପିଜି ଗ୍ରୁପ୍ ସ୍କୁଲ୍ ଓ ଅଙ୍ଗନବାଡ଼ି ପିଲାଙ୍କ ଡ୍ରେସ୍, ମହିଳାମାନଙ୍କ ବିଭିନ୍ନ ବସ୍ତ୍ର ତିଆରି କରିବା ଆରମ୍ଭ କଲା। ପିଜି ଦ୍ବାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ଆଦର ବଢ଼ିବା ସହ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ବିକ୍ରି ପାଇଁ ରପ୍ତାନି ହେଲା। ଚଳିତବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଏହି ଗୋଷ୍ଠୀ ୧ ଲକ୍ଷ ୫୫ ହଜାର ୫୦୦ଟି ଜାତୀୟ ପତାକା ଏବଂ କରୋନା ସମୟରେ ୪୦ ହଜାର ପାଖାପାଖି ମାସ୍କ ମଧ୍ୟ ତିଆରି ବଣ୍ଟନ କରିଛି। ଚାରୁବାଳା ଏବେ ତାଙ୍କ କାମରୁ ପ୍ରତି ମାସରେ ୧୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଥିବା ବେଳେ ପିଜିର ଅନ୍ୟ ସଦସ୍ୟମାନେ ମଧ୍ୟ ଅର୍ଥ ରୋଜଗାର କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। କେବଳ ନାରୀ ସଶକ୍ତୀକରଣ ନୁହେଁ, ମହିଳା ଚାଲାଣ, ଯୌତୁକ ନିର୍ଯାତନା, ଘରୋଇ ହିଂସା, ନାବାଳିକା ବିବାହ ବନ୍ଦ କରିବା, ଭୂମିହୀନଙ୍କୁ ପଟ୍ଟା ଓ ଘର ପ୍ରଦାନ ଏବଂ ଦଳିତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଭଳି କାମରେ ଚାରୁବାଳା ନିରନ୍ତର ଉଦ୍ୟମ କରି ଆସୁଛନ୍ତି। ତାଙ୍କର ଏହିସବୁ କାର୍ଯ୍ୟରେ ସ୍ବାମୀ ଓ ଦୁଇ ଝିଅ ସହାୟତା କରନ୍ତି।