ଖଣ୍ଡପଡ଼ା/କଣ୍ଟିଲୋ: ବହୁଦିନର ଦାବି ପରେ ଶେଷରେ କଣ୍ଟିଲୋ ନୀଳମାଧବ ପୀଠର ବିକାଶ କାମହାତକୁ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ବ୍ରହ୍ମାଦି ପାହାଡ଼ ଉପରେ ଅବସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଲାକ୍ଷେତ୍ର ନୀଳମାଧବ ପୀଠର ବିକାଶ ସହ ଏହି ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଓଡ଼ିଆ ନବବର୍ଷ ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ନୀଳମାଧବ ମନ୍ଦିର ଗସ୍ତରେ ଆସି ଏହାର ବିକାଶ ସଂପର୍କରେ ବରିଷ୍ଠ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିର ଚାରି ପାଖରେ ପ୍ରାରମ୍ଭିକ ଭାବେ ୬୫ ପରିବାରକୁ ଏଥିପାଇଁ ଉଚ୍ଛେଦ କରାଯିବ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେବାୟତ ପରିବାର ହୋଇଥିବାରୁ ଶ୍ରୀ ପାଣ୍ଡିଆନ୍ ସେମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିଛନ୍ତି। ସେ ଏହି ଅବସରରେ ଉପସ୍ଥିତ ଲୋକ ଏବଂ ବୁଦ୍ଧିଜୀବୀଙ୍କୁ ଏହି ସୁନ୍ଦର ପୀଠର ପୁନଃନିର୍ମାଣ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ସୂଚନା ଦେବା ସହିତ ଆବଶ୍ୟକ ଅନୁମୋଦନ ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ।

Advertisment

ଆଜି ସକାଳ ପ୍ରାୟ ସାଢେ ୬ଟାରେ ଶ୍ରୀ ପାଣ୍ଡିଆନ୍‌ କଣ୍ଟିଲୋରେ ପହଞ୍ଚିବା ପରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ତାଙ୍କୁ ସ୍ଵାଗତ କରିଥିଲେ। ସେଠାରୁ ଚାଲି ଚାଲି ପଶ୍ଚିମଦ୍ୱାର ଦେଇ ସେ ନୀଳମାଧବ ମନ୍ଦିରରେ ପ୍ରବେଶ କରିଥିଲେ। ଠାକୁରଙ୍କୁ ଦର୍ଶନ କରି ଆର୍ଶୀବାଦ ଲାଭ କରିବା ସହ ସେବାୟତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀନୀଳମାଧବ ମନ୍ଦିରରେ ଉପସ୍ଥିତ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ ଭିତ୍ତିଭୂମି ବିକାଶ ନେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ଭଳି ଶ୍ରୀନୀଳମାଧବ ମନ୍ଦିରର ଚତୁଃପାର୍ଶ୍ବରେ ଉନ୍ନୟନ କାମ କରାଯିବ। ପଶ୍ଚିମ ଦ୍ୱାର ନିକଟରେ ଏକ ହଲ‌୍ ନିର୍ମାଣ କରାଯିବା ସହ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯିବା ପାଇଁ ଲିଫ୍ଟର ବ୍ୟବସ୍ଥା କରାଯିବ। ସେହିଭଳି ଚନ୍ଦନ ପୁଷ୍କରିଣୀ ପୁନଃରୁଦ୍ଧାର କାମ ଚାଲୁରହିଥିବା ବେଳେ ଏହାର ଚାରିପାଖକୁ ସୁସଜ୍ଜିତ କରାଯିବ। ପାର୍କିଂ ବ୍ୟବସ୍ଥା, ଜୋତା ଷ୍ଟାଣ୍ଡ, ପଦ ପ୍ରକ୍ଷାଳନ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ସହିତ ମହାନଦୀରେ ବୁଡ଼ ପକାଇବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଯୋଜନା ରହିଛି। ମନ୍ଦିର ପାହାଚଗୁଡ଼ିକ ନୂତନ ଭାବେ ନିର୍ମାଣ କରାଯିବା ସହ ଉନ୍ନତ ମାନର ଆଲୋକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଡ. ଟୁଡୁ କହିଛନ୍ତି। ଏହି ଅବସରରେ ଖଣ୍ଡପଡ଼ା ଏସ୍‌ଡିପିଓ ପ୍ରଭାତ କୁମାର ମଲ୍ଲିକ, ପୂର୍ତ୍ତ, ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀନୀଳମାଧବଙ୍କ ପୀଠର ବିକାଶ ନିମନ୍ତେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନିର୍ବାଚିତ ହେବା ଦିନଠାରୁ ପ୍ରୟାସ କରିଆସୁଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହିତ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀନୀଳମାଧବ ପୀଠର ଉନ୍ନତୀକରଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଗତ ଜାନୁଆରି ୨୦୨୧ରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଶ୍ରୀ ପଟ୍ଟନାୟକଙ୍କ ସହ ମନ୍ଦିର ପରିଦର୍ଶନ କରିବା ସହିତ ଉନ୍ନତୀକରଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ପ୍ରାୟ ବର୍ଷେ ପରେ ଶ୍ରୀ ପାଣ୍ଡିଆନ ଶ୍ରୀନୀଳମାଧବ ପୀଠ ପରିଦର୍ଶନ କରି ଏହାର ବିକାଶ ନେଇ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।