ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର କଳିଆପାଣି କ୍ରୋମ ଉପତ୍ୟକାକୁ ଲକ୍ଷ୍ୟ କରି ଇସ୍ପାତ ରାଜଧାନୀ କଳିଙ୍ଗନଗରରେ କ୍ରୋମାଇଟ୍ ଭିତ୍ତିକ ଇସ୍ପାତ କାରଖାନା ଗଢିଉଠିଛି। କରୋନା ମାଡ଼ରେ କାରଖାନାଗୁଡ଼ିକର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ଓଏମ୍ସି ଦ୍ବାରା କ୍ରୋମାଇଟ୍ର ଅହେତୁକ ମୂଲ୍ୟ ବୃଦ୍ଧି କାରଖାନାଗୁଡ଼ିକ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ଏଥି ସହିତ ଓଏମ୍ସିର କ୍ରୋମାଇଟ୍ ନିଲାମ ପ୍ରକ୍ରିୟା ଫେଲ୍ ମାରିଛି। ଗତ ୪ମାସ ମଧ୍ୟରେ ଓଏମସିର ମାତ୍ର ୧୫ଭାଗ କ୍ରୋମାଇଟ୍ ନିଲାମ ହୋଇଥିବା ବେଳେ ମାତ୍ର ୧୧ ଭାଗ ପରିବହନ ହୋଇଛି। ଯାହାକି ରାଜ୍ୟ ରାଜକୋଷକୁ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ କରିଛି।
ପ୍ରକାଶ ଥାଉକି ଓଏମ୍ସି ଦ୍ବାରା ନିର୍ଦ୍ଧାରଣ ହୋଇଥିବା କ୍ରୋମର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଅଧିକାଂଶ ଶିଳ୍ପାନୁଷ୍ଠାନ ଇ- ଟେଣ୍ଡରରେ ଭାଗ ନେଇପାରୁ ନାହାନ୍ତି। ଫଳରେ ଗତ ମେ ୧୭ ଓ ୨୬ତାରିଖରେ ହୋଇଥିବା ଇ-ଟେଣ୍ଡର ଫେଲ୍ ମାରିଛି। ୩୫ହଜାର ୧ଶହ ମେଟ୍ରିକ ଟନ୍ କ୍ରୋମାଇଟ୍ ପଥର ମଧ୍ୟରୁ ମାତ୍ର ୩ହଜାର ୬ଶହ ଟନ୍ ଇ-ଟେଣ୍ଡର ହୋଇଛି। ଗତ ଫେବ୍ଆରୁରିରୁ ମେ' ମଧ୍ୟରେ ୧ଲକ୍ଷ ୪୭ହଜାର ୪ଶହ ମେଟ୍ରିକ ଟନ୍ ଇ-ଟେଣ୍ଡର ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୩ହଜାର ୩ଶହ ମେଟ୍ରିକ୍ ଟନ ଟେଣ୍ଡର ହୋଇଛି। ଯାହାକି ସମୁଦାୟ କ୍ରୋମାଇଟ୍ର ୧୫.୮୧ଭାଗ । ସେହିପରି ଟେଣ୍ଡର ହୋଇଥିବା ୨୩ହଜାର ୩ଶହ ଟନ୍ କ୍ରୋମାଇଟ୍ରୁ ମାତ୍ର ୧୨ହଜାର ୭୬୩ ମେଟ୍ରିକ ଟନ୍ ପରିବହନ ହୋଇଛି। ଯାହାକି ସମୁଦାୟ କ୍ରୋମାଇଟର ମାତ୍ର ୧୧.୩୬ଭାଗ। ଏହି ପରିସ୍ଥିତି ଦୀର୍ଘ ଦିନ ହେଲା ଲାଗି ରହିଛି। କ୍ରୋମ କ୍ରୟ କରୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ଏଥି ନେଇ ବାରମ୍ବାର ଓଏମ୍ସି ଓ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ କୌଣସି ପରିବର୍ତ୍ତନ ହେଉନାହିଁ। ଯାହାଫଳରେ ଶିଳ୍ପାନୁଷ୍ଠାନ ଗୁଡ଼ିକ କ୍ରୋମାଇଟ୍ କ୍ରୟ ନକରି ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ କରିବା ପାଇଁ ଚିନ୍ତା କଲେଣି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେଉଥିବା ବେଳେ ଏବେ କରୋନା କାଳରେ କ୍ରୋମାଇଟ୍ ପାଇଁ କାରଖାନାରେ ତାଲା ପଡ଼ିଲେ ହଜାର ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। କ୍ରୋମ ମୂଲ୍ୟ ନିର୍ଦ୍ଧାରଣ ନୀତିକୁ ସମୀକ୍ଷା କରି ଶିଳ୍ପାନୁଷ୍ଠାନର ସ୍ଥିତି ପରଖି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/OMC.jpg)