ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାସାରା ଜାଲ୍‌ ଶିକ୍ଷକ ରାକେଟ୍‌ର ଚେର ଲମ୍ବିଛି। କରୋନା ଯୋଗୁ ଏହି ଜାଲ୍‌ ଶିକ୍ଷକ ଠାବ, ପ୍ରମାଣପତ୍ର ଯାଞ୍ଚ୍‌ ଅଭିଯାନ ଥମି ଯାଇଥିଲା। ଏବେ ପୁଣିଥରେ ତଦନ୍ତ ଫାଇଲ୍‌ ଖୋଲିଛି। ଜିଲ୍ଲାରେ ୧୬୧ ଜଣଙ୍କ ନାଁରେ ଅଭିଯୋଗ କରାଯାଇଥିବାବେଳେ ୪୧ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ୧୨ରୁ ଅଧିକ ଶିକ୍ଷକ ଗିରଫ ହୋଇଛନ୍ତି। ଜାଲିଆତି ଧରାପଡ଼ିବା ଆଗରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଭିଆର୍‌ଏସ୍‌ ନେଇ ଫେରାର୍‌ ହୋଇଯାଇଛନ୍ତି। ଫେରାର୍‌ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ କାହାର ଛତ୍ରଛାୟାରେ ରହି ଦୀର୍ଘବର୍ଷ ଧରି ସରକାରୀ ଚାକିରିରେ ଥିଲେ ବୋଲି ପ୍ରଶ୍ନ ଉଠିଛି। ଏହି ପରିପ୍ରେକ୍ଷୀରେ ଶିକ୍ଷା ବିଭାଗର ନିଷ୍କ୍ରିୟତାକୁ ନେଇ ବି ଆଲୋଚନା ଜୋର୍‌ ଧରିଛି। ୨୦୧୯ ମସିହାରୁ ରାଜ୍ୟ ସରକାର ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ଚାକିରି ସମୟରେ ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ୍‌ କରାଯାଇନଥିଲା। ଏଥିରେ ଶିକ୍ଷା ବିଭାଗର କିଛି ବଡ଼ବଡ଼ିଆ ଅଧିକାରୀଙ୍କ ଭୂମିକାକୁ ନେଇ ଏବେ ସନ୍ଦେହ ସୃଷ୍ଟିହୋଇଛି।

Advertisment

ସୂଚନା ଅନୁସାରେ, ୨୦୧୯ ଅକ୍ଟୋବରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ୍‌ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଲୋକ ଦେଖାଣିଆ ତଦନ୍ତ କରି ଦାୟିତ୍ବ ସାରି ଦିଆଯାଇଥିଲା। ଏହାର ପ୍ରତିବାଦରେ କିଛି ସୂଚନା ଅଧିକାର କର୍ମୀ ଜିଲ୍ଲା ଶିକ୍ଷା ବିଭାଗକୁ ଜାଲ୍‌ ଶିକ୍ଷକଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହାପରେ ଶିକ୍ଷା ବିଭାଗର ଚେତା ପଶିଥିଲା। ଗତ ୨୦୨୦ରେ ଜିଲ୍ଲା ଶିକ୍ଷା ବିଭାଗ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ସେ ସମୟରେ ଜାଲ୍‌ ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ୪୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମରେ ଥାନାରେ ଏତଲା ଦିଆ ଯାଇଥିଲା। ପର୍ଯ୍ୟାୟ କ୍ରମେ ସେମାନଙ୍କୁ ଗିରଫ କରାଯାଉଛି। ଅଲ୍‌ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ଏବଂ ଅଲ୍‌ ଇଣ୍ଡିଆ ୟୁଥ୍‌ ଲିଗ୍‌ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକ୍‌ରେ ୧୬୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ସେହି ଶିକ୍ଷକ ଶିକ୍ଷୟିତ୍ରୀମା‌ନେ ଜାଲ୍‌ ପ୍ରମାଣପତ୍ରରେ ଚାକିରି କରିଥି‌ବା ଅଭିଯୋଗ କରାଯାଇଥିଲା। ବିଶେଷକରି; ଧରାକୋଟ, ଆସିକା, ବେଗୁନିଆପଡ଼ା, ଖଲ୍ଲିକୋଟ, ପୋଲସରା, ଛତ୍ରପୁର, କବିସୂର୍ଯ୍ୟନଗର ପ୍ରଭୃତି ବ୍ଲକ୍‌ରେ ଅଧିକାଂଶ ଜାଲ୍‌ ଶିକ୍ଷକ ଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା। ଏଭଳି ମୋଟ ୪୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରି ସମ୍ପୃକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ଥାନାରେ ଏତଲା ଦେଇଥିଲେ। ଥାନାରେ ଏତଲା ପରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଦେଇ ଫେରାର୍‌ ଅଛନ୍ତି।

ଅନ୍ୟପକ୍ଷରେ, ଗତ ୨୦୨୦ ଓ ୨୦୨୧ରେ କରୋନା ଯୋଗୁଁ ଜାଲ୍‌ ଶିକ୍ଷକ ରାକେଟ୍‌ ତଦନ୍ତ ଶିଥିଳ ପଡ଼ି ଯାଇଥିଲା। ଏବେ ପୁଣିଥରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପର୍ଯ୍ୟାୟ କ୍ରମେ ସମସ୍ତ ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଗିରଫ ହେବେ ବୋଲି କୁହାଯାଉଛି। ତେବେ ଏହି କାରବାର ପଛରେ ରହିଥିବା ବଡ଼ବଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନାହିଁ ତାହା ଦେଖିବାକୁ ରହିଲା। ତେବେ, ଗଞ୍ଜାମ ଜିଲ୍ଲାରେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶହ ଶହ ଶିକ୍ଷକ ଚାକିରି ପାଇଛନ୍ତି ଏବଂ ଏହାପଛରେ ଜିଲ୍ଲାରେ ଏକ ବଡ଼ ଧରଣର ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି।

ବନ୍ଧାହେଲେ ଶିକ୍ଷୟିତ୍ରୀ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୁଲିସ ଆଜି ଆଉ ଜଣେ ନକଲି ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକ୍ଷୟିତ୍ରୀ ଜଣକ ହେଲେ, ପ୍ରତିମା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାର ମୂଳବାସିନ୍ଦା ପ୍ରତିମା ୨୦୧୨ ମସିହାରୁ ବରଡ଼ାବାଲି ପଞ୍ଚାୟତ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। କିନ୍ତୁ ସେ ଜାଲ୍‌ ଯୁକ୍ତଦୁଇ ପ୍ରମାଣପତ୍ର ଦାଖଲ କରିଥିଲେ। ଏହା ଜଣାପଡ଼ିବା ପରେ ଖୋଳତାଡ଼ ହୋଇଥିଲା। ଅଭିଯୋଗ ସତ ପ୍ରମାଣିତ ହେବାପରେ ବ୍ଲକ୍ ଶିକ୍ଷାଧିକାରୀ କୋରେଶ ସେଠୀ ଧରାକୋଟ ଥାନାରେ ଏତଲା ଦେଇଥିଲେ। କେସ୍ ନମ୍ବର ୯୯ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଥାନାଧିକାରୀ ଉମାକାନ୍ତ ସାହୁ ଓ ଏସ୍‌ଆଇ ଶୁଭଲକ୍ଷ୍ମୀ କହଁର ଆଜି ଭୋର୍ ୫ଟାରେ ପ୍ରତିମାଙ୍କ ମୁଣ୍ଡମରାଇସ୍ଥିତ ଭଡ଼ାଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ। ଆସିକା ଭଳି ଧରାକୋଟ ବ୍ଲକ୍ ଇଲାକାରେ ମଧ୍ୟ ମାଳ ମାଳ ନକଲି ଶିକ୍ଷକ ବିଭିନ୍ନ ବିଦ୍ୟାଳୟରେ କାମ କରୁଛନ୍ତି। ସାର୍ଟିଫିକେଟ୍ ଯାଞ୍ଚ୍‌ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଗଲେ ବହୁ ନକଲି ଶିକ୍ଷକଙ୍କ କାରନାମା ପଦାକୁ ଆସିବ ବୋଲି ଶିକ୍ଷାବିତ ମହଲରେ ମତପ୍ରକାଶ ପାଇଛି।

ସୂଚନା ଥାଉକି ଏହା ପୂର୍ବରୁ, ଗତ ଫେବ୍ରୁଆରି ୧୪ ତାରିଖରେ ଆସିକା ପୁଲିସ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ନକଲି ବିଏଡ଼୍ ସାର୍ଟିଫିକେଟ୍ ଦାଖଲ କରି ୨୦୧୧ରୁ ଆସିକା ବ୍ଲକ୍ ହରିଡ଼ାପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବୁଲୁ ସେଠୀଙ୍କୁ ଗିରଫ କରିଥିଲା। ସେହିପରି ରମ୍ଭା ଥାନା ଅଧୀନ ବଡ଼ରାମପଲ୍ଲୀ ଗ୍ରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟ‌ରେ କାର୍ଯ୍ୟରତ ଦୁଇଜଣ ସହକାରୀ ଶିକ୍ଷକ ଡି.ଯୁଧିଷ୍ଠିର ରାଓ ଦୋରା ଓ ଜି.ମହେଶ୍ବର ଦୋରାଙ୍କ ବିଇଡି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିବା ପରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ପକ୍ଷରୁ ଗତ ଜାନୁଆରି ୫ ତାରିଖରେ ରମ୍ଭା ଥାନାରେ ଏତଲା ଦିଆଯିବା ପରେ କେସ୍ ନମ୍ବର ୪ ଓ ୫ ଅନୁସାରେ ଦୁଇଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ଉଭୟ ଏଯାଏ ଫେରାର ଅଛନ୍ତି। ସେହିପରି ଚିକିଟି ବ୍ଲକ ନୂଆପଡ଼ା ଯୁବରାଜପେଣ୍ଠ ୟୁପି ସ୍କୁଲରେ ଜୟନ୍ତୀ ଗମାଙ୍ଗୋ ନାମକ ଜଣେ ଶିକ୍ଷୟିତ୍ରୀ ଜାଲ୍ ପ୍ରମାଣପତ୍ରରେ ଚାକିରି କରୁଥିଲେ। ଏହି ସଂଗିନ୍ ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ କେ.ନୂଆଗାଁ ଥାନାରେ ଏତଲା ଦିଆଯାଇଥିଲା।