କଟକ : ଚଳିତବର୍ଷ ହାଇକୋର୍ଟରେ ମାମଲା ଫଏସଲା ହାର ଉଲ୍ଲେଖନୀୟ ଭାବେ ଅଧିକ ରହିଛି। ଯେତିକି ସଂଖ୍ୟାରେ ନୂଆ ମାମଲା ହାଇକୋର୍ଟରେ ଦାୟର ହୋଇଛି, ତା’ଠାରୁ ବହୁ ଅଧିକ ସଂଖ୍ୟକ ମାମଲାର ଫଏସଲା ହୋଇ ପାରିଛି।
ମିଳିଥିବା ତଥ୍ୟ ଅନୁସାରେ ୨୦୨୨, ଜାନୁଆରି ୧ରୁ ଶୀତ ଅବକାଶ (ଡିସେମ୍ବର ୨୩ ତାରିଖ) ପର୍ଯ୍ୟନ୍ତ ୧ ଲକ୍ଷ ୨ ହଜାର ୨୪୭ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ଏହି ଅବଧି ଭିତରେ ହାଇକୋର୍ଟରେ ୧ ଲକ୍ଷ ୩୬ ହଜାର ୫୯୯ ମାମଲା ଫଏସଲା ହୋଇଥିଲା। ଫଳରେ, କେସ୍ କ୍ଲିୟରାନ୍ସ ରେଟ୍ (ମାମଲା ଫଏସଲା ହାର) ୧୩୩. ୬୦ ପ୍ରତିଶତ ରହିଛି। ୨୦୨୨, ଜାନୁଆରି ୧ରେ ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୯୬ ହଜାର ୬୬୨ ଥିଲା। ଫଏସଲା ହାର ଅଧିକ ରହିଥିବାରୁ ବର୍ତ୍ତମାନ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୬୨ ହଜାର ୩୧୦ରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ୧୦ ବର୍ଷରୁ ପୁରୁଣା ୮ ହଜାର ୭୬୯ଟି ମାମଲାର ହାଇକୋର୍ଟରେ ଫଏସଲା କରାଯାଇଛି।
ସେହିଭଳି, ରାଜ୍ୟର ନିମ୍ନ ଅଦାଲତ ଗୁଡ଼ିକରେ ମଧ୍ୟ ଗତବର୍ଷ ତୁଳନାରେ ଉଭୟ ମାମଲା ଦାୟର ଓ ମାମଲା ଫଏସଲା ସଂଖ୍ୟା ବଢିଛି। ୨୦୨୧ ବର୍ଷରେ ୪ ଲକ୍ଷ ୩୪ ହଜାର ୮୧୦ଟି ମାମଲା ଦାୟର ହୋଇଥିବା ବେଳେ ୨୦୨୨ ନଭେମ୍ବର ଶେଷ ସୁଦ୍ଧା ସାରାରାଜ୍ୟରେ ନିମ୍ନ ଅଦାଲତ ଗୁଡ଼ିକରେ ୫ ଲକ୍ଷ ୪୦୪ଟି ନୂଆ ମାମଲା ରୁଜୁ ହୋଇଥିଲା। ୨୦୨୧ରେ ମୋଟ ୨ ଲକ୍ଷ ୩୮ ହଜାର ୫୮୮ଟି ମାମଲାର ରାଜ୍ୟର ନିମ୍ନ ଅଦାଲତ ଗୁଡିକରେ ଫଏସଲା କରାଯାଇଥିଲା। ୨୦୨୨, ନଭେମ୍ବର ସୁଦ୍ଧା ୪ ଲକ୍ଷ ୪୭ ହଜାର ୭୩୩ଟି ମାମଲା ଚଳିତବର୍ଷ ଫଏସଲା ହୋଇସାରିଲାଣି। ଦୁଷ୍କର୍ମ ଓ ପୋକ୍ସୋ ଆଇନ ସଂପର୍କିତ ମାମଲା ଗୁଡିକର ତ୍ବରିତ ଶୁଣାଣି ହୋଇଛି। ୨୦୨୨, ନଭେମ୍ବର ୩୦ ସୁଦ୍ଧା ଜିଲ୍ଲା ବିଚାରାଳୟରେ ଏଭଳି ବିଚାରାଧୀନ ମାମଲା ସଂଖ୍ୟା ୧୮ ହଜାର ୮୮୨ ରହିଛି। ଚଳିତ ବର୍ଷ ଜାନୁଆରି ୧ରୁ ଡିସେମ୍ବର ୨୬ ସୁଦ୍ଧା ୪,୩୫୧ଟି ଦୁଷ୍କର୍ମ ଓ ପୋକ୍ସୋ ଦଫା ମାମଲା ଫଏସଲା କରାଯାଇଛି। କଗନିଜାନ୍ସ ଗ୍ରହଣର ଏକ ବର୍ଷ ଭିତରେ ଏପରି ୭୮୫ଟି ମାମଲାର ଫଏସଲା ହୋଇଛି।