ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଟ୍ରଲିରେ ଶବ ବୋହିଲେ ପରିବାର ଲୋକ

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ନୟାତାରାଣା ଗ୍ରାମର ଆଦିବାସୀ ଯୁବକ ରାଜେଶ ସିଂ(୪୫) ବାରିପଦା ସର୍କଲ ଜେଲରେ ବିଚାରାଧୀନ ବନ୍ଦୀ ଥିବାବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହେଲେ, ତାଙ୍କ ମୃତ୍ୟୁପରେ ପୁଲିସ ପ୍ରଶାସନ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ଗ୍ରାମକୁ ନେବାକୁ ଗାଡ଼ି ଯୋଗାଇ ଦେଇନଥିଲେ। ସେପଟେ ସମ୍ବଳ ନଥିବାରୁ ପରିବାର ଲୋକେ ଶବ ଟ୍ରଲିରେ ବୋହି ନେଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତ ୨ ତାରିଖରେ ରାଜେଶ ୪ ଥାକିଆ ଜାତୀୟ ରାଜପଥ ନିର୍ମାଣ କରୁଥିବା ଆଇରନ ଟ୍ରାଏଙ୍ଗେଲ କମ୍ପାନିର କ୍ୟାମ୍ପରେ ପଶି କିଛି ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ୬ ତାରିଖ ଦିନ ହଠାତ୍ ସେ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲ୍‌ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାଜେଶଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ଆଜି ସକାଳୁ ରାଜେଶଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା। ତେବେ ଡାକ୍ତରଖାନାରୁ ପ୍ରାୟ ୧୫ କିମି ଦୂର ନୟାତାରାଣା ଗାଁକୁ କେମିତି ଶବ ଯିବ ସେଥିପ୍ରତି ଜେଲ୍‌ କର୍ତ୍ତୃପକ୍ଷ, ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ କେହି ବି ଧ୍ୟାନ ଦେଇ ନଥିଲେ। ଗାଡ଼ି ଭଡ଼ା କରିବାକୁ ସମ୍ବଳ ନଥିବାରୁ ଶେଷରେ ବାଧ୍ୟ ହୋଇ ଏକ ଟ୍ରଲି ଭଡ଼ାକରି ଶବ ଗାଁକୁ ଆଣିଥିଲେ ପତ୍ନୀ ସୁକାନ୍ତି(୪୦) ଓ ପରିବାର ଲୋକ। ତେବେ ରାଜେଶଙ୍କ ଶବ ଗାଁକୁ ନେବା ପୂର୍ବରୁ ଚୋରି ଅଭିଯୋଗ ଆଣିଥିବା କମ୍ପାନି ଫାଟକ ଆଗରେ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ଷତିପୂରଣ ଦାବି କରିଥିଲେ।

ଖବର ପାଇ ବାରିପଦା ସଦର ତହସିଲଦାର ବିକ୍ରମ କିଶୋର ପରିଡ଼ା, ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ, ଫାଣ୍ତି ଅଧିକାରୀ ପିସି ପଣ୍ତା, ଦାନ୍ତିଆମୁହାଁ ସମିତି ସଭ୍ୟ ସୁକୁଲ ମୁର୍ମୁ ପ୍ରମୁଖ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ। କମ୍ପାନି ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ ଓ ରେଡକ୍ରସ୍‌ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ରାଶି ଘୋଷଣା ପରେ ଧାରଣା ପ୍ରତ୍ୟାହୃତ ହେବା ସହ ଶବସତ୍କାର କରା ଯାଇଥିଲା।

ସମ୍ବନ୍ଧିତ ଖବର