ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଲାଗି ପଡ଼ିଥିବା ବେଳେ ବ୍ରହ୍ମପୁର ସହରରେ ବିଜେପିରେ ସୃଷ୍ଟି ହୋଇଥିବା ଗୋଷ୍ଠୀ ବିବାଦ ପଦାରେ ପଡ଼ିଛି। ଦଳୀୟ ନିଷ୍ପତ୍ତି ଅନୁଯାୟୀ ନିଆଯାଇଥିବା କାର୍ଯ୍ୟକ୍ରମକୁ ପୃଥକ୍ ପୃଥକ୍ ଭାବେ ପାଳନ କରାଯିବା ଘଟଣା ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି। ସଂଗଠନକୁ ସୁଦୃଢ଼ କରିବା ପାଇଁ ରାଜ୍ୟସ୍ତରୀୟ ନେତୃତ୍ବ ଏବଂ ଜିଲ୍ଲା ପ୍ରଭାରୀ ଦାୟିତ୍ବରେ ରହିଥିବା କେନ୍ଦ୍ରମନ୍ତ୍ରୀ ଜିଲ୍ଲା ଗସ୍ତରେ ଆସି ଗୁରୁମନ୍ତ୍ର ପ୍ରଦାନ କରୁଛନ୍ତି। କ୍ଷମତା ହାସଲ କରିବାକୁ ଦଳ ତୃଣମୂଳ ସ୍ତରରେ ସଂଗଠନକୁ ଗୁରୁତ୍ବ ଦେଉଥିବା ବେଳେ ବ୍ରହ୍ମପୁରରେ ଦଳ ଭିତରେ ସୃଷ୍ଟି ହୋଇଥିବା ମତଭେଦ ସାଂଗକୁ ଗୋଷ୍ଠୀ ବିବାଦ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ଗତ କିଛି ମାସ ଧରି ଦଳରେ ଏଭଳି ଗୋଷ୍ଠୀକନ୍ଦଳ ଲାଗି ରହିଥିବା ବେଳେ ଏହା ପଦାକୁ ଆସୁନଥିଲା। ସଂଗଠନ ଦୃଷ୍ଟିକୋଣରୁ ବିଜେପିର ସାଂଗଠନିକ ଜିଲ୍ଲା, ସଂସଦୀୟ କ୍ଷେତ୍ର, ମଣ୍ଡଳ, ବୁଥ୍ସ୍ତରୀୟ ସଂଗଠନ ଏବଂ କାର୍ଯ୍ୟକର୍ତ୍ତା ରହିଥିବା ବେଳେ ଏବେ କିଛି ଦିନ ଧରି ବିଜେପି ମହାନଗର ନାମରେ ଏକ ସଂଗଠନ ମୁଣ୍ଡ ଟେକିଛି। ସମାନ୍ତରାଳ ଭାବେ ବିଜେପି ମହାନଗର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବିଶେଷ କରି ଗତ ମହାନଗର ନିଗମ ନିର୍ବାଚନ ପର ଠାରୁ ଏହି ସଂଗଠନ ଅଧିକ ସକ୍ରିୟ ହୋଇଛି। ଦଳୀୟ କାର୍ଯ୍ୟକ୍ରମକୁ ସମାନ୍ତରାଳ ଭାବେ ମହାନଗର ବିଜେପି ବି ପାଳନ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ହେଉ କିମ୍ବା ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍ କାର୍ଯ୍ୟକ୍ରମ ହେଉ ମହାନଗର ବିଜେପି ପାଳନ କରିବା ସହ କର୍ମୀଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ପ୍ରଶାସନ ଉପରେ ଚାପ ପକାଇବା ଭଳି କାର୍ଯ୍ୟକ୍ରମ ହାତକୁ ନେଉଛି।
ରାଜ୍ୟ ନେତୃତ୍ବଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନ ପୂର୍ବେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଗାନ୍ଧୀନଗର ଛକରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବିଜେପି ମହାନଗର ପକ୍ଷରୁ କମାପଲ୍ଲୀ ଛକରେ ଏହା ପାଳିତ ହୋଇଥିଲା। ଆଜି ବିଜେପି ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ, କମିସନର ଓ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲା। ଜିଲ୍ଲା ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସମାନ୍ତରାଳ ଭାବେ ମହାନଗର ବିଜେପି ପକ୍ଷରୁ ବି ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲା। ଜିଲ୍ଲା ସଂଗଠନରେ ଜିଲ୍ଲା କର୍ମକର୍ତ୍ତା, କିଛି କର୍ପୋରେଟର ସାମିଲ ହେଉଥିବା ବେଳେ ବିଜେପି ମହାନଗରରେ ମେୟର ପ୍ରାର୍ଥୀ ଥିବା ସବିତା ସୁଆର ଓ କିଛି ପରାଜିତ କର୍ପୋରେଟର ପ୍ରାର୍ଥୀ ସାମିଲ ହୋଇଛନ୍ତି।
ଦଳ ଭିତରେ ଗୋଷ୍ଠୀ କନ୍ଦଳକୁ ନେଇ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା କହିଛନ୍ତି, ଦଳର ମହାନଗର ବୋଲି କିଛି ନାହିଁ। କିଛି ଖଳପ୍ରକୃତିର ଲୋକ ଦଳକୁ ବିଭାଜିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରୁଥିବା ନଜରକୁ ଆସିଛି। ସେମାନଙ୍କ ବିରୋଧରେ ରାଜ୍ୟକୁ ଅବଗତ କରାଯାଇଥିବା ବେଳେ ଆଗାମୀ ଦିନରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ବିଜେପି ମହାନଗର ସଂଗଠନର ନେତୃତ୍ବ ନେଉଥିବା ଶ୍ରୀମତୀ ସୁଆର କହିଛନ୍ତି, ଦଳର ଶୃଙ୍ଖଳିତ କର୍ମୀ ଭାବେ ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ଉଦ୍ୟମ ଜାରି ରଖିଛୁ। ଜିଲ୍ଲା ସଂଗଠନ ଆମକୁ ସହଯୋଗ କରୁନାହିଁ କିମ୍ବା କୌଣସି କାର୍ଯ୍ୟକ୍ରମ ନେଇ ଅବଗତ କରୁନାହିଁ। ଜଣେ ଦଳୀୟ କର୍ମୀ ଭାବେ ଆମେ କାହିଁକି ଚୁପ ହୋଇ ବସିବୁ ବୋଲି ପ୍ରଶ୍ନ କରିଛନ୍ତି।