ବିସ୍ଫୋରଣରେ ଗାଈର ଥୋମଣି ଉଡ଼ିଗଲା

ବାର୍‌ହା ଶିକାର ପାଇଁ ଥିବା ବୋମା ଫଳ ବୋଲି ଖାଇଦେଲା

ଖଲ୍ଲିକୋଟ : ପଶୁ ସଂପଦର ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଅନେକ ଯୋଜନା ହାତକୁ ନେବା ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ମଣିଷର କ୍ରୁରତା ଆଗରେ ନିରୀହ ପଶୁଟି ବିପଦରେ ପଡ଼ୁଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ  କେନ୍ଦୁପାଟ ଗ୍ରାମରେ। ଗ୍ରାମରେ କିଛି ଶିକାରୀ ବାର୍‌ହା ଶିକାର ପାଇଁ ବିଲ ମଧ୍ୟରେ ରଖିଥିବା ବୋମାକୁ ଫଳ ଭାବି ଏକ ଗାଈ ଖାଇଦେବାରୁ ବିସ୍ଫୋରଣ ଘଟି ସେ ଗୁରୁତର ହୋଇଛି।

ଗ୍ରାମର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାର୍‌ହା ଶିକାର କରିବାକୁ ବିଲରେ ବୋମା ରଖୁଛନ୍ତି। ଗ୍ରାମର ଏକ ବିଲରେ ଦୁର୍ବୃତ୍ତମାନେ ବୋମା ରଖି ଛପି ରହିଥିଲେ। ଏହି ସମୟରେ  ନମିତା ଜେନାଙ୍କ ଗାଈ ଚରିବା ପାଇଁ ଯାଇଥିଲା। ତେବେ ସେ ଚରିବା ସମୟରେ ବୋମାଟିକୁ କୌଣସି ଫଳ ଭାବି ଖାଇଦେବାରୁ ତାହା ପାଟିରେ ଫୁଟିଯାଇଥିଲା। ଥୋବଣି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ସେ ଗୁରୁତର ହୋଇଛି। ସୂଚନା ଥାଉକି, ଏହି ଗ୍ରାମରେ ପାଟିରେ ବୋମା ଫୁଟି ଗତ ବର୍ଷକ ମଧ୍ୟରେ ୨ଟି ଗାଈ ମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ପୁଲିସ ପ୍ରଶାସନ ଓ ବନ ବିଭାଗ ଏହାକୁ ଗୁରୁତ୍ବର ସହ ନେବାକୁ  ପଶୁପ୍ରେମୀ ଓ ସାଧାରଣ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର