ଭୁବନେଶ୍ବର : ଦେଶରେ ଅନେକ ନକଲି ବିଶ୍ବବିଦ୍ୟାଳୟ ରହିଛି। ଯେଉଁମାନେ ବିନା ପାଠପଢ଼ାରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ବାଣ୍ଟୁଛନ୍ତି। କୋଟି କୋଟି ଟଙ୍କା ଆଦାୟ କରି ପିଲାଙ୍କୁ ସାର୍ଟିଫିକେଟ୍ ଦେଉଛନ୍ତି। କ୍ଲାସ ହେଉନି କି ପରୀକ୍ଷା କରୁନାହାନ୍ତି। ମାତ୍ର ପିଲାଙ୍କ ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ୍ ଧରାଉଛନ୍ତି। ଏଭଳି ଏକାଧିକ ଘଟଣା ନଜରକୁ ଆସିବା ପରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ଙ୍କ ପକ୍ଷରୁ ପୁଣିଥରେ ଖୋଳତାଡ଼ ଆରମ୍ଭ ହୋଇଛି। କେଉଁ ରାଜ୍ୟରେ କେତେ ନକଲି ବିଶ୍ବବିଦ୍ୟାଳୟ ରହିଛି, ତାହାର ତାଲିକା ପ୍ରକାଶ କରିବା ସହ ଯଦି କୌଣସି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ସାର୍ଟିଫିକେଟ୍ ବାଣ୍ଟୁଥାନ୍ତି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଚିଠି ପାଇବା ପରେ ରାଜ୍ୟ ସରକାର ଏବେ ଖୋଳତାଡ଼ ଆରମ୍ଭ କରିଛନ୍ତି। ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ଓ ଜୟପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଯଦି କୌଣସି ନକଲି ବିଶ୍ବବିଦ୍ୟାଳୟ ରହିଥିବା ନଜରକୁ ଆସେ ତେବେ ସପ୍ତାହଙ୍କ ମଧ୍ୟରେ ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୟୁଜିସି ପକ୍ଷରୁ ସଦ୍ୟତମ ପ୍ରକାଶିତ ନକଲି ବିଶ୍ବବିଦ୍ୟାଳୟ ତାଲିକାରୁ ଓଡ଼ିଶାର ଦୁଇଟି ବିଶ୍ବବିଦ୍ୟାଳୟ ବାଦ୍ ପଡ଼ିଛି। ପାଖାପାଖି ୬ବର୍ଷ ହେଲା ୟୁଜିସି ପକ୍ଷରୁ ଜାରି ତାଲିକାରେ ଓଡ଼ିଶାର ଦୁଇ ନକଲି ବିଶ୍ବବିଦ୍ୟାଳୟ ଯଥା ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡ୍ର ପ୍ଲଟ ନମ୍ବର ୨୪୨ର ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ବବିଦ୍ୟାଳୟ ରୋଡ୍ରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ରହିଥିଲା। ପ୍ରକାଶିତ ତାଲିକାରେ ବାରମ୍ବାର ନାଁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ସମ୍ପୃକ୍ତ ଠିକଣାରେ ସେଭଳି କୌଣସି ବିଶ୍ବବିଦ୍ୟାଳୟ ନ ଥିବା କଥା ତଦନ୍ତ ଦେଳେ ସାମ୍ନାକୁ ଆସିବା ପରେ ଏନେଇ ୟୁଜିସିକୁ ଅବଗତ କରାଯାଇଥିଲା। ଏହାପରେ ଚଳିତବର୍ଷ ପ୍ରକାଶିତ ନକଲି ବିଶ୍ବବିଦ୍ୟାଳୟ ତାଲିକାରୁ ସମ୍ପୃକ୍ତ ଦୁଇ ନକଲି ବିଶ୍ବବିଦ୍ୟାଳୟକୁ ବାଦ୍ ଦିଆଯାଇଛି।
ୟୁଜିସି ଆଇନ ୧୯୫୬ର ସେକ୍ସନ୍-୨୨ ଅନୁଯାୟୀ, କେନ୍ଦ୍ର, ରାଜ୍ୟ ଆଇନ ଓ ସେକ୍ସନ-୩ ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭର୍ସିଟି ହିଁ କେବଳ ଡିଗ୍ରି ପ୍ରଦାନ କରିପାରିବେ। ତେବେ ଦେଶର ୨୧ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନ ଥାଇ ମଧ୍ୟ ସେମାନେ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରୁଛନ୍ତି। ଏମାନଙ୍କର ଡିଗ୍ରି ସାର୍ଟିଫିକେଟ୍ ଦେବାର ଯୋଗ୍ୟତା ନାହିଁ। ଏଥର ତାଲିକାରେ ଦିଲ୍ଲୀର ସର୍ବାଧିକ ୮ଟି ଶିକ୍ଷାନୁଷ୍ଠାନ ରହିଛି। ସେଗୁଡ଼ିକ ହେଲା, ଏଡିଆର-ସେଣ୍ଟ୍ରିକ୍ ଜ୍ୟୁରିଡିକାଲ ୟୁନିଭର୍ସିଟି, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ବକର୍ମା ଓପନ୍ ୟୁନିଭର୍ସିଟି ଫର୍ ସେଲ୍ଫ ଏମ୍ପ୍ଲୟମେଣ୍ଟ, କମର୍ସିଆଲ ୟୁନିଭରସିଟି ଲିମିଟେଡ, ୟୁନାଇଟେଡ୍ ନେସନ୍ସ ୟୁନିଭରସିଟି, ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଣ୍ଡ ଫିଜିକାଲ ହେଲଥ୍ ସାଇନ୍ସ, ଭୋକେସନାଲ ୟୁନିଭରସିଟି ଓ ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ। ଉତ୍ତରପ୍ରଦେଶର ନ୍ୟାସନାଲ ୟୁନିଭର୍ସିଟି ଅଫ୍ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୟୁନିଭର୍ସିଟି (ଓପନ ୟୁନିଭର୍ସିଟି), ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ ଓ ଭାରତୀୟ ଶିକ୍ଷା ପରିଷଦ ତାଲିକାରେ ରହିଛି। ପଶ୍ଚିମବଙ୍ଗର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଓ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ, କର୍ଣ୍ଣାଟକର ବଡ଼ଗାନ୍ଭି ସରକାର ୱାର୍ଲଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି, ମହାରାଷ୍ଟ୍ରର ରାଜା ଆରବିକ୍ ୟୁନିଭରସିଟି, କେରଳର ସେଣ୍ଟ ଜୋନ୍ସ ୟୁନିଭରସିଟି, ପୁଡୁଚେରିର ଶ୍ରୀ ବୋଧି ଏକାଡେମି ଅଫ୍ ହାୟର ଏଜୁକେସନ ଓ ଆନ୍ଧ୍ରପ୍ରଦେଶର ଖ୍ରୀଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ଡିମ୍ଡ ୟୁନିଭରସିଟି ଓ ବିବ୍ଲେ ଓପନ୍ ୟୁନିଭରସିଟି ଅଫ୍ ଇଣ୍ଡିଆ।